ମନ୍ଦିର କେମିତି ହେଇଗଲା ଧାମ ?
ଦୀଘା ଜଗନ୍ନାଥ ମନ୍ଦିରକୁ କେମିତି ଜଗନ୍ନାଥଧାମ ନାଁ ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ? କେମିତି ପାଷାଣ ମୂର୍ତ୍ତିରେ ସ୍ଥାପନ ହେଲା ବ୍ରହ୍ମ ? କିଭଳି ମମତାଙ୍କ ଦ୍ବାରା ଉଦ୍ଘାଟିତ ଏ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେଲେ ଶ୍ରୀମନ୍ଦିରର ଦଇତାପତି ? ଏଭଳି ପୁଳା ପୁଳା ପ୍ରଶ୍ନକୁ ନେଇ ବିବାଦରେ ଦୀଘାର ଜଗନ୍ନାଥ ମନ୍ଦିର ।
ଏହି ଘଟଣା ନେଇ ଶ୍ରୀକ୍ଷେତ୍ର ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ହସ୍ତକ୍ଷେପ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅବେଳରେ ମନ୍ଦିର ପରିସରରେ ସୁସଜ୍ଜିତ ତିନି ରଥ । ସେଥିରେ ପୁଣି ନାଁ- ଜଗନ୍ନାଥ ଧାମ । ଦିଦିଙ୍କ ଦୀଘା ଜଗନ୍ନାଥ ମନ୍ଦିରଙ୍କୁ ନେଇ ତେଜିଲା ବିବାଦ । ଶ୍ରୀକ୍ଷେତ୍ରଧାମରେ ପ୍ରବଳ ବିରୋଧ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା କାଲି ଉଦ୍ଘାଟିତ ହୋଇଛି ଦୀଘା ବେଳାଭୂମିର ଭବ୍ୟ ମନ୍ଦିର । ଜଗନ୍ନାଥ ବଳଭଦ୍ର ସୁଭଦ୍ରା- ତିନି ପ୍ରସ୍ତର ବିଗ୍ରହଙ୍କ ସମ୍ମୁଖରେ ରହିଛି ପୁଣି ଆଉ ତିନିଟି କାଷ୍ଠ ନିର୍ମିତ ମୂର୍ତ୍ତି । ଯାହା କେଉଁଠି ନାହିଁ, ତାହା ଏଇଠି ଦେଖିବାକୁ ମିଳିଛି । ଗୋଟିଏ ଆସ୍ଥାନରେ ଡବଲ୍ ଠାକୁର । ଜଗନ୍ନାଥ ସଂସ୍କୃତି, ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ସହ ଜଡ଼ିତ ସମସ୍ତଙ୍କ ଅଭିଯୋଗ, ତୁଣ୍ଡରେ ଜୟଜଗନ୍ନାଥ ନାରା ଦେଇ ଜଗନ୍ନାଥଙ୍କ ଭକ୍ତ ବୋଲାଉଥିବା ମମତା ମହାନ ଜଗନ୍ନାଥ ସଂସ୍କୃତିର, ପରମ୍ପରାର ଖୋଲା ଉଲ୍ଲଂଘନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ, ପ୍ରତିଷ୍ଠା ପାଇଁ ଯୋଗ୍ୟତା ଅଛି ତ ?
ଦେଶର ୪ ଧାମ ଭିତରେ ଶ୍ରେଷ୍ଠଧାମ ଜଗନ୍ନାଥ ଧାମର ନାଁକୁ ବି ହାଇଜାକ୍ କରିବାର ଅପଚେଷ୍ଟା କରିଛନ୍ତି । ଯାହା କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ । ସବୁଠୁ ବଡ଼ କଥା ହେଉଛି ପଥର ନିର୍ମିତ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯିବାର ଉଦ୍ୟମର ଚର୍ଚ୍ଚା ଭିତରେ ଦୀଘାର ଏହି ମନ୍ଦିରକୁ ବିରୋଧ କରି ସେଠି ରୋଷ କାର୍ଯ୍ୟକ୍ରମରେ କେହି ସାମିଲ ନହେବାକୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ କିଛି ଦିନ ତଳେ ଚାରି ଦ୍ବାରରେ ନୋଟିସ୍ ବି ମାରିଥିଲା । କିନ୍ତୁ ଏହା ସତ୍ତ୍ବେ ଖୋଦ୍ ଦଇତାପତି ନିଯୋଗର ସଂପାଦକଙ୍କ ସହ ଅନ୍ୟ କେତେକ ଦଇତାପତି ସେବକ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନେଇ ମଧ୍ୟ ପ୍ରବଳ ବିରୋଧ ଦେଖାଦେଇଛି ।
ଏମିତିକି ଯେଉଁମାନେ ଦୀଘା ଯାଇଛନ୍ତି, ସେମାନେ ପୂଜକ ନୁହେଁ ବେପାରୀ ବୋଲି କହିବାକୁ ପଛାଇ ନାହାନ୍ତି କିଛି ବରିଷ୍ଠ ସେବାୟତ । ତେବେ ପୂର୍ବରୁ ପୁରୀ ସ୍ଥାନ କେହି ନେଇପାରିବେ ନାହିଁ ନିଜ ପ୍ରତିକ୍ରିୟାରେ କହିଥିଲେ ରାମକୃଷ୍ଣ ଦାସ ମହାପାତ୍ର । ସେପଟେ ଦୀଘା ମନ୍ଦିରକୁ ନେଇ ବିବାଦ ପରେ ଘଟଣାରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅନ୍ତଜାର୍ତୀୟ ବାଲୁକାଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ଦୀଘା ମନ୍ଦିରକୁ ମମତା ଜଗନ୍ନାଥ ଧାମ କହିବା ହିନ୍ଦୁ ଧର୍ମ ଓ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରୁଛି ବୋଲି କହି ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଅପରପକ୍ଷେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିବାଦ ପ୍ରସଙ୍ଗରେ ସିଧାସଳଖ କୌଣସି ମତ ନରଖି, କହିଛନ୍ତି- ଏଇଠି ଆମେ ଜଗନ୍ନାଥ ମହାପ୍ରଭୁଙ୍କୁ ଦାରୁ ବ୍ରହ୍ମ ବୋଲି ଜାଣିଛୁ । ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଆରମ୍ଭ ହୋଇଥିବା ଏ ବିବାଦ ଆଗକୁ କେଉଁ ମୋଡ଼ ନେଉଛି ଏବେ ତା’ ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746114772.jpg)