Advertisment

SJTA Approves Panjika: ପଞ୍ଜିକାରେ ବିଭ୍ରାନ୍ତିକର ତଥ୍ୟ ଦେଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଆଜି ଶ୍ରୀମନ୍ଦିରରେ ପ୍ରଚଳିତ ବିଭିନ୍ନ ପର୍ବୋତ୍ସବର ତିଥି ଓ ତାରିଖକୁ ନେଇ ଓଡ଼ିଆ ପଞ୍ଜିକା ଗୁଡ଼ିକରେ ଯେପରି କୌଣସି ତ୍ରୁଟି କି ତାରତମ୍ୟ ନରହେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ପଞ୍ଜିକା ସମନ୍ୱୟ ବୈଠକ।

author-image
Manoranjan Sial
undefined

Panjika

ପଞ୍ଜିକାରେ ବିଭ୍ରାନ୍ତିକର ତଥ୍ୟ ଦେଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ। ଗୋଟିଏ ଦିନ ଓ ଗୋଟିଏ ତିଥିରେ ସମସ୍ତେ ପାଳନ୍ତୁ ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ। ଗୋଟିଏ ପର୍ବ ପାଇଁ ପାଞ୍ଜିରେ ନରହୁ ୨ଟି ଭିନ୍ନ ଭିନ୍ନ ତାରିଖ। ଖାସ୍ କରି ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବ ଓ ଉତ୍ସବ ଗୁଡ଼ିକରେ ଯେପରି କୌଣସି ଦ୍ୱନ୍ଦ୍ୱ ନରହେ, ସେଥିପାଇଁ ପଞ୍ଜିକାଗୁଡ଼ିକୁ ନିର୍ଭୁଲ୍ ଓ ତ୍ରୁଟିଶୂନ୍ୟ କରିବାକୁ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଜିକା ସମନ୍ୱୟ ବୈଠକରେ ୫ଟି ପାଞ୍ଜିକୁ ମିଳିଛି ସ୍ୱୀକୃତି।

Advertisment

ଆଜି ଶ୍ରୀମନ୍ଦିରରେ ପ୍ରଚଳିତ ବିଭିନ୍ନ ପର୍ବୋତ୍ସବର ତିଥି ଓ ତାରିଖକୁ ନେଇ ଓଡ଼ିଆ ପଞ୍ଜିକା ଗୁଡ଼ିକରେ ଯେପରି କୌଣସି ତ୍ରୁଟି କି ତାରତମ୍ୟ ନରହେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ପଞ୍ଜିକା ସମନ୍ୱୟ ବୈଠକ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ମିଳିଛି ସ୍ୱୀକୃତି। ସେଗୁଡ଼ିକ ହେଲା ଶ୍ରୀ ରାଧାରମଣ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକା, ଓଡ଼ିଶା କୋହିନୂର ପ୍ରେସ୍ ପଞ୍ଜିକା, ଅରୁଣୋଦୟ ପ୍ରେସ୍ ଖଡ଼ିରତ୍ନ ପଞ୍ଜିକା, ଜି.ଏନ୍. ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା ଏବଂ ଭାଗ୍ୟଦୀପ ପଞ୍ଜିକା। ଏହି ୫ଟି ପାଞ୍ଜିର ପଞ୍ଜିକାର ଓ ପ୍ରକାଶକମାନେ ନିଜର ପାଣ୍ଡୁଲିପି ଦାଖଲ କରିବା ସହ ଶ୍ରୀମନ୍ଦିରରେ ପ୍ରଚଳିତ ନୀତିକାନ୍ତିରେ ସମନ୍ୱୟ ରଖିବାକୁ ସହମତି ପ୍ରକାଶ କରିଥିଲେ। ଏଥିରେ କୌଣସି ତ୍ରୁଟି ରହିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିରର ନୀତିକାନ୍ତି ପାଇଁ ମୁକ୍ତି ମଣ୍ଡପ ଅନୁମୋଦିତ ପଞ୍ଜିକାକୁ ଗ୍ରହଣ କରାଯାଏ। ତେଣୁ କ୍ୟାଲେଣ୍ଡର ବଦଳରେ ଏହି ୫ଟି ପଞ୍ଜିକାକୁ ଶ୍ରୀମନ୍ଦିର ନୀତିକାନ୍ତି ସମ୍ପର୍କରେ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ପୂଜାପଣ୍ଡା ସେବାୟତ।

ଅଧିକ ପଢ଼ନ୍ତୁ: ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି

ପଣା ସଂକ୍ରାନ୍ତିରୁ ଦୀପାବଳି, ବିଜୟା ଦଶମୀରୁ ବସନ୍ତ ପଞ୍ଚମୀ। ଚଳିତ ବର୍ଷ ଭିନ୍ନ ଭିନ୍ନ ପଞ୍ଜିକାରେ ଏସବୁର ଭିନ୍ନ ଭିନ୍ନ ତାରିଖକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। କେତେକ ପାଞ୍ଜିରେ ତିଥି ଓ ତାରିଖ ତାଳମେଳ ରହୁନଥିବାରୁ ସାଧାରଣରେ ପ୍ରକାଶ ପାଇଥିଲା ଅସନ୍ତୋଷ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫-୨୬ ବର୍ଷର ସମସ୍ତ ପଞ୍ଜିକାରେ ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବପର୍ବାଣୀ ସମ୍ପର୍କିତ ତଥ୍ୟରେ ସମନ୍ୱୟ ରଖିବାକୁ ଅନୁରୋଧ କରାଯାଇଛି। ଅନୁମୋଦିତ ଚିଠା ଅନୁସାରେ ପଞ୍ଜିକାରେ ସଂଶୋଧନ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।

Advertisment

ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ଦୀପାବଳି ଅମାବାସ୍ୟା ଓ ପୟାଶ୍ରାଦ୍ଧକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେବାର ଆଶଙ୍କା ଥିବାରୁ ଘରେ ଏହାକୁ କେବେ ପାଳନ କରାଯିବ ଏବଂ ମନ୍ଦିରରେ କେବେ ପାଳିତ ହେବ, ତାହା ପଞ୍ଜିକାରେ ସ୍ପଷ୍ଟ କରିବାକୁ କୁହାଯାଇଛି। ହ୍ୟୁମାନ୍‌ ଏରର୍‌ ବା ମାନବକୃତ ତ୍ରୁଟିରେ ସୁଧାର ଆଣିବା ଉପରେ ମଧ୍ୟ ଦିଆଯାଇଛି ଗୁରୁତ୍ୱ। ସରକାରୀ କ୍ୟାଲେଣ୍ଡରରେ ଥିବା ତ୍ରୁଟିକୁ ପଞ୍ଜିକା ଅନୁସାରେ ସଂଶୋଧନର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫ଟି ପଞ୍ଜିକା ପକ୍ଷରୁ ପାଣ୍ଡୁଲିପି ଦାଖଲ ହୋଇଥିବା ବେଳେ, ରାଜ୍ୟରେ ପ୍ରଚଳିତ ଅନ୍ୟ ୩ ପଞ୍ଜିକା ଏଥିରେ ଯୋଗ ଦେଇନଥିଲେ।

ଅଧିକ ପଢ଼ନ୍ତୁ: କଥା ଦେଇ କଥା ରଖିଲେ ମନ୍ତ୍ରୀ, ଲୋକଙ୍କୁ ନେଲେ ପ୍ରୟାଗରାଜ

Puri Panjika
Advertisment
Advertisment