ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଛି ପୋଲିସ ସେବା ପଦକ । ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ୍ ପାଟି । ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ଅଗ୍ନିଶମ ଡିଜି ପ୍ରମୁଖଙ୍କ ଉପସ୍ଥିତିରେ ପୋଲିସ ସେବା ପଦକ ପ୍ରଦାନ କରାଯାଇଛି। ୨୦୨୪ ମସିହା ପାଇଁ ୧୮ ଜଣଙ୍କୁ ରାଜ୍ୟପାଳ ପଦକ, ୨୦୨୧ ମସିହା ପାଇଁ ୨୦ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ସେହିଭଳି ୨୦୧୯, ୨୦୨୦ ଓ ୨୦୨୩ ପାଇଁ ଜଣେ ଲେଖାଏଁ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।
ସେବାକୁ ମିଳିଲା ସମ୍ମାନ । ସମ୍ମାନୀତ ହେଲେ ପୋଲିସ ଅଧିକାରୀ । ରାଜ୍ୟପାଳ ପ୍ରଦାନ କଲେ ପୋଲିସ ସେବା ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଛି। ୨୦୨୪ ମସିହା ସ୍ୱାଧୀନତା ଦିବସ ନିମିତ୍ତ ବିଶିଷ୍ଟ ସେବା ପାଇଁ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଓ ସ୍ପେଶାଲ ଟାସ୍କଫୋର୍ସ ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ମିଳିଛି ସମ୍ମାନଜନକ ରାଷ୍ଟ୍ରପତି ପଦକ । ଉଲ୍ଲେଖନୀୟ ସେବା ନିମନ୍ତେ ଗଜପତି ସ୍ପେଶାଲ ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାୟକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ କାର୍ଯ୍ୟରତ ଡିଏସପି ସନତ କୁମାର ନାଥଶର୍ମା, ଏସଆଇଡବ୍ଲୁ ଇନ୍ସପେକ୍ଟର ହରିବନ୍ଧୁ ଭତ୍ରାଙ୍କ ସହ ମୋଟ ୧୧ ଜଣଙ୍କୁ ମିଳିଛି ଏହି ସମ୍ମାନଜନକ ପଦକ।
Also Read
ଅଧିକ ପଢ଼ନ୍ତୁ: ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ
୨୦୨୧ ମସିହା ନିମିତ୍ତ ରାଜ୍ୟପାଳ ପୁରସ୍କାର ପାଇଛନ୍ତି ଅତିରିକ୍ତ ଡିଜି ଅସିତ ପାଣିଗ୍ରାହୀ, ଆଇଜି ଏସ. ପ୍ରବୀଣ କୁମାର, ଡିଆଇଜି ଚରଣ ସିଂ ମିନା ଓ ଡିଆଇଜି ପିନାକ ମିଶ୍ର । ୨୦୧୯ ପାଇଁ ରାଜ୍ୟପାଳ ପୁରସ୍କାର ପାଇଛନ୍ତି ଆଖିଳେଶ୍ୱର ସିଂ, ସେହିପରି ୨୦୨୦ ବର୍ଷ ପାଇଁ ରାଜ୍ୟପାଳ ପଦକ ପାଇଛନ୍ତି ଆଇପିଏସ ବ୍ରିଜେଶ ରାଏ । ୨୦୨୩ ମସିହା ନିମିତ୍ତ ରାଜ୍ୟପାଳ ପୁରସ୍କାର ପାଇଛନ୍ତି ମୁକେଶ କୁମାର ଭାମୁ । ୨୦୨୪ ନିମିତ୍ତ ରାଜ୍ୟପାଳ ପୁରସ୍କାର ପାଇଛନ୍ତି ଆଇଜି ସାର୍ଥକ ଷଡଙ୍ଗୀ, କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଅତିରିକ୍ତ ଏସପି ସୁଶାନ୍ତ କୁମାର ବିଶ୍ବାଳ, ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା , କ୍ରାଇମବ୍ରାଞ୍ଚ ସିଆଇଡି ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡା ଓ ଅନ୍ୟ ୧୫ ଜଣ ।
ପଦକ ପ୍ରଦାନ ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ବହୁ ଆଇପିଏସ ଓ ବରିଷ୍ଠ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।