/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752228874.jpg)
Bhangarh Fort
ରାଜସ୍ଥାନରେ ଅନେକ ଦୁର୍ଗ ରହିଛି । ପ୍ରତିବର୍ଷ ଏଠିକି ବୁଲିବାକୁ ଅନେକ ଟୁରିଷ୍ଟ ଆସିଥାନ୍ତି । ଏହି ସବୁ ଦୁର୍ଗ ପଛରେ ରହିଛି ଅନେକ କାହାଣୀ ଓ ଲୋକକଥା । ଯାହାକୁ ବିଶ୍ବାସ କରିବା ସହଜ ନୁହେଁ । ରାଜସ୍ଥାନର ଅଲୱର ଜିଲ୍ଲା । ଏଠି ରହିଛି ଭାନଗଡ଼ ଦୁର୍ଗ । ଦେଶ ବିଦେଶରେ ନିଜର ଅଭିଶପ୍ତ କାହାଣୀକୁ ନେଇ ଏହି ଦୁର୍ଗ ଖୁବ ଚର୍ଚ୍ଚିତ ।
କୁହାଯାଏ ଜଣେ ତାନ୍ତ୍ରିକର ଅଭିଶାପ ଯୋଗୁଁ ଏହି ଦୁର୍ଗ ଓ ଏହାର ପାଖରେ ଥିବା ପୂରା ନଗରୀ ମାତ୍ର ୩ଘଣ୍ଟାରେ ଧ୍ବଂସ ହୋଇଯାଇଥିଲା । ସେବେଠାରୁ ଏହି ଦୁର୍ଗ ରହସ୍ୟମୟ ହୋଇରହିଛି ।
ଅଧିକ ପଢନ୍ତୁ: ହ୍ରଦରେ ଭାସେ ଶହ ଶହ ମଣିଷ କଙ୍କାଳ, ଆଜି ବି ରହସ୍ୟ ଘେରରେ
ଭାନଗଡ଼ ଦୁର୍ଗ ଅଲୱରର ସରିସ୍କା ଜଙ୍ଗଲ ନିକଟରେ ରହିଛି । ଏହାର ନିର୍ମାଣ ୧୬୧୩ ମସିହାରେ ହୋଇଥିଲା । ଏହାକୁ ରାଜା ମାଧୋ ସିଂ ନିଜ ସାନ ପୁଅ ମାନସିଂହଙ୍କ ପାଇଁ ତିଆରି କରିଥିଲେ । ୧୭୨୦ ମସିହା ପର୍ଯ୍ୟନ୍ତ ଭାନଗଡ଼ ଦୁର୍ଗ ଆଖପାଖରେ ୯ହଜାରରୁ ଅଧିକ ଘର ଥିଲା ।
ଗୋଟିଏ ସମୟରେ ଦୁର୍ଗକୁ ଲାଗିକି ଗୋଟିଏ ସହର ଥିଲା । ସହରର ଲୋକମାନେ ବାଣିଜ୍ୟ ବ୍ୟବସାୟ କରୁଥିଲେ । କିନ୍ତୁ ଆଜି ଏହା ଏକ ହଣ୍ଟେଡ୍ ପ୍ଲେସ ଭାବେ ଜଣାଶୁଣା ।ଏହି ଜାଗାରେ ଥିବା ଘର ଗୁଡ଼ିକ ଭାଙ୍ଗିରୁଜି ଯାଇଛି । ମନ୍ଦିର ଅଛି କିନ୍ତୁ ସେଠି ଠାକୁରଙ୍କ ମୂର୍ତ୍ତି ନାହିଁ । ବଜାରରେ ଦୋକାନ ରହିଛି । କିନ୍ତୁ ଦୋକାନର ଛାତ ନାହିଁ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହାର ରାଜକୁମାରୀ ରତ୍ନାବତୀ ଖୁବ ସୁନ୍ଦର ଥିଲେ । ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚ। ରାଜ୍ୟ ବାହାରେ ହେଉଥିଲା। ରାଜକୁମାରୀ କଳାଯାଦୁରେ ନିପୁଣା ଥିଲେ । ରାଜ୍ୟର ଜଣେ ତାନ୍ତ୍ରିକ ରାଜକୁମାରୀଙ୍କୁ ଭଲ ପାଇ ବସିଲା । ଗୋଟିଏ ଦିନ ରାଜକୁମାରୀ ନିଜ ସାଙ୍ଗଙ୍କ ସହ ବଜାର ଯାଇଥିଲେ । ସେମାନେ ଅତର କିଣିବାକୁ ଗୋଟିଏ ଦୋକାନକୁ ଯାଇଥିଲେ । ତାନ୍ତ୍ରିକ ଏହା ଜାଣିବା ପରେ ଅତର କାଚ ଉପରେ କଳାଯାଦୁ କରିଦେଲା ।
ରାଜକୁମାରୀଙ୍କୁ ତାନ୍ତ୍ରିକର କଳାଯାଦୁ ବିଷୟରେ ଜଣାପଡ଼ିଗଲା । ରାଜକୁମାରୀ ସେହି ଅତର କାଚକୁ ଗୋଟିଏ ପଥର ଉପରେ ପିଙ୍ଗିଦେଲେ । ପଥରଟି ଛିଟକି ପଡ଼ି ତାନ୍ତ୍ରିକର ମୁଣ୍ଡରେ ବାଜିଲା ଓ ତାନ୍ତ୍ରିକର ମୃତ୍ୟୁ ହୋଇଗଲା ।
ମୃତ୍ୟୁ ପୂର୍ବରୁ ତାନ୍ତିକ ରାଜକୁମାରୀ ଓ ପୂରା ଦୁର୍ଗକୁ ଅଭିଶାପ ଦେଇ ଚାଲିଗଲା । ଅଭିଶାପ ଯୋଗୁଁ ମାତ୍ର ୩ଘଣ୍ଟାରେ ପୂରା ନଗର ଧ୍ବଂସ ହୋଇଗଲା । ନଗରୀରେ ରହୁଥିବା ଶହ ଶହ ଲୋକ ମୃତ୍ୟୁବରଣ କଲେ । ସେବେଠାରୁ ଏହି ଜାଗା ଅଭିଶପ୍ତ ପାଲଟିଛି ।
ଏଠି ରାତି ସମୟରେ କେହି ବି ରହନ୍ତି ନାହିଁ । ଦୁର୍ଗକୁ ପୂରା ଖାଲି କରିଦିଆଯାଏ । ଏଠି କୌଣସି ପଶୁପକ୍ଷୀ ବି ନଜର ଆସନ୍ତି ନାହିଁ । ସଂଧ୍ୟା ହେଲା ପରେ ଏହି ଦୁର୍ଗ ଭିତରକୁ ଟୁରିଷ୍ଟ ମାନଙ୍କୁ ଯିବାକୁ ଅନୁମତି ନାହିଁ । କୁହାଯାଏ ଦୁର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପାରାନୋମାଲ ଆକ୍ଟିଭିଟି ହୁଏ ।
କିଛି ଲୋକ ଦାବି କରନ୍ତି ଏହି ଦୁର୍ଗ ଭିତରୁ ଚିତ୍କାର, କାନ୍ଦିବାର ଓ ଚୁଡ଼ି ଭାଙ୍ଗିବାର ଶବ୍ଦ ବି ଶୁଣାଯାଏ । କିଛି ବିଶେଷ ଉପକରଣ ଦ୍ବାରା ଦୁର୍ଗର ଯାଞ୍ଚ କରାଯାଇଥିଲା । ଏଥିରେ ଦୁର୍ଗ ଭିତରେ ନେଗେଟିଭ ଏନର୍ଜି ଥିବା ଜଣାପଡିଥିଲା ।
ସଂଧ୍ୟା ହେବା ପରେ ଦୁର୍ଗର ଗେଟକୁ ବନ୍ଦ କରିଦିଆଯାଏ । ସିକ୍ୟୁରିଟି ବି ଜଗିକି ରୁହନ୍ତି ଏହି ଦୁର୍ଗକୁ । ରାତି ସମୟରେ କାହାକୁ ବି ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)