/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670408335.jpg)
Old Age Love Story
ଧାନ ବିଲରେ ପ୍ରେମ ଓ ପରେ ମନ୍ଦିରରେ ବିବାହ । ବର ବୟସ ୬୩କୁ କନ୍ୟା ୬୫ । ମନ୍ଦିରରେ ବେକରେ ବରଣମାଳା ପକାଇ ବାହା ହେଲେ । ଏହି ନବ ବିବାହିତ ଦମ୍ପତିଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆପଣ ଶୁଣିଥିବେ ପ୍ରେମ ବିବାହର ଅନେକ କାହାଣୀ । ତେବେ ଏ କାହାଣୀ ଯେତିକି ନିଆରା, ସେତିକି ହୃଦୟଭିଜା । କୁହାଯାଏ, ପ୍ରକୃତ ପ୍ରେମରେ ପ୍ରତିବନ୍ଧକ ହୋଇପାରେନି କୌଣସି ବାଧାବିଘ୍ନ । ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ ।
ଶହେ ମାନସିକ କରି ପାଇଥିବା ପୁଅ ପଚାରିଲାନି କି ଝିଅ ଆଡ଼ ଆଖିରେ ଚାହିଁଲାନି । ସେଥିଲାଗି ପେଟ ପାଇଁ ପର ବିଲରେ ମଜୁରୀ ଲାଗିବା ବେଳେ ଉଭୟଙ୍କୁ ନେବାକୁ ପଡିଲା ସାଥୀ ହେବାର ଶପଥ । ମୂଲ ଲାଗିଲେ ପେଟକୁ ଦାନା ମିଳେ । ଭଜେଶ୍ୱରୀ ମଜୁରିଆ ଭାବେ ମାଲିକ ବିଲରେ ଧାନ କାଟିବାକୁ ଯାଇଥିବାବେଳେ, ସେଇଠି ତାଙ୍କର ଦେଖାହୁଏ ପାଖ ଗାଁର ଶକ୍ତିପ୍ରସାଦଙ୍କ ସହ । ତାଙ୍କର ବି ସମାନ କାହାଣୀ । ସମସ୍ତେ ଅଛନ୍ତି ହେଲେ ଶେଷ ସମୟକୁ ସାହାରା ହେବାକୁ କେହି ନାହିଁ । ପତ୍ନୀ ଆରପାରିକୁ ଚାଲିଗଲେଣି ।
ଅଧିକ ପଢ଼ନ୍ତୁ: ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା
ମୋର କେହି ନାହାନ୍ତି, ପୁଅ ଝିଅ ପଚାରୁନାହାନ୍ତି । ବିପଦ ପଡିଥିବା ବେଳେ ସେ ନେଇଥିଲେ ମେଡିକାଲ । ସେଥିପାଇଁ ତାଙ୍କୁ ନିଜର କରିନେଲି ବୋଲି କୋହଭରା କଣ୍ଠରେ କହିଛନ୍ତି ଭଜେଶ୍ୱରୀ । ଆପଣା ପରିବାର ପର କରିଦେବା ପରେ ପରିଣତ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ । ଆମ ସମାଜରେ ଏପରି ଅନେକ ଚରିତ୍ର ରହିଛନ୍ତି ଯେଉଁମାନଙ୍କୁ ପରିବାର ପାସୋରି ଦେବାପରେ ହାରିଯାଇନାହାନ୍ତି, ବରଂ ଆତ୍ମନିର୍ଭର ଭାବେ ସମ୍ମାନର ସହ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ।
(ରିପୋର୍ଟ- ପବୀର ନାୟକ, ପଟ୍ଟାମୁଣ୍ଡାଇ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)