• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିର ଆଜି ପ୍ରଥମ ଦିନ । ରତ୍ନଭଣ୍ଡାର ମରାମତି ନେଇ ASI ଅଧିକ୍ଷକ କହିଛନ୍ତି ନୀତିକାନ୍ତିକୁ ଶୃଙ୍ଖଳା ରଖି କାମ କରିବୁ । ପ୍ରଥମ ଦିନରେ ୧୫ରୁ ୨୦ ଜଣ ଶ୍ରମିକ ନିୟୋଜିତ ହେବେ । ପ୍ରଥମେ ଭାରା ବନ୍ଧା ହୋଇ ଚୂନ ପ୍ଲାଷ୍ଟର କଢ଼ାଯିବ । ଭିତର ଭଣ୍ଡାରରୁ କାମ ଆରମ୍ଭ କରାଯିବ। ଯେଉଁ ଭର୍ଟିକାଲ କ୍ରାକ ରହିଛି ସେସବୁର ମରାମତି ହେବ । ଛୋଟ ଛୋଟ ଲୁହା ବିମ୍ ବଦଳାଯିବ । ଏହା ପୂର୍ବରୁ ପ୍ଲାଷ୍ଟର ଛଡ଼ାଯିବ ।

ଏଭଳି ସୂଚନା ଦେଇଛନ୍ତି ଏଏସଆଇ ଅଧୀକ୍ଷକ ଡିବି ଗଡନାୟକ । ମରାମତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ମରାମତି କାମ ହେବ । ଉପସ୍ଥିତ ରହିବେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହିବେ । ମରାମତି କାମ ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ରହିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ

ସେପଟେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ । ମରାମତି ସମୟରେ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ । ୩ ମାସ ଭିତରେ ମରାମତି କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଛି । କିନ୍ତୁ ତା ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯିବ । ଏହାପରେ ରତ୍ନ ଅଳଙ୍କାରର ଗଣତିମଣତି ହେବ । ଏହା ଓଡ଼ିଶାବାସୀଙ୍କ ପାଇଁ ଆମର ଉତ୍ତର ଦାୟିତ୍ୱ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଭିତର ଭଣ୍ଡାର ମରାମତି ହେବ । ଏଥିପାଇଁ ପ୍ରଥମେ ଭାରାବନ୍ଧା କାମ ହେବ, ଏହାପରେ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ । ଏହାପରେ ଯେଉଁ ଯେଉଁ ସ୍ଥାନରେ ଫାଟ ଅଛି ତାର ମରାମତି ହେବ । ପଥର ପ୍ରଭାବିତ ହୋଇଥିଲେ, ରିପ୍ଲେସ୍ କରାଯିବ । ସେହିପରି ଚଟାଣର ଅନେକ ସ୍ଥାନରେ ମୂଷା ଗାତ ଥିବାରୁ, ସଂପୂର୍ଣ୍ଣ ଚଟାଣର ମଧ୍ୟ ଡିପ୍ଲାଷ୍ଟରିଂ କରାଯାଇ ମରାମତି କରାଯିବ । ଯେଭଳି ଆଗାମୀ ଶହେ ବର୍ଷ ପାଇଁ କୌଣସି ସମସ୍ୟା ନରହିବ ତାକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଲୋକସଭାରେ ଆଗତ ହେଲା ‘ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌’; କଂଗ୍ରେସର ଜୋରଦାର ବିରୋଧ

ସମୟ ନିର୍ଘଣ୍ଟ ଅନୁଯାୟୀ, ଦ୍ୱିପ୍ରହର ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ପ୍ରତ୍ୟେହ ଦିନ ପ୍ରାୟ ସାଢ଼େ ୧୨ଟା କିମ୍ବା ଗୋଟାଏରୁ ମରାମତି କାମ ଆରମ୍ଭ ହେବ । ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ । ତେଣୁ ମରାମତି କାମ ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ରହିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସବୁଠୁ ବଡ଼ କଥା ହେଉଛି ଧନୁ ସଂକ୍ରାନ୍ତି ଅବସରରେ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ପହିଲି ଭୋଗ ନୀତିରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ସମନ୍ୱୟ ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସମୟରେ ହୋଇଛି ପହିଲି ଭୋଗ ନୀତି । ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ହେବାକୁ ଥିବାରୁ ଏହିଭଳି ଶୃଙ୍ଖଳିତ ନୀତିକାନ୍ତି ଉପରେ ଏବେ ସମସ୍ତଙ୍କ ନଜର । ରତ୍ନ ଭଣ୍ଡାର ମରାମତି ସରିଲା ପରେ ହିଁ ହେବ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହୋଇଥିବା ରତ୍ନ ଅଳଙ୍କାରର ଗଣତି ଓ ମଣତି ।

OTV is now on Whatsapp

Join and get latest news update delivered to you via whatsapp

Join Now