ରାତିରେ ସବୁ କିଛି ଠିକ୍ ଥିଲା ଝିଅକୁ ଜନ୍ମଦେବା ପରେ ସମ୍ପର୍କୀୟଙ୍କ ସହ ଖୁସିରେ ଭିଡିଓ କଲ୍ ମାଧ୍ୟମରେ କଥା ହେଉଥିଲା ମାଆ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସକାଳକୁ ସବୁ କିଛି ଓଲଟପାଲଟ ହୋଇଗଲା। ଦୁନିଆ କଣ ଜାଣିନଥିବା ନିଷ୍ପାପ ଛୁଆଟି ହୋଇଗଲା ମାଆ ଛେଉଣ୍ଡ । ଆଉ ଏହାକୁ ସହ୍ୟ କରିପାରିଲେନି ସମ୍ପର୍କୀୟ । ଆଉ ତାପରେ ମହିଳାଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଭଙ୍ଗାରୁଜା ଓ ତୀବ୍ର ଉତ୍ତେଜନା ଦେଖାଦେଇଛି ।
ଭଦ୍ରକରେ ପ୍ରସୂତିଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ସମ୍ପର୍କୀୟ । ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଘରୋଇ ନର୍ସିଂହୋମରେ ଉତ୍ତେଜନା । ଭଦ୍ରକ ଗାନ୍ଧୀ ପଡିଆସ୍ଥିତ ଏକ ଘରୋଇ ନର୍ସିଂହୋମରେ ଏଭଳି ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ଅବହେଳାକୁ ଦାୟୀକରି ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସଂପର୍କୀୟ । ଶିଶୁ କନ୍ୟା ଜନ୍ମପରେ ମାଆର ମୃତ୍ୟୁକୁ ନେଇ ଗଣ୍ଡଗୋଳ କରିଥିଲେ ସଂପର୍କୀୟ । ଡାକ୍ତର ଓ କର୍ମଚାରୀଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକରି ନର୍ସିଂହୋମରେ ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।
Also Read
ଅଧିକ ପଢ଼ନ୍ତୁ : ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା
ମୃତକ ଅସୁରାଳୀ ଅଞ୍ଚଳର ପ୍ରସୂତି ଦେବସ୍ମିତା ଜେନା । ସେ ଗତକାଲି ଅର୍ଥାତ ରବିବାର ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ରାତିରେ ଏକ କନ୍ୟା ସନ୍ତାନ ଜନ୍ମଦେବା ପରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁହୋଇଛି । ମୃତକ ଦେବସ୍ମିତା ନିଜ ସ୍ବାମୀଙ୍କ ସହ ଦିଲ୍ଲୀରେ ରହୁଥିଲେ । ଡେଲିଭରୀ ପାଇଁ ୩ ମାସ ପୂର୍ବେ ଗାଁକୁ ଆସିଥିଲେ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତର କହୁଥିଲେ ସବୁ ଠିକ ଅଛି । କିନ୍ତୁ, ଏବେ ହାର୍ଟ ସମସ୍ୟା କାରଣରୁ ମୃତ୍ୟୁହୋଇଛି ବୋଲି କହୁଛନ୍ତି । ଡକ୍ଟର କେବଳ ଫୋନରେ କଥା ହୁଅନ୍ତି ଏବଂ ନର୍ସ ଇଞ୍ଜେକ୍ସନ ଦେଉଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏମିତିକି ଟଙ୍କା ଲୋଭରେ ରାତି ୩ଟାରେ ଅପରେସନ କରାଯାଇଥିବା ଭଳି ସଂଘାତିକ ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।
ତେବେ ଏହି ଘଟଣାରେ ନର୍ସିଂହୋମ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଅପରପକ୍ଷରେ ପୋଲିସ ମୁତୟନପରେ ଶାନ୍ତି ଶୃଙ୍ଖଳା ବଜାୟ ରହିଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ଵେହେରା । ଅତିରିକ୍ତ ଆରକ୍ଷୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟାଦେଇ କହିଛନ୍ତି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।