ଏକାଠି ଉଠିବୁ । ଗୋଟିଏ ଜାଗାରେ ବସିବୁ । ପର୍ଯ୍ୟାୟକ୍ରମେ ଉଠାଇଲେ ଯିବୁନାହିଁ । ଆଜି ଏଭଳି କିଛି ଦାବି କରି ଖୋର୍ଦ୍ଧା ପୌରାଞ୍ଚଳର ବ୍ୟବସାୟୀ ମାନେ ଦୋକାନ ବଜାର ବନ୍ଦ କରି ପୌର କାର୍ଯ୍ୟାଳୟ ଘେରିଥିଲେ । ଟିଏଲସି ପଡିଆରେ ନିର୍ମାଣ ହେଉଥିବା ଭେଣ୍ଡିଂ ଜୋନକୁ ନଯାଇ ଅନ୍ୟତ୍ର ଥଇଥାନ କରିବାକୁ ବ୍ୟବସାୟୀ ସଂଘ କହିଛି । ସେପଟେ ଆଜି ପୌରପରିଷଦର ସ୍ୱତନ୍ତ୍ର ବୈଠକ ସ୍ଥଗିତ ରହିଥିବା ବେଳେ ଆସନ୍ତା ଦିନରେ ପରିଷଦର ପ୍ରସ୍ତାବ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପୌର ପ୍ରଶାସନ ଏବଂ ପୌରାଧ୍ୟକ୍ଷା କହିଛନ୍ତି ।
ଖୋର୍ଦ୍ଧା ସହରରେ ବନ୍ଦ ରହିଛି ଦୋକାନ ବଜାର । ପୌରପରିଷଦ କାର୍ଯ୍ୟାଳୟରେ ବ୍ୟବସାୟୀଙ୍କ ହାଲ୍ଲାବୋଲ । ପୌରାଞ୍ଚଳର ଉଠା ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପୌର ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବ୍ୟବସାୟୀ । ଖୋର୍ଦ୍ଧା ବ୍ୟବସାୟୀ ମହାସଂଘର ଆହ୍ୱାନ କ୍ରମେ ଶତାଧିକ ବ୍ୟବସାୟୀ ଆଜି ସକାଳୁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରି ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ ।
Also Read
ଅଧିକ ପଢନ୍ତୁ: ଜୀବନଶୈଳୀ-ଖାଦ୍ୟ ନିଯନ୍ତ୍ରଣ, ଫୋର୍ଥ ଷ୍ଟେଜରେ କ୍ୟାନସର ମାତ୍ !
ମହାସଂଘର ଅଭିଯୋଗ ପ୍ରଶାସନ ମନଇଛା ବ୍ୟବସାୟୀଙ୍କୁ ଉଚ୍ଛେଦ ଓ ଥଇଥାନ କରିବାକୁ ଯେଉଁଭଳି ନିଷ୍ପତ୍ତି ଗ୍ରହଣ କରୁଛି ତାହା ବନ୍ଦ କରୁ । ଟିଏଲସି ଠାରେ ନିର୍ମାଣାଧୀନ ଭେଣ୍ଡିଂ ଜୋନ ବ୍ୟବସାୟ ପାଇଁ ଅନୁପଯୁକ୍ତ ସ୍ଥାନ ହୋଇଥିବାରୁ ସେଠାକୁ କୌଣସି ବ୍ୟବସାୟୀ ଯିବା ସମ୍ଭବ ନୁହେଁ ବୋଲି କହିଛି ମହାସଂଘ । ଉଠା ବ୍ୟବସାୟୀଙ୍କ ଯୋଗୁ ଖୋର୍ଦ୍ଧା ସହରର ଟ୍ରାଫିକ ସମସ୍ୟା ଉତ୍କଟ ହୋଇଛି ।
ସହରର ମାରୱାଡି ପଟି, ପୁରୁଣା ବସଷ୍ଟାଣ୍ଡ, ବ୍ୟାଙ୍କ ଛକ, ପେଟ୍ରୋଲ ପମ୍ପ ଛକ, ପୁରୁଣା ମେଡିକାଲ ରାସ୍ତା ଉଠା ବ୍ୟବସାୟୀଙ୍କ ଯୋଗୁ ସଙ୍କୁଚିତ ହେବା ସହ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଏହାର ସମାଧାନ ପାଇଁ ୨୦୦୩ ମସିହାରେ ଖୋର୍ଦ୍ଧା ପୌରପରିଷଦ ପକ୍ଷରୁ ୫୪୦ ଦୋକାନୀଙ୍କ ଠାରୁ ୩୫୦୦ ଟଙ୍କା ଲେଖାଏ ଆଦାୟ କରାଯାଇଥିଲା । ସେହି ବ୍ୟବସାୟୀଙ୍କ ପାଇଁ ହାବେଳି ପଡିଆର ଉନ୍ନତିକରଣ କରି ସମସ୍ତ ବ୍ୟବସାୟୀଙ୍କୁ ସେଠାରେ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଥିଲା ।
ହେଲେ ଏହା ଭିତରେ ୨୦ ବର୍ଷ ବିତିଯାଇଥିବା ବେଳେ ହାବେଳି ପଡିଆ ପ୍ରକଳ୍ପ ବନ୍ଦ ହୋଇଯାଇଛି । ଅନ୍ୟପଟେ ଟିଏଲସି ରାସ୍ତାରେ ୨୦୮ଟି ଦୋକାନ ଗୃହ ନିର୍ମାଣ କରାଯାଇ ଉକ୍ତ ସ୍ଥାନରେ ପରିବା ଏବଂ ଫଳ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । ହେଲେ ଏହି ନିଷ୍ପତ୍ତିକୁ ସିଧାସଳଖ ମହାସଂଘ ବିରୋଧ କରିଛି ।
ସେପଟେ ପୌରପରିଷଦ ଆଜି ବ୍ୟବସାୟୀଙ୍କ ଥଇଥାନ ସମ୍ପର୍କରେ ଏକ ସ୍ୱତନ୍ତ୍ର ବୈଠକ ଡାକିଥିବା ବେଳେ ତାକୁ ସ୍ଥଗିତ ରଖି ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛି । ପରବର୍ତ୍ତୀ ବୈଠକରେ ବିଧାୟକ ଓ ସମସ୍ତ କାଉନସିଲର ଉପସ୍ଥିତ ରହି ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପୌରାଧ୍ୟକ୍ଷା ପ୍ରତିଶତି ଦେବା ପରେ ବ୍ୟବସାୟୀ ମାନେ ଫେରିଛନ୍ତି ।