Advertisment

Pravasi Bharatiya Divas 2025: ସ୍ୱପ୍ନ ଓ ସମ୍ଭାବନା: ପୂର୍ବୋଦୟର ପ୍ରବେଶ ପଥରେ ବିକାଶର ସୂର୍ଯ୍ୟୋଦୟ

ଆଇଟି ଏବଂ କ୍ରୀଡ଼ା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉ । ପର୍ଯ୍ୟଟକ ସିଧାସଳଖ ଓଡ଼ିଶା ଆସି ଏହାର ରହସ୍ୟମୟ ଦୁନିଆରେ ନିଜକୁ ହଜାନ୍ତୁ, ଏହା ବି ଆଶା ରଖିବା ।

ଅଦ୍ୟତନ ହୋଇଛି
ବିକଶିତ ଓଡ଼ିଶାର ସ୍ୱପ୍ନ

ବିକଶିତ ଓଡ଼ିଶାର ସ୍ୱପ୍ନ

Advertisment

ଆଶା ରଖିବା ଏବେ ଆଉ କିଏ ଉଦାହରଣ ଦେବାକୁ ଯାଇ ନ କୁହନ୍ତୁ ଓଡ଼ିଶା କେଉଁଠି ? ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ଯେତିକି ଗୁରୁତ୍ୱ ମିଳିବା କଥା ସେତିକି ମିଳିବ । ସଂଘୀୟ ବ୍ୟବସ୍ଥାରେ ଆମ ରାଜ୍ୟ ଓଡ଼ିଶାକୁ ଯେତିକି ସରକାରୀ ଶୁଭ ଦୃଷ୍ଟି ପଡ଼ିବା କଥା ତା ଠାରୁ ଦୁଇ ଗୁଣା ପଡ଼ୁ କାମନା କରିବା । କାହିଁକି ନା କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଯେଉଁ ନାଁ କମେଇ ଥିଲା ଏବେ ଲଗାତାର ଗୋଟିଏ ପରେ ଗୋଟିଏ ବଡ଼ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସଫଳ ଆୟୋଜନ କରି ମୋହନ ମାଝୀ ସରକାର ସେତିକି ଶ୍ରେୟ ସାଉଁଟୁଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ ହେଉ ଅବା ଇଏ ଏବେ ଏବେ ଶେଷ ହୋଇଥିବା ତିନି ଦିନିଆ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନ । ବିଶ୍ୱର କୋଣ ଅନୁକୋଣରୁ ପ୍ରବାସୀଙ୍କୁ ଓଡ଼ିଶାମାଟିକୁ ଟାଣି ଆଣିବାର ଯେଉଁ ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି ତାହା ସତରେ ପ୍ରଶଂସନୀୟ । ଆମେ ଦେଖୁଛେ, ଗତ କିଛି ବର୍ଷ ଧରି ଓଡ଼ିଶାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । କେବଳ କାର୍ଯ୍ୟକ୍ରମରେ ଆମେ ଦେଖୁଥିବା ସମ୍ଭାବନା ଅଟକି ନ ଯାଉ । ଏହି ଯାତ୍ରା ଆଗକୁ ବଢି ଓଡ଼ିଶାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ତାହା ରୂପାନ୍ତରିତ ହେଉ, ଓଡ଼ିଶା ବିକାଶର ବେଗ ଧରି ଆଗକୁ ଦୁଇ ପାଦ ବଢୁ । ଆଇଟି ଏବଂ କ୍ରୀଡ଼ା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉ । ଅନ୍ୟ ରାଜ୍ୟ ଅପେକ୍ଷା ପର୍ଯ୍ୟଟକ ସିଧାସଳଖ ଓଡ଼ିଶା ଆସି ଏହାର ରହସ୍ୟମୟ ଦୁନିଆରେ ନିଜକୁ ହଜାନ୍ତୁ, ଏହା ବି ଆଶା ରଖିବା ।

Advertisment

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିମାମୟ ଉପସ୍ଥିତି ଏବଂ ଓଡ଼ିଶାକୁ ପ୍ରଶଂସା କରିବାକୁ ଯାଇ କହିଥିବା କଥା, ‘‘ଓଡ଼ିଶାର ମହାନ ଭୂମି, ଯେଉଁଠାରେ ଆମେ ଏକତ୍ରିତ ହୋଇଛୁ, ତାହା ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ’’। ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, କିମ୍ବା ଚମତ୍କାର କୋଣାର୍କ ସୂର୍ଯ୍ୟ ମନ୍ଦିର କିମ୍ବା ତାମ୍ରଲିପି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର, ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ଯେକେହି ଏହି ଗୌରବ ଅନୁଭବ କରିବେ । ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଏବଂ ବଣିକମାନେ ବାଲି, ସୁମାତ୍ରା ଏବଂ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉଦବୋଧନ ପରେ ଆମେ ଓଡ଼ିଆ ଆଶା ରଖିବା ଯେ, ସରକାରଙ୍କ ଶୁଭଦୃଷ୍ଟିରେ ଓଡ଼ିଶା ପୂର୍ବୋଦୟର ପ୍ରବେଶ ପଥ କେବଳ ସ୍ଲୋଗାନରେ ନୁହେଁ ବରଂ ବାସ୍ତବରେ ପରିଣତ ହେଉ ।

ଅଧିକ ପଢ଼ନ୍ତୁ : ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି; ଆଗକୁ ହେବ ପ୍ରବାସୀ ଓଡ଼ିଆ ସମ୍ମିଳନୀ !

Advertisment

କେବଳ ସେତିକି ନୁହେଁ ପ୍ରବାସୀ ସମ୍ମେଳନକୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ଧଉଳି ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ୱ ଯେତେବେଳେ ଖଡ଼ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ । ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧରେ ବୋଲି ଭାରତର ଏହି ପରମ୍ପରା ବିଶ୍ୱକୁ ବାର୍ତ୍ତା ଦେଉଛି । ପ୍ରଧାନମନ୍ତ୍ରୀ ଆଗକୁ ଯାଇ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ‘‘ଏକ ବିକଶିତ ଭାରତ ପାଇଁ ପ୍ରବାସୀଙ୍କ ଯୋଗଦାନ’’ ସମ୍ପର୍କରେ କହିଛନ୍ତି, ଆଧୁନିକ ଭାରତ ବିକାଶ ଏବଂ ଐତିହ୍ୟର ମନ୍ତ୍ର ସହିତ ଆଗକୁ ବଢ଼ୁଛି । ଜି-୨୦ ବୈଠକ ସମୟରେ ସାରା ଦେଶରେ ଅଧିବେଶନମାନ ଆୟୋଜିତ ହୋଇଥିଲା, ଯାହାଦ୍ୱାରା ବିଶ୍ୱକୁ ଭାରତର ବିବିଧତାର ପ୍ରତ୍ୟକ୍ଷ ଅନୁଭବ ମିଳିପାରିଥିଲା।

ସେହିଭଳି ଉଦଯାପନୀ ସମାରୋହରେ ସାମିଲ ହୋଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯେତେବେଳେ ଆମେ ଆମ ପ୍ରବାସୀ ଭାରତୀୟ ପରିବାରର ସଫଳତାକୁ ପାଳନ କରୁଛୁ, ସେତେବେଳେ ଆମେ ମଧ୍ୟ ଆଶା ଓ ସଂକଳ୍ପର ସହିତ ଭବିଷ୍ୟତକୁ ଅପେକ୍ଷା କରିବା ଉଚିତ। ମିଳିତ ଭାବେ ଆମେ ଏକ ବିକଶିତ ଭାରତ ନିର୍ମାଣ କରିପାରିବା, ଏପରି ଏକ ରାଷ୍ଟ୍ର ଯାହା ବିଶ୍ୱ ମଞ୍ଚରେ ଶୀର୍ଷରେ ରହିବ ଏବଂ ବିଶ୍ୱ ପାଇଁ ଅଶାର ଆଲୋକବର୍ତ୍ତିକା ହେବ। ଭାରତର କାଳଜୟୀ ଦର୍ଶନ “ବସୁଧୈବ କୁଟୁମ୍ବକମ୍” ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଲେ ଯେ, ଏହି ପରିକଳ୍ପନା ଏପରି ଏକ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ, ଯାହା କେବଳ ଆମର ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ବିଶ୍ୱର କଲ୍ୟାଣ ଦିଗରେ ମଧ୍ୟ ସହାୟକ ହେବ। ଆମେ ଏପରି ଏକ ରାଷ୍ଟ୍ର ହେବାକୁ ଚାହୁଁଛୁ ଯାହା ସାମାଜିକ ନ୍ୟାୟ ଓ ପରିବେଶ ପରିଚାଳନା ସହିତ ଆର୍ଥିକ ପ୍ରଗତିକୁ ସନ୍ତୁଳିତ କରିବ ତଥା ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ। ସେ କହିଥିଲେ ଯେ, ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

Advertisment

ନୂଆ ନୂଆ ଓଡ଼ିଶା ଶାସନର ଡୋରି ଧରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଏହା ଏକ ଆହ୍ୱାନ ନିହାତି । କାର୍ଯ୍ୟକ୍ରମ ଅନ୍ତରାଳେ ନିଜ ଧନ୍ୟବାଦ ଆଲେଖ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି । ଭାରତର ନିବେଶକ-ଅନୁକୂଳ ରାଜ୍ୟ ମଧ୍ୟରେ ଓଡ଼ିଶା ଅଗ୍ରଣୀ ରାଜ୍ୟଭାବେ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଆମର ଖଣିଜ ସମ୍ପଦଭରା ରାଜ୍ୟ ଏବେ ବହୁଦେଶୀୟ ଶିଳ୍ପଗୋଷ୍ଠୀଙ୍କ ଲକ୍ଷ୍ୟସ୍ଥଳ। ତାହା ଛଡା, ସୂଚନା ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ-ପ୍ରକ୍ରିୟାକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଘଟିବାକୁ ଆମେ ପ୍ରଧାନ୍ୟ ଦେଉଛୁ। ସେମି କଣ୍ଡକ୍ଟର ଉତ୍ପାଦନ ଏବଂ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକରି ଉଚ୍ଚମାନ ସଂପନ୍ନ ଉତ୍ପାଦଗୁଡ଼ିକୁ ଓଡିଶାରେ ପ୍ରସ୍ତୁତ ଓ ରପ୍ତାନୀ କରିବାପାଇଁ ଆମେ ପ୍ରଯତ୍ନ କରୁଛେ। ରାଜ୍ୟରେ ଜଳବାୟୁ ସହନଶୀଳ କୃଷିକର୍ମ କରିବାକୁ ଯୁବକଯୁବତୀଙ୍କ ଦକ୍ଷତା ବଢାଇବା ପାଇଁ ପ୍ରଚେଷ୍ଟା କରୁଛେ। ଆମେ ଯୋଗ, ପ୍ରାଣାୟମ ଉପରେ ଗୁରୁତ୍ବ ଦେବା ସହିତ ଘରୋଇ-ସହଭାଗିତା ଆଧାରରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରି ଓଡ଼ିଆ କ୍ରୀଡାବିତଙ୍କ ତାଲିମ୍ ଏବଂ ଉତ୍କର୍ଷ ପ୍ରତିପାଦନ ଉପରେ ଧ୍ୟାନ ଦେଉଛୁ। ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହିତ ସାମୁଦ୍ରିକ ବାଣିଜ୍ୟକୁ ପୁନର୍ଜୀବନ ଦେବାପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଓ ସାଗରମାଳା ଯୋଜନା ସହାୟତାରେ ଏକାଧିକ ସାମୁଦ୍ରିକ ବନ୍ଦର ନିର୍ମାଣ କରିବାକୁ ଯାଉଛୁ ବୋଲି ମୋହନ ଦର୍ଶାଇଛନ୍ତି ।

ଏହା ସହ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରି ଏହାର ଗରିମା ବୃଦ୍ଧି କରିଛନ୍ତି। ଏହି ଅବସରରେ ସେ ପ୍ରବାସୀମାନଙ୍କୁ ଯେଭଳି ଆତ୍ମୀୟତାର ସହିତ ସ୍ବାଗତ କରି ସମ୍ବୋଧନ କଲେ, ତାହା ସଭାସ୍ଥଳରେ ଉପସ୍ଥିତ ପ୍ରବାସୀ ଭାରତୀୟ ତଥା ଗଣମାଧ୍ୟମ ସହାୟତାରେ ବିଦେଶରେ ରହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ରହିଥିବା ସମସ୍ତ ଭାରତୀୟ ବଂଶୋଦ୍ଭବଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୂମିରେ ଉପସ୍ଥିତ ଥିବାଭଳି ମନେହେଲା ବୋଲି କହିଛନ୍ତି । ନିଜେ ମଧ୍ୟ କହିଛନ୍ତି ଓଡ଼ିଆ ଜାତି କୃତଜ୍ଞତା ପ୍ରକାଶ କରିବାରେ ସଦା ତତ୍ପର ।

ଏବେ କେବଳ ଗୋଟିଏ ଆଶା, କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ଅଷ୍ଟାଦଶ ସଂସ୍କରଣ ଓଡ଼ିଶା ପାଇଁ କି ସମ୍ଭାବନା ନେଇ ଆସୁଛି ।

ଅଧିକ ପଢ଼ନ୍ତୁ : ବିକଶିତ ଓଡ଼ିଶା ପାଇଁ ପ୍ରବାସୀଙ୍କ ଟିପସ୍, 'ମେଡ୍ ଇନ୍‌ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ପ୍ରଚାର ପ୍ରସାର ଦାବି 

Bhubaneswar Odisha Economic Growth Pravasi Bharatiya Divas Pravasi Bharatiya Divas 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ