• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଳୁ ପରେ ଏବେ ଉପରମୁହାଁ ହେଲାଣି ପିଆଜ । ଦିନେ ଦୁଇ ଦିନ ଭିତରେ ପିଆଜ ଦର କିଲୋ ପ୍ରତି ବଢ଼ିଲାଣି ୧୦ ଟଙ୍କା । ଏବେ ମାର୍କେଟରେ କିଲୋ ପ୍ରତି ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି । ନାସିକରୁ ପିଆଜ କମ ଆସୁଥିବାରୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ଆଗକୁ ପିଆଜ ଆମଦାନୀ କମିଲେ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି ।

ଅନ୍ୟପଟେ ଆଳୁଦର ବି ଖସିବାର ନାଁ ଧରୁନି । ଏବେ ବି ମାର୍କେଟରେ ଆଳୁଦର ୪୦ ଟଙ୍କା ରହିଛି । ଆଳୁ ଖସୁନଥିବା ବେଳେ ଏବେ ପିଆଜ ଦର ୫୦ ଶୁଣି ଖାଉଟି ମୁଣ୍ଡରେ ପଡ଼ିଛି ଚଡ଼କ। ସେପଟେ ରାଜ୍ୟରେ ପୁଣି ଦେଖା ଦେଇପାରେ ଆଳୁ ସଂକଟ । ବର୍ତ୍ତମାନ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ସରିଯିବ । ଏନେଇ ସୂଚନା ଦେଲା ରାଜ୍ୟ ବ୍ୟବସାୟୀ ମହାସଂଘ।

ଅଧିକ ପଢନ୍ତୁ : ଆଳୁ ଗଡ଼ରେ ଗଡ଼ବଡ଼, ସଂରକ୍ଷଣ ପାଇଁ ନାହିଁ ଶୀତଳଭଣ୍ଡାର

ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ଏ ବାବଦରେ ସୂଚନା ଦେଇଛନ୍ତି । ପ.ବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି । କାଲି ସୁଦ୍ଧା ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ । ଅନ୍ୟପଟେ ଗତକାଲି ମନ୍ତ୍ରୀ କହିଛନ୍ତି, ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ଆଳୁ ସଂକଟ ।

ଉତ୍ତରପ୍ରଦେଶରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଆସିବ ଆଳୁ । ଏନେଇ ସୂଚନା ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ରାଜ୍ୟ ସରକାର ଏ ପଦକ୍ଷେପ ନେଇଥିବା ସେ କହିଛନ୍ତି । ୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଥିଲେ । ସୂଚନା ଅନୁସାରେ ପ୍ରାୟ ତିନି ସପ୍ତାହ ବିତିଲା ପରେ ମଧ୍ୟ ରାଜ୍ୟରୁ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ସ୍ୱାଭାବିକ ହୋଇନି । ଏପରି ସ୍ଥିତିରେ ବେଙ୍ଗଲରୁ ଲୁଚାଛପାରେ ଆସୁଥିବା ଆଳୁଗାଡ଼ି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗଳାବାଟରେ ସିସିଟିଭି ଲଗାଇଛନ୍ତି ସେଠାକାର ସରକାର ।

ତେବେ ଆଳୁ ସଙ୍କଟ ଦୂର ପାଇଁ ଗତ ଅଗଷ୍ଟ ୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟେଲିଫୋନ ଯୋଗେ ମମତାଙ୍କ ସହ ଆଲୋଚନା କରି ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ଦିଲ୍ଲୀରେ ନୀତି ଆୟୋଗ ବୈଠକ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ୱାଭାବିକ ହୋଇଥିଲା। ମାତ୍ର ଏହାର କିଛି ଦିନ ପରେ ପୁଣି ଆଳୁ ଯୋଗାଣ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଏହାରି ଭିତରେ ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ୟୁପିରୁ ଟ୍ରେନ୍‌ ଯୋଗେ ଆଳୁ ଆଣିବାକୁ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now