Advertisment

Pravasi Bharatiya Divas 2025: ପ୍ରବାସୀ ଭାରତୀୟ ମହାକୁମ୍ଭ ଉଦଯାପିତ; ୨୪ ରାଷ୍ଟ୍ରର ୨୭ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ସମ୍ମେଳନର ଉଦଯାପନୀ ସମାରୋହରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଦୁଇ ଦଶନ୍ଧି ଧରି ଦେଶର ବିଭିନ୍ନ ଭାଗରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ସେହି ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇପାରିଛି। ପ୍ରବାସୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇପାରିଛି। ସେ ଦୃଷ୍ଟିରୁ ଓଡ଼ିଶା ମଧ୍ୟ ଏହାର ଭରପୁର ସୁଯୋଗ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ।

undefined

Pravasi Bharatiya Divas 2025

Advertisment

ମହା ଆରମ୍ଭ ଭଳି ମହା ସମାରୋହରେ ଉଦଯାପିତ ହୋଇଛି ଭୁବନେଶ୍ବରରେ ଆୟୋଜିତ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତି ସହ ସଫଳ ପ୍ରବାସୀଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ସହିତ ଶେଷ ହୋଇଛି ପ୍ରବାସୀଙ୍କ ମହାକୁମ୍ଭ। ଏପଟେ ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ଓଡ଼ିଶା ପ୍ରଥମ ଥର ଏଭଳି ମେଗା ଇଭେଣ୍ଟର ଆୟୋଜନର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ଓଡ଼ିଶା ପାଇଁ ଅପାର ସମ୍ଭାବନା ଓ ସୁଯୋଗ ସୃଷ୍ଟି ଦେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ।

Advertisment

ସରସ, ସୁନ୍ଦର ଆଉ ସୁଖଦ। ତିନି ଦିନ ଧରି ଓଡ଼ିଶାରେ ଚାଲିଥିବା ପ୍ରବାସୀ ମହାକୁମ୍ଭର ମହା ଉଦଯାପନ। ଭୁବନେଶ୍ବର ଜନତା ମୈଦାନରେ ଚାଲିଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ସମ୍ବୋଧନ କରି ଆଜି ଉତ୍ସବର ସମାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରବାସୀ ଭାରତୀୟଙ୍କ ଏ ମହାସମ୍ମେଳନର ଶେଷ ଦିନର ଆକର୍ଷଣ ଥିଲା ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ପ୍ରତିଷ୍ଠିତ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବାର ମହାର୍ଘ୍ୟ ଅବସର। ଉଦଯାପନୀ ଦିବସରେ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି। ଯେଉଁମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାରେ ଜନ୍ମିତ ଏବେ ସାରା ବିଶ୍ବରେ ପ୍ରତିଷ୍ଠିତ ବିଶିଷ୍ଟ ବୈଜ୍ଞାନିକ ତଥା କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍।

ସେହିଭଳି ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ଗଙ୍ଗାରେ ପ୍ରମୁଖ ଭୂମିକା ତୁଲାଇଥିବା ଅଭୟ କୁମାର ବି ସମ୍ବର୍ଦ୍ଧିତ ହୋଇଥିଲେ। ସୁଦୂର ରୁଷିଆରେ ଦୀର୍ଘ ବର୍ଷ ଧରି ଶାନ୍ତିର ବାର୍ତ୍ତା ବାଣ୍ଟୁଥିବା ସୁଧାରାଣୀ ଗୁପ୍ତାଙ୍କୁ ମଧ୍ୟ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ପ୍ରବାସୀ ଭାରତୀୟ ସାରା ବିଶ୍ବରେ ଦେଶର ମାନ, ଟେକ ରଖିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇଛନ୍ତି। ଆପଣମାନଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି, ବରଂ ଲକ୍ଷ ଲକ୍ଷ ଲୋକେ ଆପଣଙ୍କୁ ଆଦର୍ଶ ଭାବେ ମାନୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ୧୨ ସଂଧ୍ୟା ଯାଏ ସାଧାରଣ ଲୋକ-ଛାତ୍ରଛାତ୍ରୀଙ୍କ ପାଇଁ PBD ପ୍ରଦର୍ଶନୀ ଖୋଲା; ମାଗଣାରେ ବୁଲିପାରିବେ...

ସମ୍ମେଳନର ଉଦଯାପନୀ ସମାରୋହରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଦୁଇ ଦଶନ୍ଧି ଧରି ଦେଶର ବିଭିନ୍ନ ଭାଗରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ସେହି ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇପାରିଛି। ପ୍ରବାସୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇପାରିଛି। ସେ ଦୃଷ୍ଟିରୁ ଓଡ଼ିଶା ମଧ୍ୟ ଏହାର ଭରପୁର ସୁଯୋଗ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ। ସେପଟେ ବିଶ୍ବର ପ୍ରାୟ ୭୦ଟି ଦେଶରୁ ଆସି ଓଡ଼ିଶା ଭୂମିରେ ପାଦ ପକାଇଥିବା ପ୍ରବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଓଡ଼ିଶାକୁ ଆୟୋଜନ ଅଧିକାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଦେବା ସହ ଏ ସମ୍ମେଳନ ଆୟୋଜନ ଦ୍ବାରା ଓଡ଼ିଆ ଅସ୍ମିତା ଉଚ୍ଚତର ହୋଇପାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

Advertisment

ଗଲା ୮ ତାରିଖରୁ ଭୁବନେଶ୍ବରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅବସରରେ ଭୁବନେଶ୍ବର ଜନତା ମୈଦାନ ସାଜିଥିଲା ମିନି ବିଶ୍ବ। ଏହି ଅବସରରେ ପୃଥିବୀର କୋଣ ଅନୁକୋଣରୁ ଆସିଥିବା ପ୍ରବାସୀ ଓଡ଼ିଶାର କଳା, ସାହିତ୍ୟ, ଐତିହ୍ୟ, ସଂସ୍କୃତି, ଖାଦ୍ୟପେୟ ଓ ଆତିଥ୍ୟରେ ଅଭିଭୂତ ହୋଇଛନ୍ତି। ଏହାସହ ଓଡ଼ିଶା ବିଭିନ୍ନ ପର୍ଯ୍ୟଟନ ସ୍ଥଳର ମଜା ନେବା ସହ ସେମାନଙ୍କ ଆଖିରେ ଅପାର ସମ୍ଭାବନା ଛବି ନେଇଥିବାରୁ ଆଗକୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଅଧିକ ରୁଦ୍ଧିମନ୍ତ ହେବା ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

Bhubaneswar Droupadi Murmu Pravasi Bharatiya Divas 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ