ଆଜି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଟଙ୍କା ପ୍ରଦାନ ପରେ ମୋଟ ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ । ତେବେ NPCIରେ ଅସୁବିଧା ଯୋଗୁଁ ବଞ୍ଚିତ ହେଲେ ମାର୍ଚ୍ଚ ୮ରେ ଟଙ୍କା ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର ଡକ୍ୟୁମେଣ୍ଟ କ୍ଲିୟର ହୋଇଛି। ବାକି ହିତାଧିକାରୀ NPCI କ୍ଲିୟର କଲେ ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇବେ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବ୍ୟାସନଗର ଚାନ୍ଦମା ପଡ଼ିଆରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ଲାଗି ବ୍ୟାପକ ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର, କୋରେଇ ଓ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନ ପାଇଁ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ ।
ତେବେ ଆଜି ଚତୁର୍ଥ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳୁଥିବା ଶୁଣିବା ପରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଟଙ୍କା ଯିବ ବୋଲି ସେମାନେ ଆଶା ରଖିଛନ୍ତି । ଗତବର୍ଷ ସେପଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିଥିଲେ ମୋହନ ସରକାର । ସେବେଠୁ ତିନିଟି ଫେଜ୍ ରେ ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ମିଳୁଛି ।