• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

କାର୍ତ୍ତିକ ପୂର୍ଣ୍ଣିମାରେ ଯୁଦ୍ଧର ଦେବତା ଓ ଦେବତା ମାନଙ୍କର ସେନାପତି କାର୍ତ୍ତିକେୟଙ୍କ ଜନ୍ମ। ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ପୁତ୍ର ଭାବରେ ଆମେ ତାଙ୍କୁ ଜାଣିଛନ୍ତି। ଆମ ପୁରାଣ ସାହିତ୍ୟରେ କାର୍ତ୍ତିକେୟଙ୍କର କିନ୍ତୁ ଆହୁରି ଅନେକ ନାଁ ଅଛି। ତାଙ୍କୁ କେଉଁଠି କାର୍ତ୍ତିକେୟ ତ କେଉଁଠି ସ୍କନ୍ଦ, କେଉଁଠି ହରପୁତ୍ର, ଗାଙ୍ଗେୟ, ବାୟୁପୁତ୍ର, ଅଗ୍ନିପୁତ୍ର ଅବା କେଉଁଠି ଷଡ଼ାନନ ମଧ୍ୟ କୁହାଯାଇଛି। ଆଉ ଏଇ ନାଁ ପଛରେ ରହିଛି ଅନେକ କିମ୍ବଦନ୍ତୀ।

ପ୍ରାଚୀନ ଆଖ୍ୟାନ କଥାରେ ଅଛି ଯେ, ଥରେ ଋଷିମାନେ ଯଜ୍ଞ କରୁଥିବା ସମୟରେ ଅଗ୍ନି ଦେବ ହବ୍ୟ ଗ୍ରହଣ କରିବାକୁ ଆସି ଆଉ ସ୍ୱସ୍ଥାନକୁ ଫେରିଲେ ନାହିଁ । ଋଷିପତ୍ନୀମାନଙ୍କ ପ୍ରତି ଆକର୍ଷିତ ହୋଇ ସେଇଠି ରହିଲେ । ଦକ୍ଷକନ୍ୟା ସ୍ୱାହା ତାଙ୍କ ପ୍ରତି ଆକର୍ଷିତ ହେଲେ ଓ ସ୍ୱୟଂ ଛଅ ଜଣ ଋଷିପତ୍ନୀଙ୍କ ବେଶ ଧରି ଛଅ ଥର ଅଗ୍ନିଙ୍କ ସହିତ ମିଳିତ ହେଲେ ।

ପ୍ରତ୍ୟେକ ଥର ମିଳନ ପରେ ଅଗ୍ନିଙ୍କ ସ୍ଖଳିତ ବୀର୍ଯ୍ୟକୁ ହସ୍ତରେ ଧାରଣ କରି ସ୍ୱାହା ଗରୁଡ଼ି ରୂପରେ ଯାଇ ଶ୍ୱେତ ପର୍ବତର ସ୍ୱର୍ଣ୍ଣକୁଣ୍ଡରେ ନିକ୍ଷେପ କରୁଥିଲେ । ସେଇଠି ଏହି ରେତର ମହାତେଜ ଏକତ୍ରିତ ହୋଇ ସ୍କନ୍ଦ ରୂପ ପାଇଲେ । ତାଙ୍କର ଛଅଟି ମସ୍ତିଷ୍କ, ବାରଟି କରି କର୍ଣ୍ଣ, ଚକ୍ଷୁ, ବାହୁ, ଏବଂ ଗୋଟିଏ ଗ୍ରୀବା ଓ ଗୋଟିଏ ଜଠର ଥିଲା । ରକ୍ତିମ ବର୍ଣ୍ଣର ମେଘରେ ନବୋଦିତ ସୂର୍ଯ୍ୟପରି କୁମାର ଜଣକ ଶୋଭା ପାଉଥାନ୍ତି । ମାତ୍ର ଛଅଦିନ ମଧ୍ୟରେ ସେ ତେଜିୟାନ ହୋଇଉଠିଲେ ଓ ଦେବ ସେନାପତି ରୂପେ କାର୍ଯ୍ୟଭାର ଗ୍ରହଣ କଲେ । ତାଙ୍କର ଏହି ଜନ୍ମଦିନ ପରେ ଭାରତୀୟ ସଂସ୍କୃତିରେ ଏକ ପ୍ରମୁଖ ପର୍ବରେ ପରିଣତ ହୋଇଛି ।

how did the 6 day old baby Kartikeya become the captain of the godsମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

ମହାଭାରତରେ ମାର୍ଗଶୀର ଶୁକ୍ଳ ପ୍ରତିପଦରେ କୁମାରଙ୍କର ଜନ୍ମ ଓ ଶୁକ୍ଳ ପକ୍ଷ ପଞ୍ଚମୀ ଯୁକ୍ତ ଦିନରେ ତାଙ୍କର ସେନାପତି ହେବା କଥା ବର୍ଣ୍ଣନା କରାଯାଇଛି । ପରେ ଯର୍ଜୁବେଦର ଋଷିଗଣ କୃତ୍ତିକା କ୍ଷେତ୍ରକୁ ପ୍ରଥମ ସ୍ଥାନ ଦେଇ ବୈଶାଖ ପୂର୍ଣ୍ଣିମା ଓ କାର୍ତ୍ତିକ ପୂର୍ଣ୍ଣିମାକୁ ବାସନ୍ତ ଓ ଶାରଦ ବିଷୁବ ରୂପେ ସ୍ୱୀକାର କରିବାରୁ ତିଥି ସବୁ ପରିବର୍ତ୍ତିତ ହୋଇଛି ।

ଅନ୍ୟ ଏକ ଆଖ୍ୟାନ କଥା ଅନୁସାରେ, ତାରକାସୁର ନାମରେ ଏକ ଅସୁର ଦୈବୀକୃପାରୁ ବଳିୟାନ ହୋଇ ଦେବତା ଓ ଋଷି ମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିଲା। ତାରକାସୁର ନିଧନ ଓ ଅସୁରମାନଙ୍କୁ ଯୁଦ୍ଧରେ ଜିଣିବା ଲାଗି ଦେବତାମାନଙ୍କର ଜଣେ ଦକ୍ଷ ସେନାପତିର ଆବଶ୍ୟକତା ଥାଏ। ଦକ୍ଷ ସେନାପତି ତ ମିଳିଯାଇଥାନ୍ତେ, କିନ୍ତୁ ତାରକାସୁରକୁ ମାରିବା ପାଇଁ ଯେମିତିକା ଜଣେ ଯୋଦ୍ଧାର ଆବଶ୍ୟକତା ଥିଲା, ସେମିତି ଜଣେ ଉପଯୁକ୍ତ ଯୋଦ୍ଧାଙ୍କୁ ଶିବ ମହାଦେବଙ୍କ ଆଶୀର୍ବାଦ ବିନା ପାଇବା ଅସମ୍ଭବ ଥିଲା। କାରଣ ବ୍ରହ୍ମାଙ୍କଠାରୁ ତାରକାସୁର ବର ପାଇଥିଲା ଯେ ତାକୁ ମାତ୍ର ଛଅ ଦିନ ବୟସର ଜଣେ ଯୋଦ୍ଧା ହିଁ ମାରିପାରିବ।

ଏମିତି ଜଣେ ଯୋଦ୍ଧାକୁ ଜନ୍ମ କରିବା କେବଳ ଶିବ ଶଙ୍କରଙ୍କ ପକ୍ଷରେ ହିଁ ସମ୍ଭବ। ସେତେବେଳକୁ ମହାଦେବ ଶହେ ବର୍ଷ ଧରି ପାର୍ବତୀଙ୍କ ସହ ଅସରନ୍ତି ରତିରେ ମଗ୍ନ ଥାଆନ୍ତି। ଫଳରେ ଶଙ୍କରଙ୍କ ବୀର୍ଯ୍ୟ ଉମାଙ୍କ ସହ ଶହେ ବର୍ଷ ଧରି ରତିରେ ଲିପ୍ତ ରହି ଅମାପ ତପ ଓ ଶକ୍ତିରେ ଶକ୍ତିମନ୍ତ ହୋଇସାରିଥାଏ। ଶିବ କିନ୍ତୁ ସନ୍ୟାସୀ ହୋଇଥିବାରୁ ସନ୍ତାନ ଜନ୍ମ ପ୍ରତି ଧ୍ୟାନ ଦେଉନଥାନ୍ତି। ଦେବତାମାନେ ତାଙ୍କୁ ଅନେକ ଉପାୟରେ ନିଜ ପ୍ରାର୍ଥନା ଶୁଣାଇବାର ପ୍ରଚେଷ୍ଠା କଲେ। ଶେଷରେ କୌଣସି ଉପାୟ ସଫଳ ନହେବାରୁ ତାଙ୍କର ରତି ଭଙ୍ଗ କରିବାକୁ ନିଷ୍ପତ୍ତି କଲେ। ଏମିତି ଏକ ମୁହୂର୍ତ୍ତରେ ଲଜ୍ଜାରେ ଉମା ବୁଲି ପଡ଼ିବାରୁ ଶିବଙ୍କର ରେତ ନିର୍ଗତ ହେଲା ଓ ତାକୁ ଅଗ୍ନି ଦେବ ତୁରନ୍ତ ନିଜ ଶିଖାରେ ଧରିନେଲେ। କିନ୍ତୁ ଏହାର ତେଜ ଏତେ ଅଧିକ ଥିଲା ଯେ ତାକୁ ସେ ବେଶୀ ସମୟ ଧରି ରଖି ପାରିଲେ ନାହିଁ। ସେ ଏହାର ତେଜ କମ୍ କରିବାକୁ ବାୟୁ ଦେବଙ୍କୁ ଦେଲେ। ସେ ମଧ୍ୟ ଏଥିରେ ସଫଳ ନହେବାରୁ ଗଙ୍ଗାଙ୍କୁ ଅନୁରୋଧ କରି ଗଙ୍ଗା ନଦୀର ବରଫ ଜଳ ମଧ୍ୟରେ ପ୍ରବେଶ କଲେ।

how did the 6 day old baby Kartikeya become the captain of the godsମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

ରେତର ତେଜରେ ବରଫ ପ୍ରାୟ ଗଙ୍ଗା ନଦୀର ଜଳ ମଧ୍ୟ ଗବଗବ ହୋଇ ଫୁଟିବାକୁ ଲାଗିଲା। ଠିକ୍ ସେହି ସମୟରେ ଛଅଜଣ ବନକନ୍ୟା ନଦୀରେ ସ୍ନାନ କରିବାକୁ ଆସିଥିଲେ । ଏବଂ ଏହି ରେତରୁ ସେଇ ଛଅ ଜଣଙ୍କର ଗର୍ଭସଞ୍ଚାର ହେଲା। ଏହି ଛଅ ଜଣ ହେଉଛନ୍ତି ଷଡ଼କୃତ୍ତିକା। କୁହାଯାଏ, ଆମର ଯେଉଁ ସପ୍ତର୍ଷୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଛଅ ଜଣ ଋଷିଙ୍କର ପତ୍ନୀ ଥିଲେ ଏମାନେ। ଏମିତି କେମିତି କାହା ଠାରୁ ଗର୍ଭ ଧାରଣ କଲେ ବୋଲି ଛଅ ଋଷି ସେମାନଙ୍କୁ ଅସତୀ ବୋଲି ଘୋଷଣା କଲେ। କୃତ୍ତିକାମାନେ ତେଣୁ ଲଜ୍ଜା ଭାରରେ ଶରବଣରେ ଗର୍ଭତ୍ୟାଗ କରି ଚାଲିଗଲେ। ରୂପ ପାଇ ନଥିବା ସେଇ ଦୈବୀ ଭୃଣ, ଭୂମି ଛୁଇବା ପୂର୍ବରୁ ପୁରା ଜଙ୍ଗଲରେ ନିଆଁ ଲାଗିଗଲା।

ସେଇ ଭୀଷଣ ଅଗ୍ନିରେ ଛଅ ଭ୍ରୁଣ ଏକତ୍ରିତ ହୋଇ ଗୋଟିଏ ରୂପ ନେଲେ ଓ ଜନ୍ମ ନେଲେ ଦିବ୍ୟ ରୂପକାନ୍ତିମନ୍ତ ଜଣେ କୁମାର। ଲଜ୍ଜାର କାରଣ ହୋଇଥିବାରୁ ସିନା କୃତ୍ତିକାମାନେ ତାଙ୍କୁ ପରିତ୍ୟାଗ କରି ଚାଲିଯାଇଥିଲେ। ହେଲେ ମାଆର ମମତାରେ ଟାଣି ହୋଇଆସିଲେ ଶିଶୁଟିର ପାଖକୁ। ଆସିବା ବେଳକୁ ଆପେ ଆପେ ସେମାଙ୍କ ବକ୍ଷରୁ କ୍ଷୀର ନିର୍ଗତ ହେଲା ଓ ସେମାନେ ବାତ୍ସଲ୍ୟ ମମତାରେ ଶିଶୁଟିର ଲାଳନପାଳନ କଲେ। ଶିଶୁଟିର ନାଁ ଦେଲେ କାର୍ତ୍ତିକେୟ। କୃର୍ତ୍ତିକାଙ୍କ ପୁତ୍ର ବୋଲି କାର୍ତ୍ତିକେୟ। ଏପଟେ ଷଡ଼ ମୂଖ ଥିବାରୁ ତାଙ୍କର ନାଁ ରହିଲା ଷଡ଼ାନନ। ଗର୍ଭସ୍ରାବରୁ ନିର୍ଗତ ହୋଇଥିବାରୁ ଦେବତାମାନେ ତାଙ୍କ ନାଁ ଦେଲେ ସ୍କନ୍ଦ।

ଏହି ବଳଶାଳୀ, ପରାକ୍ରମୀ ସନ୍ତାନ ଜଣଙ୍କ ଜନ୍ମଲାଭ କରିଥିଲେ ଶିବଙ୍କ ରେତରୁ, ଉମାଙ୍କ ସାହଚର୍ଯ୍ୟରୁ, ବୃଦ୍ଧି ପାଇଥିଲେ ଅଗ୍ନି, ବାୟୁ, ଗଙ୍ଗା ସହଯୋଗରେ ଓ ଶରବଣରେ, ଏବଂ ଷଡ଼କୃତ୍ତିକାଙ୍କ ଦ୍ୱାରା ପାଳିତ ହୋଇଥିଲେ । ମାତ୍ର ଛଅ ଦିନରେ ସେ ଏତେ ଶକ୍ତିଶାଳୀ ହୋଇଥିଲେ ଯେ ସପ୍ତମ ଦିନରେ ଦେବ ସେନାପତି ଭାବରେ ଅଭିଷିକ୍ତ ହେଲେ । ଦେବତାଙ୍କ ପକ୍ଷରୁ ଯୁଦ୍ଧ କରି ସେ ତାରକାସୁର ଉପରେ ବିଜୟଲାଭ ତ କଲେ, ତା ଛଡା ଅନେକ ଦୈତ୍ୟଙ୍କୁ ବଧ କରି ଦେବ-ଦାନବଙ୍କ ଯୁଦ୍ଧରେ ଜୟଯୁକ୍ତ ହେଲେ ।

ମହାଭାରତର ବନପର୍ବର ୨୨୨ ରୁ ୨୩୨ ଅଧ୍ୟୟରେ, ରାମାୟଣର ବାଳକାଣ୍ଡର ୩୬-୩୭ ଅଧ୍ୟାୟରେ, କାଳିଦାସଙ୍କ କୁମାରସମ୍ଭବମ୍ କାବ୍ୟରେ, ପଦ୍ମ ପୁରାଣର ସୃଷ୍ଟି ଖଣ୍ଡରେ, କାଳିକା ପୁରାଣ, ବାମନ ପୁରାଣ, ଶିବ ପୁରାଣ, ସ୍କନ୍ଦ ପୁରାଣ ଓ ବ୍ରହ୍ମ ପୁରାଣରେ କାର୍ତ୍ତିକେୟଙ୍କର ଜନ୍ମ ବୃତ୍ତାନ୍ତ ରହିଛି । ପ୍ରତି ଆଖ୍ୟାନରେ କିଛିଟା ସାମ୍ୟ ରହିଥିଲେ ବି ଅନେକ କଥା ଅଲଗା ରହିଛି ।

ଭାରତର ଅନ୍ୟତମ ଶୈବପୀଠ ଭାବରେ ଖ୍ୟାତ ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱରରେ ଛୋଟ ବଡ଼ କରି ଅନେକ ଶିବ ମନ୍ଦିର ରହିଛି । ସେ ମନ୍ଦିର ମାନଙ୍କରେ ଅନ୍ୟତମ ପାର୍ଶ୍ବ ଦେବତା ଭାବରେ କାର୍ତ୍ତିକେୟଙ୍କର ଅନେକ ମନୋରମ ମୂର୍ତ୍ତିସବୁ ରହିଛି ।

ଓଡିଶାରେ ପ୍ରଚଳିତ କାହାଣୀ ଅନୁସାରେ କାର୍ତ୍ତିକେୟ ଯୁଦ୍ଧ, ସୃଷ୍ଟି, ଧନ ଓ ଜ୍ଞାନର ଦେବତା । ଆମର ଏଠାରେ କାର୍ତ୍ତିକ ପୂର୍ଣ୍ଣମୀକୁ ରାସ ପୂର୍ଣ୍ଣମୀ ମଧ୍ୟ କୁହାଯାଏ । ଓଡ଼ିଶାର ପାରମ୍ପରିକ ଲୋକ ବିଶ୍ୱାସ ଓ ଚଳଣୀରେ କାର୍ତ୍ତିକ ମାସକୁ ପବିତ୍ର ଧାର୍ମିକ ମାସର ମାନ୍ୟତା ଦିଆଯାଇଛି । ପୂର୍ଣ୍ଣମୀ ପୂର୍ବ ପାଞ୍ଚଦିନକୁ ପଞ୍ଚକ ପର୍ବ ବା ମହାପଞ୍ଚକ କୁହାଯାଏ ।

how did the 6 day old baby Kartikeya become the captain of the godsମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

କାର୍ତ୍ତିକ ପୂର୍ଣ୍ଣମୀର ସକାଳୁ ଓଡ଼ିଆ ଲୋକେ କଦଳୀ ପାଟୁକାରେ ଡଙ୍ଗା ତିଆରି କରି ନଦୀ ଓ ଜଳାଶୟରେ ଭସେଇଥାନ୍ତି । ଡଙ୍ଗାରେ ଦୀପ ପାନ ଗୁଆ ଥୋଇ ଭସେଇଲା ବେଳେ କୁହନ୍ତି,

"ଆ-କା-ମା-ବୈ, ପାନ ଗୁଆ ଥୋଇ

ପାନ ଗୁଆ ତୋର, ମାସକ ଧରମ ମୋର ।"

ଆଷାଢ, କାର୍ତ୍ତିକ, ମାଘ ଓ ବୈଶାଖ ମାସକୁ ସୂର୍ଯ୍ୟଙ୍କର ଅୟନାନ୍ତ କାଳ ବୋଲି କୁହାଯାଏ। ଏହି ସମୟରେ ଦେବାଦେବୀଙ୍କ ଉପାସନା କରାଯାଏ । ତେଣୁ ଏହି ଧର୍ମୀୟ ଚାରି ମାସର ମୂଳ ଅକ୍ଷରକୁ ନେଇ ଏପରି ଏକ ପଂକ୍ତିର ରଚନା କରାଯାଇଥାଇପାରେ।

ଓଡିଶାର ଅତୀତ ସହିତ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ନିବିଡ଼ ସମ୍ପର୍କ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟୁଷରୁ କଳିଙ୍ଗର ସାଧବ ପୁଅମାନେ ବୋଇତ ଧରି ବଣିଜ କରିବାକୁ ବିଦେଶ ଯାତ୍ରା କରୁଥିଲେ। ତାରି ସ୍ମୃତିରେ ଆରମ୍ଭ ହୋଇଛି ଆଜିର ପ୍ରସିଦ୍ଧ ବାଲିଯାତ୍ରା। ଏହାଛଡା ଅନ୍ୟ ଏକ ମତ ଅନୁସାରେ, ଶ୍ରୀଚୈତନ୍ୟ ଆଜିର ଦିନରେ କଟକର ଗଡଗଡିଆ ଘାଟରୁ ପୁରୀ ଅଭିମୂଖେ ଯାତ୍ରା ଆରମ୍ଭ କରିଥିଲେ। କାର୍ତ୍ତିକ ମାସରେ ଆଉ ଏକ ବିଧି ମଧ୍ୟ ଓଡିଶାରେ ପାଳନ କରାଯାଏ। ଏହି ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥିବାରୁ ପୂର୍ବପୁରୁଷଙ୍କ ପାଇଁ ପ୍ରତି ଘରେ ଚଉଁରା ପାଖରେ ଗୋଟିଏ ଡେଙ୍ଗା ବାଉଁଶ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ୱଳିତ କରି ରଖାଯାଏ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now