• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍‌ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ । ୪୬ ଘଣ୍ଟାର ଯାତ୍ରାପରେ ବି ସଫ୍ଟ ଏନ୍‌କ୍ଲୋଜରରେ ଚଳଚଞ୍ଚଳ ଅଛି ୩ ବର୍ଷୀୟା ବାଘୁଣୀ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଓ ଶିମିଳିପାଳ ପରିବେଶ ଏକା ପ୍ରକାର ଥିବାରୁ ନୂଆ ବାଘୁଣୀର ରହିବା ପାଇଁ ସମସ୍ୟା ହେବନି । ତେବେ ଦୁଇ ବାଘୁଣୀ ଗାଁମୁହାଁ ହେବାର ଆଶଙ୍କା ଥିବାରୁ ମନିଟରିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

ମରାଠା ବାଘୁଣୀ ଜିନତର ନୂଆ ଠିକଣା ଏବେ ଶିମିଳିପାଳ । ଯମୁନା ଆସିବାର ଦୁଇ ସପ୍ତାହ ପରେ ଆସିଛି ଜିନତ । ଚହଲାସ୍ଥିତ ଏନ୍‌କ୍ଲୋଜର ଏବେ ତା’ର ଅସ୍ଥାୟୀ ବାସସ୍ଥଳୀ । ୯୦୦ କିଲୋମିଟର ଦୂର ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସି ଗତକାଲି ସନ୍ଧ୍ୟାରେ ଶିମିଳିପାଳ ପହଞ୍ଚିଥିଲା ୩ ବର୍ଷୀୟା ବାଘୁଣୀ । ଆଜି ସକାଳ ସାଢ଼େ ୯ଟା ବେଳକୁ ତାକୁ ସଫ୍ଟ ଏନ୍‌କ୍ଲୋଜରକୁ ଛଡ଼ାଯାଇଥିଲା ।

ଦୀର୍ଘ ୪୬ ଘଣ୍ଟା ଯାତ୍ରା କରି ଆସିଥିଲେ ବି ସେତେଟା କ୍ଳାନ୍ତ ନ ଥିଲା ଜିନତ୍ । ଏନ୍‌କ୍ଲୋଜର ଗେଟରେ ପଶୁ ପଶୁ ଇଆଡ଼େ ସିଆଡ଼େ ଚାହିଁଲା, ଭିତରକୁ ଚାଲିଗଲା । ନୂଆ ପରିବେଶରେ ଖାପ ଖୁଆଇବାକୁ କସରତ୍ କରୁଛି ବାଘୁଣୀ ଜିନତ୍ । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଯମୁନା ପରି ଜିନତକୁ ବି ପ୍ରଥମେ ସଫ୍ଟ ଏନ୍‌କ୍ଲୋଜରରେ ଛଡ଼ାଯାଇଛି । ଏହା ପୂର୍ବରୁ ତା’ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଆଉ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ଅଧିକ ପଢ଼ନ୍ତୁ: ମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

ଯେହେତୁ ମହାରାଷ୍ଟ୍ରରେ ତା’ର ନାଁ ଜିନତ୍ ଥିଲା, ଶିମିଳିପାଳରେ ବି ସେଇ ସମାନ ନାଁରେ ପରିଚିତ ହେବ ଏଇ ବାଘୁଣୀ । ସଫ୍ଟ ଏନକ୍ଲୋଜରରେ ଚାପମୁକ୍ତ ହୋଇ ଦୁଇଟି ଶିକାର କରି ପରିବେଶ ସହ ଖାପ ଖୁଆଇବା ପରେ ଜିନତକୁ ଉତ୍ତର ଶିମିଳିପାଳ କୋରକୁ ଛଡ଼ାଯିବ । ଅକ୍ଟୋବର ୨୮ରେ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଥିବା ଅଢ଼େଇ ବର୍ଷୀୟା ମରାଠା ବାଘୁଣୀ ଯମୁନା ଦୁଇଟି ଶିକାର କରିବା ପରେ ତା’କୁ ନିକଟରେ ଦକ୍ଷିଣ ଶିମିଳିପାଳର କୋରକୁ ଛଡ଼ାଯାଇଥିଲା ।

ଏବେ ସେ ସେଠି ମୁକ୍ତ ବିଚରଣ କରୁଛି । ତେବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ଶିମିଳିପାଳରେ ଜିନ୍‌ଗତ ସମସ୍ୟା କାରଣରୁ କଳାବାଘ ଜନ୍ମ ନେଉଥିବାରୁ ଏଥିରେ ରୋକ୍ ଲଗାଇବାକୁ ବନ ବିଭାଗର ପ୍ରୟାସ ପ୍ରଶଂସାଯୋଗ୍ୟ । ଯେହେତୁ ତଡ଼ବା ଅନ୍ଧେରୀ ଓ ଶିମିଳିପାଳର ଜଙ୍ଗଲ ପରିବେଶ ଓ ପ୍ରେ ବେସ୍ ଏକାପ୍ରକାର, ଉଭୟ ବାଘୁଣୀଙ୍କ ପାଇଁ ଏଠି କୌଣସି ସମସ୍ୟା ହେବନି ।

ତେବେ ଯେତେବେଳେ ନୂଆ ମହାବଳକୁ କୌଣସି ଜଙ୍ଗଲରେ ଛଡ଼ାଯାଏ, ସେମାନେ ପୂରା ଜଙ୍ଗଲ ବୁଲିଥାନ୍ତି । ବଫର ଏରିଆ ଓ ଗାଁ ଭିତରକୁ ପଶିବାର ଆଶଙ୍କା ଥାଏ । ଅନ୍ୟ ମହାବଳ ସହ ସଂଘର୍ଷ ବି ହୋଇଥାଏ । ତେଣୁ ଉଭୟ ବାଘୁଣୀଙ୍କ ମନିଟରିଂ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ମହାରାଷ୍ଟ୍ରରୁ ଦୁଇ ଦୁଇଟି ବାଘୁଣୀ ଆସିବା ପରେ ଆଗକୁ ଶିମିଳିପାଳରେ ଜିନ୍‌ଗତ ବିବିଧତା କେତେ ବଢ଼ୁଛି ଓ ବାଘ ବଂଶ ବୃଦ୍ଧିରେ ଏହା କେତେ ସହାୟକ ହେଉଛି, ତା’କୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ: ଚାଲିଛି ନିର୍ବାଚନ: ଗାଡ଼ି ଟାୟାର ଭିତରୁ ମିଳିଲା ପୁଳା ପୁଳା ଟଙ୍କା; ଦେଖନ୍ତୁ ଭିଡ଼ିଓ...

OTV is now on Whatsapp

Join and get latest news update delivered to you via whatsapp

Join Now