Advertisment

Subhadra Scheme At Koraput: ବାଧକ ସାଜିଛି ଦ୍ବୈତ ଆଧାର କାର୍ଡ, କୋଟିଆ ପଞ୍ଚାୟତବାସୀଙ୍କୁ ମିଳୁନି ସୁଭଦ୍ରା ଟଙ୍କା !

ପର୍ଯ୍ୟାୟ ପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଉଛି। ହେଲେ ସୀମା ବିବାଦରେ ଫସିଥିବା ସୀମାନ୍ତ ଅଂଚଳ କୋରାପୁଟ ଜିଲ୍ଲା କୋଟିଆର ଅନେକ ମହିଳା କିନ୍ତୁ ଯୋଜନାରୁ ବଞ୍ଚିତ। ଯାଞ୍ଚ ବେଳେ କାଟ୍ ଖାଇଯାଇଛି ସେମାନଙ୍କ ଆବେଦନ। କାରଣ ସେମାନଙ୍କ ପାଖରେ ରହିଛି ଦୁଇ ଦୁଇଟି ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶାର ଆଧାର କାର୍ଡ। କେମିତି ହଟିବ ସମସ୍ୟା, ସେଥିପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ।

author-image
Deviprasad Jena
ଅଦ୍ୟତନ ହୋଇଛି
Subhadra Yojana At Koraput Odisha

Subhadra Yojana At Koraput

ହିତାଧିକାରୀଙ୍କ ଖାତାକୁ ପର୍ଯ୍ୟାୟ ପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରା ଟଙ୍କା ଯାଉଛି। କିନ୍ତୁ, ସୀମା ବିବାଦରେ ଫସିଥିବା ସୀମାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲା କୋଟିଆର ଅନେକ ମହିଳା ଯୋଜନାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କ ପାଖରେ ଦୁଇଟି ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶାର ଆଧାର କାର୍ଡ ରହିଥିବାରୁ ଯାଞ୍ଚ ବେଳେ କାଟ୍ ଖାଇଯାଇଛି ସେମାନଙ୍କ ଆବେଦନ । କେମିତି ହଟିବ ସମସ୍ୟା, ସେଥିପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ ।

Advertisment

ଫାଟୁସେନେରୀ ଓ ଉପର ଗଞ୍ଜେଇ ପଦର ଗାଁର ଅନେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ନମିଳିବାର କାରଣ, ସେମାନଙ୍କ ନାଁରେ ରହିଛି ଦୁଇ ଦୁଇଟି ରାଜ୍ୟ ଅର୍ଥାତ୍ ଓଡ଼ିଶା ଓ ଆନ୍ଧ୍ର ପଞ୍ଚାୟତ ନାଁ ଥିବା ଆଧାର କାର୍ଡ । ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ପାଇଁ ଏହି ପଞ୍ଚାୟତର ମହିଳାମାନେ ଆବେଦନ ତ କରୁଛନ୍ତି, ହେଲେ ଯାଞ୍ଚ ବେଳେ ନାଁ କଟିଯାଉଛି । ସୀମା ବିବାଦରେ ଛନ୍ଦି ହୋଇଥିବା ଏହି ସୀମାନ୍ତ ଗାଁର ମହିଳାମାନେ କିନ୍ତୁ ଟଙ୍କା ପାଇବାର ଆଶା ଛାଡ଼ିନାହାନ୍ତି ।

ଅପରପକ୍ଷରେ ଅଙ୍ଗନବାଡ଼ି କର୍ମୀ ଘର ଘରକୁ ଯାଇ ମହିଳାଙ୍କୁ ଗୋଟିଏ ଆଧାର କାର୍ଡ ରଖି ଅନ୍ୟଟି କାଟି ଦେବାକୁ ବୁଝାଉଛନ୍ତି । ସୂଚନା ଅନୁସାରେ କୋଟିଆ ପଞ୍ଚାୟତର ଉଭୟ ତଳ ଓ ଉପର ଗଞ୍ଜେଇପଦର ସହ ବର୍ଣ୍ଣାପାଡୁ, ମାଡକାର, ଫଗୁଣସିନେରୀ, ଫାଟୁ ସିନେରୀ ଏବଂ ଡୋଲିଆମ୍ବ ଭଳି ୨୬ଟି ଗାଁରେ ୨ ହଜାର ୨୫୫ଜଣ ସୁଭଦ୍ରା ଆଶାୟୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୫୮୫ ଜଣ ଆବେଦନ କରିଥିବା ବେଳେ ୧୧୦୦ ଜଣ ପ୍ରଥମ କିସ୍ତି ପାଇ ସାରିଲେଣି । ତଥାପି ଅନେକ ମହିଳା ଏଯାଏଁ ଆବେଦନ ମଧ୍ୟ କରିନାହାନ୍ତି । ଏହାର କାରଣ ଆନ୍ଧ୍ରର ଆଧାରକାର୍ଡ ଦ୍ବାରା ଓଡ଼ିଶାରେ ପଞ୍ଜୀକରଣ ହୋଇପାରୁନାହିଁ । ଏହାସହ ସେମାନେ ଆନ୍ଧ୍ର ଯୋଜନାରୁ ବଞ୍ଚିତ ହୋଇଯିବା ଡରରେ ସେଠିକାର ଆଧାର କାର୍ଡ କଟିଯାଉ ବୋଲି ବି ଚାହୁଁନାହାନ୍ତି ।

Advertisment

ଅଧିକ ପଢନ୍ତୁ: ଓଡ଼ିଆ ସିନେମା ଜଗତର ମାଇଲଖୁଣ୍ଟ ଭେଟେରାନ ଉତ୍ତମ ମହାନ୍ତି

ଏହାସତ୍ତ୍ବେ କୋଟିଆ ସଦର ଅଞ୍ଚଳରେ ୧୧ ଶହରୁ ଅଧିକ ମହିଳା ନାଁ ପଞ୍ଜୀକରଣ କରି ଟଙ୍କା ପାଇଥିବା ଜଣାପଡିଛି । ବାକି ଥିବା ମହିଳା କିପରି ଆବେଦନ କରିବେ ଓ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ । ତା'ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିଜେ କୋରାପୁଟ ଜିଲ୍ଲାପାଳ କୋଟିଆକୁ ଯିବା ସହ ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି କହିଛନ୍ତି । ଅପରପକ୍ଷରେ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବଣ୍ଟା ସରିଲାଣି ତଥାପି ସହାୟତା ମିଳିବାର ଆଶା ଛାଡ଼ିନାହାନ୍ତି କୋଟିଆ ପଞ୍ଚାୟତବାସୀ ।

ଅଧିକ ପଢନ୍ତୁ: ସାଙ୍ଘାତିକ ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ କାର୍ଡ ହାତେଇବା ପାଇଁ ରାସନ କାର୍ଡ ନେଇଥିଲେ ଅଯୋଗ୍ୟ ହିତାଧିକାରୀ

Odisha Koraput Subhadra
Advertisment
Advertisment