Lord Jagannath's Land : 'ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି' : ପୃଥ୍ୱୀରାଜ ହରିଚନ୍ଦନ

ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।

Prithiviraj Harichandan

ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କ୍ରେତା-ବିକ୍ରେତା ଓ ସମ୍ପୃକ୍ତ ସବ-ରେଜିଷ୍ଟ୍ରାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମନ୍ତ୍ରୀ କହିଛନ୍ତି, ବାସେଳୀ ସାହି ଜମି ଜାଲିଆତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ହେବ । ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଜବରଦଖଲ ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ କରିବା ପାଇଁ ଯୋଜନା କରୁଛି ଆଇନ ବିଭାଗ । ୨୦୦୩ ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ ।

ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଂଚଳରେ ଦୀର୍ଘଦିନ ଧରି ଲୋକେ ମହାପ୍ରଭୁଙ୍କ ଜମି ଜବରଦଖଲ କରିଛନ୍ତି । ଏହି ପ୍ରକ୍ରିୟା ଫଳରେ ସେହି ଜମି ଜବରଦଖଲ ମୁକ୍ତ ହୋଇପାରିବ । ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ରୁ ୧୦ହଜାର କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇପାରିବ । ସର୍ବନିମ୍ନ ପରିମାଣର ଜମିକୁ ରିହାତି ଦରରେ ବିକ୍ରି କରାଯିବ । ଅଧିକ ଜମିର ଆବଶ୍ୟକ ଥିଲେ, ବେଞ୍ଚ ମାର୍କ ଭାଲ୍ୟୁରେ ଜମି କିଣି ପାରିବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଇନଷ୍ଟା ଲାଇଭ୍‌ରେ ଆତ୍ମହତ୍ୟା ଉଦ୍ୟମ; Meta ଆଲର୍ଟ ପରେ ପହଞ୍ଚିଲା ପୋଲିସ, ବଞ୍ଚିଗଲା ଜୀବନ

ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ ଅଭିଯୋଗ ହୋଇଛି । ମୋଟ ୧୦୯ଟି ପ୍ଲଟକୁ ବେଆଇନ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ କଦାପି ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

ଏପରିକି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି । ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଅବୈଧ । ଏଥିରୁ କ୍ଷାନ୍ତ ରହିବାକୁ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ସେପଟେ ଜଗନ୍ନାଥଙ୍କ ଜମି ଫେରସ୍ତ ଉଦ୍ୟମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି ।

କେବଳ ମହାପ୍ରଭୁଙ୍କୁ ନେଇ ରାଜନୀତି ଛଡ଼ା ଆଉ କିଛି କଥା ନାହିଁ ବୋଲି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଆକ୍ଷେପ କରିବା ସହ ଏଯାଏ ମ୍ୟାନେଜିଂ କମିଟି ଗଠନ ହୋଇ ପାରିନଥିବା ଆକ୍ଷେପ କରିଛନ୍ତି । ଲୋକଙ୍କ ଜମି ଜମା ରେକର୍ଡ ଭୁକ୍ତ ହୋଇପାରୁନି । ନିଜ ଭୁଲ ଲୁଚେଇବା ପାଇଁ ଏହା କେବଳ ବୟାନ ବାଜି ବୋଲି କହିଛି ବିଜେଡି ।

ଏପଟେ କଂଗ୍ରେସ କହିଛି, ଯେଉଁମାନେ ମହାପ୍ରଭୁଙ୍କ ଜମିକୁ ବିକ୍ରି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜଗନ୍ନାଥଙ୍କ ଜମିକୁ ସେଟଲମେଣ୍ଟ କରି କର୍ପସ ପାଣ୍ଠି କରାଯାଉ । ଏ ପ୍ରକ୍ରିୟା ବହୁତ ବିଳମ୍ବ ହେଲାଣି । କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି କହିଛନ୍ତି ତାରା ବାହିନୀପତି ।

ଅଧିକ ପଢ଼ନ୍ତୁ: ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ; ବିଳମ୍ବରେ ଚାଲିଛି ୧୦୭ ବିମାନ, ୩ ବାତିଲ...