• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାଡ଼ଖଣ୍ଡରେ ଜିନତ୍, କୁଲଡିହାରେ ଯମୁନା । ଏବେ ଶିମିଳିପାଳରେ ନାହାଁନ୍ତି ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀ । ଏବେ ବି ଜିନତ୍ ଝାଡ଼ଖଣ୍ଡରେ ରହିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ବନ ବିଭାଗ ଜିନତ୍ ଉପରେ ତୀକ୍ଷ୍ମ ନଜର ରଖିଛି । ଏକ ସ୍ୱତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛି ।

ଟ୍ରାଙ୍କୁଲାଇଜ କରି ଜିନତ୍‌କୁ ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରା ଯାଉଥିଲେ ମଧ୍ୟ ଏହା ଏବେ ସହଜ ନୁହେଁ । କାରଣ ଗତ ୪ ଦିନ ଧରି ଜିନତ୍ କିଛି ଖାଉନାହିଁ । ସେ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଏଣୁ ଏଭଳି ଅବସ୍ଥାରେ ତାକୁ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ । ଅନ୍ୟପଟେ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା କହିଛନ୍ତି, ନିଜ ଟେରିଟୋରି ତିଆରି କରୁଛନ୍ତି ଜିନତ୍ ଓ ଯମୁନା ।

ସେଥିପାଇଁ ସେମାନେ ଜଙ୍ଗଲରୁ ଜଙ୍ଗଲ ବୁଲୁଛନ୍ତି । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଶିମିଳିପାଳ ଛାଡି ଏବେ କୁଲଡିହା ଅଭୟାରଣ୍ୟରେ ରହିଛି ଯମୁନା । ଜିନତ୍ ଏବେ ବି ଝାଡଖଣ୍ଡରେ ଅଛି । ତେବେ ସେ ସାମାନ୍ୟ ଓଡିଶା ମୁହାଁ ହୋଇଛି । ସାଧାରଣତଃ ଭାବେ ମହାବଳ ଥରେ ପେଟ ପୂରାଇ ଖାଇଲେ ସପ୍ତାହେ ପର୍ଯ୍ୟନ୍ତ ଖାଦ୍ୟ ଦରକାର ହୋଇନଥାଏ । ସପ୍ତାହେ ଭିତରେ ଉଭୟ ଶିମିଳିପାଳ ଜଙ୍ଗଲକୁ ଆସିବା ନେଇ ଆଶା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ।

ଅଧିକ ପଢନ୍ତୁ: ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୨୫ରେ ଘଟିବ ଏହିସବୁ ଘଟଣା

ମହାବଳ ବଂଶ ବିସ୍ତାର ପାଇଁ ୪୫ ଦିନ ତଳେ ଶିମିଳିପାଳକୁ ଆସିଥିଲା ମରାଠା ବାଘୁଣୀ । କିଛି ଦିନ ସଫ୍ଟ ଏନକ୍ଲୋଜରରେ ରଖିବା ପରେ କୋରରେ ଛାଡ଼ିଥିଲା ବନ ବିଭାଗ, ୨୪ ଘଣ୍ଟା ଟ୍ରାକ୍ ବି କରୁଥିଲା । ପ୍ରଥମେ କିଛିଦିନ ଶିମିଳିପାଳ କୋରର ଅଳ୍ପ କିଛି ଅଞ୍ଚଳରେ ବୁଲୁଥିଲା ଜିନତ୍ । ହେଲେ କ’ଣ ହେଲା କେଜାଣି, ୪ ଦିନ ତଳେ ଅର୍ଥାତ୍ ଡିସେମ୍ବର ୧୦ରେ ହଠାତ୍ ଝାଡ଼ଖଣ୍ଡମୁହାଁ ହେଲା ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ।

ମୟୁରଭଞ୍ଜ ଜିଲ୍ଲା ବିଶୋୟୀ ଓ ବାଙ୍ଗିରିପୋଷି ଜଙ୍ଗଲ ଦେଇ ଝାଡ଼ଖଣ୍ଡକୁ ପଳାଇଲା । ଏବେ ଜାମସେଦପୁର ରେଞ୍ଜର ଚାକୁଳିଆ ଓ ରାଜାବସା ଅଞ୍ଚଳରେ ଘୁରି ବୁଲୁଛି ବାଘୁଣୀ । ଏ ଭିତରେ ୪ ଦିନ ବିତିଥିଲେ ବି ଫେରିବାର ନାଁ ଧରୁନି । ଏଭଳି ସ୍ଥିତିରେ ଜିନତ୍ ଫେରିବାକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ସମସ୍ତଙ୍କ ମନରେ ପ୍ରଶ୍ନ, ଶିମିଳିପାଳକୁ ଆଉ ଫେରିବ ତ’ ଜିନତ୍ ? କିଭଳି ହେବ ଜିନତ୍‌ର ଘରବାହୁଡ଼ା ?

ବାରିପଦା ଆରସିସିଏଫ୍ କହିଛନ୍ତି, ଜିନତ୍ ଏବେ ଶିମିଳିପାଳ ସୀମାରୁ ୩୫ କିଲୋମିଟର ଓ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂରରେ ରହିଛି । ସେ ଆଗକୁ ବଢ଼ୁନି । ଶିମିଳିପାଳ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଓଡ଼ିଶାର ବନ ବିଭାଗର ୧୫ ଜଣିଆ ଟିମ୍ ତା’ ଗତିବିଧିର ମନିଟରିଂ କରୁଛନ୍ତି । ଝାଡ଼ଖଣ୍ଡ ବନ ବିଭାଗର ଏକ ୧୫ ଜଣିଆ ଟିମ୍ ମଧ୍ୟ ସହାୟତା କରୁଛି ।

ଏପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଗତକାଲି ଜିନତ୍ ଦକ୍ଷିଣମୁହାଁ ହୋଇ ଶିମିଳିପାଳ ଦିଗରେ କିଛି ବାଟ ଅଗ୍ରସର ହୋଇଛି । ହେଲେ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ହିଁ ଅଛି । ଜିନତ୍ ଶରୀରରେ ରେଡିଓ କଲାର ଲାଗିଥିବାରୁ ସାଟେଲାଇଟ୍ ମାଧ୍ୟମରେ ତା’ର ସବୁ ଗତିବିଧିକୁ ଟ୍ରାକିଂ କରାଯାଉଛି । ତା’କୁ ଆପେ ଆପେ ଶିମିଳିପାଳ ଫେରାଇ ଅଣାଯିବାକୁ ଚେଷ୍ଟା କରାଯାଉଛି । ସେଥିରେ ସଫଳ ନ ହେଲେ, ଶେଷରେ ଟ୍ରାଙ୍କୁଲାଇଜ୍ ବିକଳ୍ପ ଆପଣାଯିବ ।

ଏବେ ପ୍ରଶ୍ନ, କାହିଁକି ଶିମିଳିପାଳ ଛାଡ଼ିଲା ତରୁଣୀ ଜିନତ୍ ? ପୂର୍ବତନ ପିସିସିଏଫଙ୍କ କହିବା କଥା, ଦୁଇ ତିନିଟି କାରଣ ଥାଇପାରେ । ହୁଏ ତ ତା’କୁ ଏଠାରେ ଉପଯୁକ୍ତ ଖାଦ୍ୟ ମିଳି ନ ଥିବ । ନଚେତ୍ ନିଜର ଇଲାକା ତିଆରି କରୁଥିବ କିମ୍ବା ସାଥୀ ଆଶାରେ ବି ଝାଡ଼ଖଣ୍ଡ ମୁହାଁ ହୋଇ ଥାଇପାରେ । ଏମିତି ବି ହୋଇ ଥାଇପାରେ, ସେ ଯାଉ ଯାଉ ଝାଡ଼ଖଣ୍ଡରେ ପହଞ୍ଚିଯାଇଛି ।

ତେବେ ସେ ପ୍ରଶ୍ନ ଉଠାଇଛନ୍ତି, ଯଦି ତା’କୁ ଟ୍ରାକ୍ କରାଯାଉଥିଲା, କାହିଁକି ଓଡ଼ିଶା ସୀମା ଛାଡ଼ିବା ପୂର୍ବରୁ ଶିମିଳିପାଳକୁ ଫେରାଇ ଅଣା ଗଲାନାହିଁ ? ସେହିପରି ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି, ଜିନତ୍ ଏବେ ନିଜର ପ୍ରଥମ ବାସସ୍ଥଳୀ ମହାରାଷ୍ଟ୍ର ଭଳି ସମତଳ ଅଞ୍ଚଳ ଥିବା ଝାଡ଼ଖଣ୍ଡରେ ପହଞ୍ଚିଛି । ଏଣୁ ତା’ର ଶିମିଳିପାଳ ଫେରିବା ଆଶା କ୍ଷୀଣ ।

ଅଧିକ ପଢନ୍ତୁ: ବିଷ୍ଣୁପଦ-ଚଞ୍ଚଲଙ୍କ ଲିଙ୍କ୍‌କୁ ନେଇ ଆସିଲା ବଡ଼ ଖବର: ଦିଲ୍ଲୀରେ ହାଜର ହେବେ IAS ବିଷ୍ଣୁପଦ !

OTV is now on Whatsapp

Join and get latest news update delivered to you via whatsapp

Join Now