ନିରୀହ...ଛନ୍ଦ କପଟ କିଛି ଜାଣନ୍ତିନି । ଦୁଃଖ ଦାରିଦ୍ର୍ୟତା ଭିତରେ ନିଇତି ସରିଯାଏ ଦିନ । କେତେବେଳେ ସରକାରୀ ସୁବିଧା ପହଞ୍ଚେ ତ ପୁଣି କେତେବେଳେ ପହଞ୍ଚେନି କୌଣସି ସୁବିଧା । ରାଜ୍ୟରେ ନୂଆ ସରକର ଆସିବାର ପରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେଲା । ଆଉ ସେହି ଯୋଜନାରେ ମହିଳାଙ୍କୁ ଟଙ୍କା ମିଳିଲା । ହେଲେ ବଞ୍ଚିତ ହେଲେ ସୌରା ସମ୍ପ୍ରଦାୟ ଲୋକେ ।
ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ଶଗଡା ପଞ୍ଚାୟତରେ ବସବାସ କରନ୍ତି ଆଦିମ ଜନଜାତି ଲାଞ୍ଜିଆ ସୌରା ସମ୍ପ୍ରଦାୟ ଲୋକେ । ସେମିତି ଜଣେ ମହିଳା ଯତାରୀ ଶବର ପାହାଡ ଅଞ୍ଚଳରେ ଚାଷ କରି ଗୁଜୁରାଣ ମେଣ୍ଟାନ୍ତି । ଇଚ୍ଛା ଥିଲା ସୁଭଦ୍ରା ଟଙ୍କା ପାଇଲେ ସିଲେଇ ମେସିନଟିଏ କିଣି ସିଲେଇ କରି ପରିବାର ପ୍ରତିପୋଷଣ କରିବେ । ହେଲେ ଆଜି ଯାଏଁ ତାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନାହିଁ । ସେହିପରି ଅନ୍ୟ ଜଣେ ମହିଳା ହେଲେ ଜସ୍ମିନ ଶବର । ସେ ବି ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ । ହେଲେ ଆବେଦନ ଖାରଜ ହେବା ପରେ ପୁଣିଥରେ ଆବେଦନ କରିବାକୁ ବୁଲି ବୁଲି ନୟାନ୍ତ ହେଇଛନ୍ତି l
Also Read
ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...
ଗୁଣୁପୁର ଶିଶୁ ବିକାଶ ବିଭାଗର ତଥ୍ୟ ଅନୁସାରେ ମୋଟ ୭ଟି ପଞ୍ଚାୟତରେ ୫,୭୧୬ ଜଣ ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ୪,୯୮୩ଜଣ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଛି । ହେଲେ ଏବେ ବି ୭୩୩ ଜଣ ଗରିବ ମହିଳାଙ୍କ ଆବେଦନ ବିଭିନ୍ନ କାରଣରୁ ରିଜେକ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ କିପରି ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ନହେବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଗୁଣୁପୁର ସିଡିପିଓ ସୁଷମା ପ୍ରସାଦ କହିଛନ୍ତି ।
ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ଏହି ‘ସୁଭଦ୍ରା’ ଯୋଜନା । ହେଲେ ଏହି ଜନଜାତି ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ ।