/odishatv-khabar/media/post_attachments/uploadimage/library/16_9/16_9_0/Rath_Yatra_1751036811.jpg)
Rath Yatra
ସେ ହିଁ ଜଗତ, ସେ ହିଁ ନାଥ । ସାରା ଜଗତରେ ସେ ଜଗନ୍ନାଥ । ସ୍ଥଳରେ ସେ ଜଳରେ ବି ସେ । ସେଥିପାଇଁ ତ ବର୍ଷ ବର୍ଷ ଧରି ଏମିତି ପାଣି ଭିତରେ ଯାତାୟତ କରନ୍ତି ମହାପ୍ରଭୁ। ଚିଲିକା ଭିତରେ ଜଗନ୍ନାଥଙ୍କ ଗୁପ୍ତ କ୍ଷେତ୍ର ‘କାଙ୍କଣ ଶିଖରୀ’ରେ ପାଳନ ହୋଇଛି ରଥଯାତ୍ରା । ତିନି ଡଙ୍ଗାକୁ ଯୋଡ଼ି ବିଶାଳ ଆକାର ଦିଆହୁଏ ଆଉ ତା ଉପରେ ମହାପ୍ରଭୁଙ୍କ ରଥକୁ ବସାଇ ପାର କରାଯାଇଛି ଚିଲିକା। ଅକାତ ଅକାତ ପାଣି ଭିତରେ ଜଗନ୍ନାଥଙ୍କ ଏ ଯାତ୍ରା ବି ଏକ ନିଆରା ସ୍ପନ୍ଦନ ଆଣିଦିଏ।
ଆଉ କୋରାପୁଟର ସାବର ଶ୍ରୀକ୍ଷେତ୍ର। କୋରାପୁଟର ଏଇ ପୁରୁଣା ସଂସ୍କୃତି ଓ ପରମ୍ପରାରେ ବନ୍ଧା କୋଟି କୋଟି ମନ। ତେଣୁ ଆଖପାଖରୁ ଅନେକ ଭକ୍ତ ଆସି ଏଠି ପହଞ୍ଚିଛନ୍ତି। କେନ୍ଦୁଝରର ବିଶାଳ ନନ୍ଦିଘୋଷରେ ମହାପ୍ରଭୁଙ୍କୁ ଦେଖିବାକୁ ଆକୁଳ ମନ ଦୌଡ଼ି ଆସିଛି କାହିଁ କେତେ ଦୂରରୁ।
ଅଧିକ ପଢ଼ନ୍ତୁ: କେଉଁ ରଥର ଉଚ୍ଚତା କେତେ, କେଉଁଥିରେ ଥାଏ କେତୋଟି ଚକ?
ବାରିପଦାରେ ପରମ୍ପରା ଟିକିଏ ନିଆରା। ଏଠି ଶ୍ରୀକ୍ଷେତ୍ରର ପରଦିନ ହୁଏ ରଥଯାତ୍ରା। ଆଜି ଠାକୁରଙ୍କ ପହଣ୍ଡି ବିଜେ ହୁଏ, ରଥରେ ରାତି କାଟନ୍ତି ରଥାରୁଢ଼ ଠାକୁର। ଆସନ୍ତାକାଲି ଏଠି ଟଣାଯିବ ରଥ, ସୁଭଦ୍ରାଙ୍କ ରଥ ଟାଣନ୍ତି ମହିଳା ମାନେ। ସେଥିପାଇଁ ତ ବାରିପଦାକୁ କୁହାଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର।
ଭୁବନେଶ୍ବର ଓ କଟକରେ ରଥଯାତ୍ରା ପାଇଁ ଟ୍ବିନସିଟି ବାସିନ୍ଦାଙ୍କ ମନରେ କାହିଁ କେତେ ଉଲ୍ଲାସ। ରଥ ଦଉଡ଼ିକୁ ଟିକିଏ ଛୁଇଁବେ, କାଳିଆ ସୁନାକୁ ଦେଖିବାକୁ ବ୍ୟାକୁଳ ମନ। ମହାପ୍ରଭୁଙ୍କ ଘୋଷଯାତ୍ରା ବିଶ୍ବବ୍ୟାପି ପରିବ୍ୟାପ୍ତ। ଦେଶର ପ୍ରାୟ ସବୁ କୋଣଅନୁକୋଣରେ ପାଳନ ହୋଇଛି ଆଉ ହେଉଛି ରଥଯାତ୍ରା।
କୋଲକାତାରୁ କାଶୀ, ଦିଲ୍ଲୀରୁ ଅହମ୍ମଦାବାଦ ରଥର ଘର୍ଘର ନାଦରେ କମ୍ପିଛି ଚର୍ତୁଦିଗ ଓ ଶୁଭିଛି ଜୟ ଜଗନ୍ନାଥ। ଏ ଭବ୍ୟ ଓ କମନୀୟ ଦୃଶ୍ୟ ଗୁଜରାଟ ରାଜଧାନୀ ଅହମ୍ମଦାବାଦର। ସୂର୍ଯ୍ୟଙ୍କ ଉଦୟ ସହ ଶଙ୍ଖନାଦରେ କମ୍ପିଛି ସହର। ସକାଳ ଧୂପ ପରେ ସବୁ ନୀତିକାନ୍ତି ସାରିବା ପରେ ରଥ ଉପରକୁ ପାଛୋଟି ନିଆଯାଇଥିଲା ଚର୍ତୁମୂର୍ତ୍ତିଙ୍କୁ।
୧୪୮ ବର୍ଷରେ ପହଞ୍ଚିଥିବା ଅହମ୍ମଦାବାଦର ରଥଯାତ୍ରାରେ ପୂର୍ବ ବର୍ଷ ଭଳି ଏଥର ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ମିଶି ଟାଣିଥିଲେ ରଥ। ସୁରତରେ ବି ପ୍ରବାସୀ ଓଡ଼ିଆଙ୍କ ସହ ରଥ ଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ଲୋକ। ଭକ୍ତ ଆଉ ଭଗବାନ ଭିଜିଥିଲେ ଭକ୍ତିର ଏଇ ମହାସାଗରରେ।
ଦିଲ୍ଲୀ ହଜଖାସ୍ ରେ ଆୟୋଜିତ ରଥଯାତ୍ରାରେ ସଭିଁଏ ହୋଇଥିଲେ ଏକାକାର। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇ କରିଥିଲେ ଛେରା ପହଁରା। ସେବେକାର କାଶୀ ଏବେକାର ବାରାଣସୀରେ ବି ଜଗନ୍ନାଥ ସଂସ୍କୃତିର ଅଲୌକିକ ପର୍ବ ରଥଯାତ୍ରା ପାଳନ ହୋଇଛି। ରଥାରୁଢ଼ ଶ୍ରୀଜିଉଙ୍କୁ ଦେଖିବାକୁ କାହିଁ କେତେ ଦୂରରୁ ଲୋକେ ଛୁଟି ଆସିଥିଲେ।
ଏଥର ନୂଆ କରି ରଥଯାତ୍ରା ପାଳିଛି ପଶ୍ଚିମବଙ୍ଗର ଦୀଘା। ନୂତନ ପ୍ରତିଷ୍ଠା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଗଲା ଦୁଇ ଦିନ ଧରି ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହି ଗୋଟି ଗୋଟି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ମନ୍ତ୍ରିମଣ୍ଡଳର ଅଧାରୁ ଅଧିକ ମନ୍ତ୍ରୀ ବି ଏଠି ଡେରା ପକାଇଛନ୍ତି। ସେହିପରି କୋଲକାତାର ଅନ୍ୟ ଅଞ୍ଚଳରେ ବି ପାଳନ ହୋଇଛି ଘୋଷଯାତ୍ରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)