/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739547087.jpg)
Amazon Order
ଅନଲାଇନ୍ରେ ସାମଗ୍ରୀ ଅର୍ଡର କରି ଆଗୁଆ ପେମେଣ୍ଟ କରୁଥିଲେ ସାବଧାନ । ଆପଣ ଅନଲାଇନରେ ସାମଗ୍ରୀ ଅର୍ଡର କରୁଛନ୍ତି କି ? ଆଗୁଆ ଅନଲାଇନରେ ପେମେଣ୍ଟ ବି କରୁଛନ୍ତି କି ? ତେବେ ସତର୍କ ରୁହନ୍ତୁ । କାରଣ ଅନଲାଇନ୍ରେ ଲାପଟପ୍ ଅର୍ଡର କରିଥିବା ସମ୍ବଲପୁରର ଜଣେ ଗ୍ରାହକଙ୍କ ପାଖରେ ପହଁଚିଛି ମାର୍ବଲ ପଥର ଖଣ୍ଡ । ଠକେଇର ଶୀକାର ହୋଇଥିବା ବ୍ୟକ୍ତି ଜଣେ ଡାକ୍ତର । ଅନଲାଇନ୍ ସଂସ୍ଥାଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ।
ଲୋକପ୍ରିୟ ଇ-କାର୍ଟ ସଂସ୍ଥା ଆମାଜନର ତିନି ଥାକିଆ ପ୍ୟାକିଂ କରିଥାଏ । ଭିତରେ ପବନ ମଧ୍ୟ ପଶିପାରିବନି । ହେଲେ ଏହି ସିଲ୍ ଖୋଳ ଭିତରୁ ବାହାରିଛି ପଥର । ଯାହାକୁ ଦେଖି ଗ୍ରାହକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଡାକ୍ତର ଚଉବର୍ଗ ନାୟକ। ସମ୍ବଲପୁର ସହରର ହସ୍ପିଟାଲ ରୋଡରେ କ୍ଲିନିକ୍ କରିଛନ୍ତି । ଗତ ୪ ତାରିଖରେ ପୁଅ ପାଇଁ ଅନଲାଇନ୍ରେ ଏକ ଲାପଟପ୍ ଅର୍ଡର କରିଥିଲେ । ଆଗୁଆ ପେମେଣ୍ଟ ବି କରିଦେଇଥିଲେ ।
ଡେଲିଭରି ତାରିଖ ଥିଲା ୧୧ ଫେବ୍ରୁଆରୀ । ସମୟରେ ଘରେ ପହଁଚି ଯାଇଥିଲା ଅର୍ଡର । ତେବେ ଆଇଟମ୍ ରିସିଭ୍ କରି ପ୍ୟାକେଟ୍ ଖୋଲିବା ପରେ ଡାକ୍ତରଙ୍କୁ ଲାଗିଥିଲା ଝଟକା । ଲାପଟପ୍ ବଦଳରେ ଭିତରୁ ବାହାରିଥିଲା ମାର୍ବଲ ଖଣ୍ଡ । ପୂର୍ବରୁ କେବେ ଏଭଳି ଠକେଇର ଶୀକାର ହୋଇନଥିବା ଡାକ୍ତର ଚଉବର୍ଗ ତୁରନ୍ତ ଅନଲାଇନରେ ଆଇଟମ୍ ରିପ୍ଲେସମେଣ୍ଟ ଆବେଦନ କରିଥିଲେ । କିନ୍ତୁ କଣ ବଦଳାଇବେ, ତାଙ୍କ ପାଖରେ ତ ମାର୍ବଲ୍ । ତେଣୁ ତୁରନ୍ତ ଆମାଜନର ଗ୍ରାହକ ସେବା ପ୍ରତିନିଧିଙ୍କୁ ଲଗାଇଥିଲେ କଲ୍ ।
ଅଧିକ ପଢ଼ନ୍ତୁ: ଅଙ୍ଗଦାନ କରି ଅମର; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ ନରେଶ।
ସେଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ସମ୍ବଲପୁର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର ଚଉବର୍ଗ । ତେବେ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିନଥିଲେ ବି ଅନଲାଇନ୍ ସଂସ୍ଥାର ସମ୍ବଲପୁର କର୍ମଚାରୀଙ୍କୁ ଡକାଇ ପଚରାଉଚୁରା କରିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଡେଲିଭରି ପୂର୍ବରୁ ମୂଳ ପ୍ୟାକିଂକୁ ଖୋଲି ସେଥିରୁ ଲାପଟପ୍ ବାହାର କରି ମାର୍ବଲ ଭର୍ତ୍ତି କରାଯାଇଥିବା ପୋଲିସ ସନ୍ଦେହ କରୁଛି ।
ଏନେଇ ଆମାଜନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆଇନଜୀବୀ କହିଛନ୍ତି, ମୂଲ୍ୟବାନ ଜିନିଷ କିଣିବା ବେଳେ ଗ୍ରାହକ ଅନଲାଇନ୍ ପେମେଣ୍ଟ ନକରି କ୍ୟାସ୍ ଅନ୍ ଡେଲିଭରି କରିବା ଉଚିତ୍ । ଡେଲିଭରି ସମୟରେ ପ୍ୟାକେଟ୍ ଖୋଲି ତାର ଭିଡିଓଗ୍ରାଫି କରନ୍ତୁ ଗ୍ରାହକ । ଏଭଳି ମାମଲାରେ ଉପଭୋକ୍ତା ପ୍ରଥମେ ଇ-କାର୍ଟ କମ୍ପାନୀକୁ ଲିଗାଲ ନୋଟିସ ପଠାନ୍ତୁ ଏବଂ ପରେ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୁଅନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)