Potato Crisis Returns: ପୁଣି ମମତାଙ୍କ 'ଆଳୁ' ରାଜନୀତି; ସଙ୍କଟରେ ବ୍ୟବସାୟୀ, ଚିନ୍ତାରେ ଗ୍ରାହକ...

ବଜାରରେ ଆଳୁ ନେବା ପାଇଁ ଗ୍ରାହକଙ୍କ ଭିଡ଼ । ଆଜି ବଜାରକୁ କିଛି ଗାଡ଼ି ଆସିଥିବା ବେଳେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ ।

Potato Crisis Returns

ପୁଣି ମମତାଙ୍କ 'ଆଳୁ' ଖେଳ ! ପଶ୍ଚମବଙ୍ଗ ସରକାର ବନ୍ଦ କଲେ ଆଳୁ ଟ୍ରକ । ବଜାରରେ ଆଳୁ ନେବା ପାଇଁ ଗ୍ରାହକଙ୍କ ଭିଡ଼ । ଆଜି ବଜାରକୁ କିଛି ଗାଡ଼ି ଆସିଥିବା ବେଳେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ । ୨ ମାସ ତଳେ ଯେଉଁ ଅବସ୍ଥା ହୋଇଥିଲା ପୁଣି ସେହି ଅବସ୍ଥା ହୋଇପାରେ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ  ।  କଟକ ଛତ୍ରବଜାରରେ ଆଳୁ ନେବା ପାଇଁ ଲୋକଙ୍କ ଭିଡ଼ ବି ହେଲାଣି । ଆଉ ଏଭଳି ପରିସ୍ଥିତିର ଫାଇଦା ବି ନେବା ପାଇଁ କିଛି ବ୍ୟବସାୟୀ ଅନେଇ ବସିଥିବା ଚର୍ଚ୍ଚା ଆରମ୍ୠ ହୋଇଗଲାଣି । 

ତେବେ ଓଟିଭିକୁ ସାକ୍ଷତକାର ଦେଇ ବ୍ୟବସାୟୀ ସଂଘର ସମ୍ପାଦକ କହିଛନ୍ତି ଯେ, ୨ରୁ ୩ ଦିନ ତଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା, କିନ୍ତୁ ଗତକାଲି ରାତିରୁ ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ବନ୍ଦ କରି ଦେଇଛନ୍ତି । ଆଜି ପାଇଁ ଆଳୁ ମହଜୁଦ ରହିଛି, କାଲି କି କଣ ହେବ ତାହା କହି ହେବ ନାହିଁ । ମାସକ ଭିତରେ ଆମର ଲୋକାଲ୍‌ ଆଳୁ ବାହାରିଲେ ଏପରି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି । ଏମିତିକି ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି ହେବା ନେଇ ଗ୍ରାହକ ମଧ୍ୟ ଅଧିକରୁ ଅଧିକ ଆଳୁ କିଣି ନେଲେଣି । 

ଅଧିକ ପଢ଼ନ୍ତୁ: ପୁଣି ମମତାଙ୍କ 'ଆଳୁ' ଖେଳ ! ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍

ଏପଟେ ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକିବା ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘ ଉଦବେଗ ପ୍ରକାଶ କରିଛନ୍ତି । ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି, ପଶ୍ଚିମବଙ୍ଗ ସରକାର ମୌଖିକ ନିର୍ଦ୍ଦେଶ ଜାରି କରି ଆଳୁ ଗାଡ଼ି ହଠାତ ଅଟକାଇଛନ୍ତି । ସବୁ ସୀମାରେ ଆଳୁ ଗାଡ଼ି ଅଟକା ଯାଇଛି, ଗାଡ଼ି ଗୁଡ଼ିକୁ ଛଡ଼ା ଯାଉନାହିଁ। ଆଗରୁ ଯେଉଁ ଅନ୍ୟ ବାଟ ଦେଇ ଆସୁଥିଲା, ସେଠି ମଧ୍ୟ ଯାଞ୍ଚ କରି ଅଟକା ଯାଉଛି। ଏହି ପ୍ରସଙ୍ଗକୁ ସରକାର ଗୁରୁତର ସହ ନିଅନ୍ତୁ ଓ ସମାଧାନର ବାଟ ବାହାର କରନ୍ତୁ । 

ସେ ଆହୁରି କହିଛନ୍ତି ଯେ, ଅଟକାଯାଇଥିବା ଗାଡ଼ିକୁ ଯଥାଶୀଘ୍ର ଓଡ଼ିଶାରେ ପ୍ରବେଶ ବ୍ୟବସ୍ଥା କରାଯାଉ । ଶୀତଳ ଭଣ୍ଡାରରେ ଥିବା ଆଳୁ ଷ୍ଟକ୍ ଆଉ ପ୍ରାୟ ନାହିଁ । ଆଉ ମାସେ ପରେ ନୂଆ ଆଳୁ ଆସିବ, ତେଣୁ ପୁରୁଣା ଆଳୁ ଗଚ୍ଛିତ ନାହିଁ। ଆମ ପାଖରେ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । 

ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ନାକାବନ୍ଦୀ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି। ଆନ୍ତଃ ରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଚାଲାଣ ବନ୍ଦ କରାଯାଇଛି । ଦିନକୁ ଦିନ ବଜାରରେ ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବା ପାଇଁ  ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ବେଲଦା ପାଖରେ ଶତାଧିକ ଗାଡି ଅଟକ ରଖା ଯାଇଛି । ଆଳୁ ଦର ହ୍ରାସ ପାଇଁ , ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ପଶ୍ଚିମ ମେଦିନୀପୁର ଜିଲ୍ଲା ପୋଲିସ ଆଳୁ ଗାଡି ଅଟକ ରଖିଛି ଓ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରିଦେଇଛି। ବେଲଦା, ଦାତନ, ସୋନାକୋଣିଆରେ ବି ଆଳୁ ଟ୍ରକ୍ ଅଟକାଯାଇଥିବା ସୂଚନା ମିଳିଛି । ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନବାନ୍ନରେ ଗୁରୁତ୍ୱପୂର୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ପ୍ରଥମ ଥର ଓଡ଼ିଶାରେ ପାଳନ ହେବ ନୌସେନା ଦିବସ; ୫୦ରୁ ଅଧିକ ଏୟାରକ୍ରାଫ୍ଟ ଦେଖାଇବେ ରଣକୌଶଳ