• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

୨୪ ବର୍ଷ ଧରି ରାଜ୍ୟରେ ଏକ ସ୍ଥିର ସରକାର ଥିଲା, ତଥାପି ସୁଧୁରିଲାନି ଓଡ଼ିଆ ପରିବାରର ସର୍ବନିମ୍ନ ବ୍ୟୟ କରିବାର କ୍ଷମତା। ମାସିକ ହାରାହାରି ଖର୍ଚ୍ଚରେ ଗ୍ରାମୀଣ ପରିବାରଙ୍କ ବ୍ୟୟ ରିପୋର୍ଟରେ ଓଡ଼ିଶା ଦେଶରେ ତଳଆଡ଼ୁ ତୃତୀୟ। ଗାଁରେ ରହୁଥିବା କୌଣସି ୪ରୁ ୫ ଜଣିଆ ସଦସ୍ୟ ପରିବାରର ଦିନକୁ ଖର୍ଚ୍ଚ ମାତ୍ର ୧୧୨ ଟଙ୍କାରେ ସୀମିତ। ସହରାଞ୍ଚଳରେ ବି ସମାନ ସ୍ଥିତି। ଯାହାକୁ ନେଇ ଅର୍ଥନୀତି ବିଷାରଦ ଚିନ୍ତା ପ୍ରକଟ କରିଥିବାବେଳେ, ବିଜେପିର ଡବଲ ଇଞ୍ଜିନ ସରକାର ଥିବାରୁ ଆଗକୁ ସ୍ଥିତି ସୁଧୁରିବା ଆଶା ରଖିଛନ୍ତି।

ଗାଁ ଗହଳିରେ ପାରିବାରିକ ବ୍ୟୟରେ ଓଡ଼ିଶା ଦେଶରେ ତଳଆଡ଼ୁ ତୃତୀୟ। ଗ୍ରାମୀଣ ପରିବାରର ମାସିକ ହାରାହାରି ଖର୍ଚ୍ଚ ମାତ୍ର ୩ ହଜାର ୩୫୭ ଟଙ୍କା ଅର୍ଥାତ୍ ଗାଁର କୌଣସି ୪ରୁ ୫ ଜଣିଆ ପରିବାର ଦିନକୁ ଖର୍ଚ୍ଚ ମାତ୍ର ୧୧୨ ଟଙ୍କା ତାମାନେ ଜଣେ ଦିନକୁ ୨୦ରୁ ୨୫ ଟଙ୍କାରେ ଜୀବନ ଜୀଉଁଛନ୍ତି। ସଦ୍ୟ ପ୍ରକାଶିତ ହାଉସ୍ହୋଲ୍ଡ କଞ୍ଜମ୍ପସନ୍ ଏକ୍ସପେଣ୍ଡିଚର ସର୍ଭେ ୨୦୨୩-୨୪ରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।

କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ କହୁଛି, ଓଡ଼ିଶାର ଖାଲି ଗାଁ ଗହଳି ନୁହେଁ, ସହରାଞ୍ଚଳରେ ବି ସମାନ ଅବସ୍ଥା। ସହରୀ ପରିବାରର ମୁଣ୍ଡପିଛା ମାସିକ ବ୍ୟୟ ୫ ହଜାର ୮୨୫ ଟଙ୍କା। ଅର୍ଥାତ୍ ଏଠି ଏକ ପରିବାରର ଦୈନିକ ହାରାହାରି ଖର୍ଚ୍ଚ ୧୯୪ ଟଙ୍କା, ଯାହା ଜାତୀୟ ହାରଠୁ ଢେର ପଛରେ।। ଜାତୀୟ ସ୍ତରରେ ଗ୍ରାମୀଣ ପରିବାରର ମାସିକ ଖର୍ଚ୍ଚ ୪ ହଜାର ୧୨୨ ଟଙ୍କା ଥିଲା ବେଳେ ଓଡ଼ିଶାର ଗ୍ରାମୀଣ ପରିବାର ମାସିକ ଖର୍ଚ୍ଚ ଏହାଠାରୁ ୭୬୫ ଟଙ୍କା କମ୍।

ସେହିପରି ସହରାଞ୍ଚଳରେ ଜାତୀୟ ହାର ୬ ହଜାର ୯୯୬ ଟଙ୍କା ଥିଲା ବେଳେ ଓଡ଼ିଶାରେ ଏହା ୧ ହଜାର ୧୭୧ ଟଙ୍କା କମ୍। ଅର୍ଥନୀତି ବିଶେଷଜ୍ଞଙ୍କ ସୂଚନା- ୨୦ ବର୍ଷ ତଳେ ରାଜ୍ୟ ଯେଉଁ ସ୍ଥିତିରେ ଥିଲା, ଏବେ ବି ସେଇ ସ୍ଥିତିରେ ରହିଛି। ଏଠି ରାଜ୍ୟ ପ୍ରଗତି କରୁଛି, କିନ୍ତୁ ଜନତାଙ୍କ ପାଇଁ ପ୍ରଣୟ ଯୋଜନା କେବଳ ବାଣ୍ଟିବା ଉଦ୍ଦେଶ୍ୟରେ ହେଉଥିବାରୁ ଦାରିଦ୍ର୍ୟ ସ୍ଥିତି ଯଥା ପୂର୍ବମ୍ ତଥା ପରମ୍।

ଅଧିକ ପଢ଼ନ୍ତୁ: ଡିସେମ୍ୱର ୩୦ ମଧ୍ୟରେ ଫସଲ କ୍ଷତି ଆକଳନ; କାଲି ସୁଦ୍ଧା ପଞ୍ଜିକରଣ ପାଇଁ ପରାମର୍ଶ

ତେଣେ ହାଉସହୋଲଡ୍ କଞ୍ଜମ୍ପସନ୍ ଏକ୍ସପେଣ୍ଡିଚର ସର୍ଭେ କହୁଛି, ଦେଶର ଗ୍ରାମୀଣ ପରିବାର ଖାଦ୍ୟ ପାଇଁ ମାସକୁ ହାରାହାରି ୧ ହଜାର ୯୩୯ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସହରାଞ୍ଚଳରେ ଏହା ୨ ହଜାର ୭୭୬ ଟଙ୍କା ରହିଛି। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ୨୦୨୩-୨୪ରେ ଏଭଳି ପରିବାର କେବଳ ଡାଲି ବାବଦରେ ମାସକୁ ୧୦୦ ଟଙ୍କାରୁ କମ୍ ଖର୍ଚ୍ଚ କରୁଥିବା ବେଳେ ଆମିଷ ବାବଦରେ ଦୁଇ ଶହରୁ ଅଢ଼େଇ ଶହ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ଅସମର୍ଥ।

ପିଲାଙ୍କ ପାଠପଢ଼ା, ମେଡିକାଲ ଖର୍ଚ୍ଚ, ଯାତାୟାତ, ଘରଭଡ଼ା, କପଡ଼ା ସମେତ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ବାବଦରେ ଗ୍ରାମୀଣ ପରିବାର ୨ ହଜାର ୧୮୩ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସହରାଞ୍ଚଳରେ ଏହା ୪ ହଜାର ୨୨୦ ଟଙ୍କା ରହିଛି। ଅର୍ଥନୀତି ବିଶାରଦଙ୍କ କହିବା କଥା, ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ାଇବା ଦରକାର। ଦକ୍ଷତା ବିକାଶ ସହ ସେମାନଙ୍କୁ ରୋଜଗାର ଯୋଗାଇବା ଦରକାର। ଓଡ଼ିଶାରେ ଏବେ ବିଜେପିର ଡବଲ ଇଞ୍ଜିନ ସରକାର। ତେଣୁ ରାଜ୍ୟବାସୀଙ୍କ ଆୟ ବୃଦ୍ଧି ପାଇଁ ସରକାର କେଉଁ ସବୁ ରଣନୀତି ଆପଣାଉଛନ୍ତି ଏବେ ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ଭିଜିବ ଉତ୍ତର ଓ ପଶ୍ଚିମ ଓଡ଼ିଶା ! ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ

  • Reported by:
  • KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now