Cracks spotted on Meghanada Prachir: ଜେସିବି ମାଡ଼ରେ ଘାଇଲା ପାଚେରି !! ଚାରିକଡ଼େ ଫାଟ, ସନ୍ତସନ୍ତିଆ କାନ୍ଥ ଦେଖି ବର୍ଷିଲେ ଭକ୍ତ-ସେବକ

ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି ।

Puri temple boundary wall

ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି । ଯାହା ଦେଖି ଭକ୍ତ ଓ ସେବକ କ୍ଷୁବ୍ଧ । ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ବି ଏହାର ସୁରକ୍ଷା ନହେଲେ ଭୁଶୁଡ଼ି ପଡ଼ିବା ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସେପଟେ ମେଘନାଦ ପାଚେରିର ଦୁଃସ୍ଥିତି ପାଇଁ ବିଜେପି ସିଧା ନବୀନ- ପାଣ୍ଡିଆନଙ୍କୁ ଦାୟୀ କରିଥିବା ବେଳେ, ବିଜେଡି ରଖିଛି ଜବାବ । ତେଣେ ଆଇନମନ୍ତ୍ରୀ କହିଛନ୍ତି ପାଚେରିର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି ।

ଚାରିପଟେ ଲିକେଜ୍ .. ଅନବରତ ଓଦା, ସନ୍ତସନ୍ତିଆ । ଆଗେ ସିଂହଦ୍ୱାର ପଟ ଥିଲା ଏବେ ପଶ୍ଚିମ ଦ୍ୱାର ମେଘନାଦ ପାଚେରିରେ ବି ଫାଟ ଜଳ ଜଳ ଓ କାନ୍ଥ ଦୁର୍ବଳ । ଠିକ୍ ସେମିତି ଦକ୍ଷିଣ ଦ୍ୱାର ପଟ ପ୍ରାଚୀରର ଅବସ୍ଥା । ପାଣି ନିଷ୍କାସନ ପାଇଁ ମଗରମୁଣ୍ଡ ଅଛି, ହେଲେ ସେଠୁ ନୁହେଁ ବରଂ ତା ମୁଣ୍ଡ ଉପରୁ ଗଳ ଗଳ ପାଣି ଝରୁଛି । ଯାହାକୁ ନେଇ ଭକ୍ତରୁ ସେବାୟତ, ସମସ୍ତେ ବର୍ଷିଲେଣି- ASI ଓ ପ୍ରଶାସନକୁ ଘେରିଲେଣି ।

ଖୋଦ୍ ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି- ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଚାରିକଡ଼ୁ ମଠ ମନ୍ଦିର ସବୁ ଭାଙ୍ଗିଲେ । ଏହାଦ୍ୱାରା ମେଘନାଦ ପାଚେରିକୁ ସପୋର୍ଟ କମିଗଲା । ସୁରକ୍ଷା ନମିଳିଲେ, ଆଗକୁ ଏହା ଭୁଶୁଡ଼ି ପଡ଼ିବ । ASI ସ୍ୱତନ୍ତ୍ର ଭାବେ କାମ କରୁ, ନିଜେ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ।

ଏଣେ ମେଘନାଦ ପାଚେରିରେ ଫାଟକୁ ନେଇ ତେଜିଛି ରାଜନୀତି । ଗତ ବିଜେଡି ସରକାରକୁ କଡ଼ା ନିଶାନା କରିଛି ବିଜେପି । ଦଳର ମୁଖପାତ୍ର ଅନୀଳ ବିଶ୍ୱାଳ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନଙ୍କୁ ଆକ୍ଷେପ କରି କହିଛନ୍ତି- ସେମାନେ ଏମିତି କିଛି ଭୁଲ କରି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିଶାବାସୀଙ୍କୁ ଦେବାକୁ ପଡୁଛି l

ନିଜ ରାଜନୈତିକ ଫାଇଦା ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ସେମାନେ ଯେପରି ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିଲେ ତାହା ଦୁଃଖ ଦାୟକ l ଏତେ ବିଶାଳ ବିଶାଳ ଗର୍ତ୍ତ କାହିଁକି ମନ୍ଦିର ଚାରିପଟେ କରାଯାଇଥିଲା ସେନେଇ ବି ଉଭୟଙ୍କଠୁ ଜବାବ ମାଗିଛି ବିଜେପି । ସେପଟେ ବିଜେପି ସହ ସ୍ୱର ମିଶାଇଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ ।

ଅମର କହିଛନ୍ତି-ଐତିହ୍ୟ ସୁରକ୍ଷାରେ ଅବହେଳା ହୋଇଥିଲେ ଅକ୍ଷମଣୀୟ । ସରକାର ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ଜବାବରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି- ଯିଏ ପରିକ୍ରମା ପ୍ରକଳ୍ପ କରିଛି, ସେ କଣ ମନ୍ଦିରର କ୍ଷତି କରିବାକୁ କରିଥିଲା କି ? ସେପଟେ ମେଘନାଦ ପାଚେରିର ଦୁର୍ବଳ ସ୍ଥିତିକୁ ନେଇ ହଇଚଇ ପରେ ଏହାର ତୁରନ୍ତ ମରାମତି ପାଇଁ ASIକୁ ଗତକାଲି ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ତାସହ ପାଚେରିର ସାମଗ୍ରିକ ବୈଜ୍ଞାନିକ ସର୍ଭେ ପାଇଁ ମଧ୍ୟ ଜଣାଇଥିଲେ । ଆଉ ଆଜି ଆଇନମନ୍ତ୍ରୀ କହିଛନ୍ତି, ପାଚେରିରେ ଫାଟ ଅନେକ ଦିନର । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଏଭିକ୍ସନ ସମୟରେ ଏ ଫାଟ ହୋଇଛି । ଏହାର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି । ମନ୍ଦିରର ଯେଉଁ ସବୁ ସ୍ଥାନରୁ ପାଣି ଗଳୁଛି ସମାଧାନ ପାଇଁ ବିସ୍ତୃତ ପ୍ଲାନ ହୋଇଛି । ଏବେ ଦେଖିବାର କଥା ଐତିହ୍ୟ ସଂପନ୍ନ ମେଘନାଦ ପାଚେରିର ସୁରକ୍ଷା ପାଇଁ କେତେଶୀଘ୍ର ନିଆଯାଉଛି ଦୀର୍ଘସ୍ଥାୟୀ ପଦକ୍ଷେପ ।