• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଗତକାଲି ପ୍ରସ୍ତାବ ଦେଇଛି ସ୍ୱତନ୍ତ୍ର ତଦାରଖ କମିଟି । ଆଜି ପରିଚାଳନା କମିଟି ବୈଠକରେ ଏସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ସଂପର୍କରେ ଆଲୋଚନା ପରେ, ଏହାର ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବ ଶ୍ରୀମନ୍ଦିର ପରିଚାଳନା କମିଟି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ପରିଚାଳନା କମିଟି ଆମକୁ ଯେଉଁ ସୁପାରିଶ କରିବେ, ତା ଉପରେ ସରକାର ତୁରନ୍ତ ନିଷ୍ପତ୍ତି ନେବେ ।

ଅଧିକ ପଢ଼ନ୍ତୁ: କାହିଁକି ଘଟିଲା ଏତେ ବଡ଼ ଅଘଟଣ; ସେବାୟତଙ୍କ ଅସାବଧାନତା ନା ବେପରୁଆ ମନୋଭାବ, ଉଠିଲା ପ୍ରଶ୍ନ

ସବୁ କଥାକୁ ବିଚାର କରି ଠିକଣା ଭାବେ ନିଷ୍ପତ୍ତି ନିଆଯିବ । ଚାବିରେ ନଖୋଲିଲେ ତାଲା ଭାଙ୍ଗି ଗଣତିମଣତି ଆରମ୍ଭ ହେବ । ଅଳଙ୍କାର ଗୁଡ଼ିକର ଡିଜିଟାଲ୍ ଫଟୋଗ୍ରାଫ୍ ନିଆଯିବ ଏବଂ ତାର ନାମକରଣ କରାଯିବ । ପୂରାପୂରି ଭାବେ ଡିଜିଟାଲ୍ ଲାଇବ୍ରେରୀ ଭାବେ ଏହାକୁ ତିଆରି କରାଯିବ। ଏହାକୁ ନିଖୁଣ ଭାବେ କରିବା ପାଇଁ ଆମେ ପୂରାପୂରି ଭାବେ ପ୍ରସ୍ତୁତ ଅଛୁ ।

ଆସନ୍ତା ୧୪ରେ ଖୋଲିପାରେ ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନଭଣ୍ଡାର । ରତ୍ନଭଣ୍ଡାର ତଦାରଖ କମିଟି ଆଜି ତାରିଖ ସ୍ଥିର କରି ସାରିଥିବା ବେଳେ, ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବଲ୍ । ସେପଟେ ସେଇଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିକୁ ଚାବି ଦେବେ ଓ ସେ ଚାବିରେ ନଖୋଲିଲେ ତାଲା ଭାଙ୍ଗି ଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ।

ତେବେ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ସବୁର ସଠିକ୍ ପଦ୍ଧତିରେ ଗଣତି ଓ ତାର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ। ରତ୍ନଭଣ୍ଡାର ଉତ୍କଣ୍ଠାର ଘଟିବ ଅବସାନ। ଏଇ ୧୪ ତାରିଖ, ବାହୁଡ଼ା ଯାତ୍ରାର ଠିକ୍ ପୂର୍ବଦିନ । ଖୋଲିପାରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଘର ।

ଗତକାଲି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି- ୧୪ରେ ଭଣ୍ଡାର ଘର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ଶୀଘ୍ର ଅନୁମତି ମିଳିବ । ସେଇ ୧୪ ତାରିଖ ଦିନ ହିଁ କମିଟି ଆଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବେ ।

ତେବେ ସେ ଚାବି କାମ କରୁ କି ନକରୁ, ରତ୍ନଭଣ୍ଡାର କିନ୍ତୁ ନିଶ୍ଚିତ ଖୋଲାଯିବ । ଜଷ୍ଟିସ୍ ରଥ ଆହୁରି ମଧ୍ୟ କହିଛନ୍ତି- ରତ୍ନଭଣ୍ଡାରରୁ ଗହଣା ଅନ୍ୟତ୍ର ରଖିବା ପାଇଁ ପରିଚାଳନା କମିଟି ମନ୍ଦିର ଭିତରେ ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥାନ ଚିହ୍ନଟ କରିଛନ୍ତି । ସେଠି ଠାକୁରଙ୍କ ଗହଣା ସିଡ୍ୟୁଲ ଅନୁସାରେ ରଖାଯିବ ।

ଆଉ ଏକ ବଡ଼ ସୂଚନା ଦେଇ ଜଷ୍ଟିସ୍ ରଥ କହିଛନ୍ତି- ରତ୍ନଭଣ୍ଡାର ଖୋଲିବା ବେଳେ କିନ୍ତୁ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ, ତେଣୁ ସେଥିପାଇଁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now