ସୁନାର ସଂସାର ଭାଙ୍ଗିଦେଲା ଅନୈତିକ ପ୍ରେମ ସମ୍ପର୍କ । ସ୍ବାମୀ ପୋଛିଦେଲା ଗର୍ଭବତୀ ସ୍ତ୍ରୀ ମଥାର ସିନ୍ଦୂର । କଙ୍ଗାରୁ କୋର୍ଟରେ ପ୍ରେମିକ ସହ ସ୍ତ୍ରୀର ବାହାଘର କରାଇଲା ଖୋଦ୍ ସ୍ୱାମୀ । ଏମିତି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳା ପୁଇଁନ୍ତଲା ବ୍ଳକ ବିଲେଇସର୍ଡା ଗାଁରେ ।
Also Read
ସୂଚନା ମୁତାବକ ଗତ ୨୦୨୪ ଏପ୍ରିଲ ମାସରେ ଗାଁର ସୁଧିର ବାଗ ସୁମତୀ ( ଛଦ୍ମନାମ )ଙ୍କୁ ବିବାହ କରି ଘରକୁ ଆଣିଥିଲେ । ଦୁହେଁ ସୁଖର ସଂସାର କରୁଥିଲେ । ସୁମତୀ ଗର୍ଭବତୀ ମଧ୍ୟ ହୋଇଥିଲେ। ହେଲେ ଏହାରି ଭିତରେ ସୁମତୀଙ୍କୁ ଭେଟିବାକୁ ରାତି ଅଧରେ ଆସିଥିଲା ତାଙ୍କ ପ୍ରେମିକ ଆଲୋକ ସାଲମା। ଯାହାକୁ କାବୁ କରିନେଇଥିଲେ ଗାଁ ଲୋକ। ଆଉ ସକାଳୁ ସକାଳୁ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ।
ଅଧିକ ପଢ଼ନ୍ତୁ: ସିଝିବା ପରେ ଭିଜିଲା ରାଜଧାନୀ; ଟ୍ୱିନ ସିଟିକୁ କାଳବୈଶାଖୀ ଆଲର୍ଟ
ଗାଁ ଲୋକଙ୍କ ନିଷ୍ପତ୍ତି କ୍ରମେ ସୁମତୀଙ୍କ ସହ ପ୍ରେମିକ ଆଲୋକର ବାହାଘର ହୋଇଥିଲା । ସ୍ବାମୀ ସୁଧିରଙ୍କ ଉପସ୍ଥିତିରେ ଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉଭୟଙ୍କୁ ଫୁଲ ହାର ଦେବା ପାଇଁ ବାଧ୍ୟ କରିଥିଲେ ଗାଁର କିଛି ଲୋକ । ଆଉ ଜବରଦସ୍ତି ସୁମତୀ ମଥାର ସିନ୍ଦୂର ଲିଭାଇ ଆଲୋକକୁ ସିନ୍ଦୂର ଲଗାଇବା ପାଇଁ କହିଥିଲେ। ଆଉ ବାହାଘର ପରେ ସୁମତୀକୁ ଗାଁରୁ ବିଦାୟ ଦେଇଥିଲେ ସ୍ବାମୀ ସୁଧିର । ସବୁଠାରୁ ବଡ଼କଥା ହେଉଛି ଏସବୁ ଘଟଣା ପୁଇଁନ୍ତଲା ପୋଲିସ ସାମ୍ନାରେ ଘଟୁଥିଲା । ହେଲେ ସମସ୍ତଙ୍କ ପରି ଦର୍ଶକ ସାଜିଥିଲା ପୋଲିସ। ସେପଟେ ମୋତେ ପ୍ରବଳ ମାଡ଼ ମାରିବା ସହ ଜୋର ଜବରଦସ୍ତ ବାହା କରେଇ ଦେଲେ ବୋଲି ଅଭିଯୋଗ କରିଛନ୍ତି ଆଲୋକ ।
ଅନ୍ୟପଟେ ଏବେ ସୁମତୀଙ୍କ ପେଟରେ ସୁଧିରଙ୍କ ପାଞ୍ଚ ମାସର ଛୁଆ । ସେ ପ୍ରେମିକ ଆଲୋକ ସହ ରହୁଥିଲେ ମଧ୍ୟ ଛୁଆକୁ ଗ୍ରହଣ କରିବା ପାଇଁ ନାରାଜ ଆଲୋକ । ସେପଟେ ସୁଧିର ଆଉ ସୁମତୀଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।
ଏଇଠି ପ୍ରଶ୍ନ ଉଠୁଛି, ପୋଲିସ ଜାଣତରେ କେମିତି ବସିଲା କଙ୍ଗାରୁକୋର୍ଟ ? କେଉଁ ଆଇନ ବଳରେ ଜଣେ ଗର୍ଭବତୀ ସ୍ତ୍ରୀଙ୍କୁ ଆଉ ଜଣକୁ ବାହା କରାଗଲା ? ଏବେ ଗର୍ଭବତୀଙ୍କ ଦାୟିତ୍ବ କାହାର ? ସବୁ ଜାଣିବି କାହିଁକି ଅଜଣା ପୁଇଁନ୍ତଲା ପୋଲିସ ? ତେବେ ଏନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ସଦର ଏସ୍ଡିପିଓ ।