Paddy Procurement In Odisha: ମଣ୍ଡି ଜଗିବେ ମନ୍ତ୍ରୀ ଓ ଅଫିସର, ରହିବନି ଟୋକନ୍ ଟେନସନ୍

ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Paddy Procurment

ଆଜିଠାରୁ ଖରିଫ୍ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର । ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବା ବେଳେ ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ନୂଆ ସରକାର, ନୂଆ ବ୍ୟବସ୍ଥା । ଆଉ ଚାଲିବନି ମିଲର୍ସଙ୍କ ମନମାନି । ବନ୍ଦ ହେବ କଟନି ଛଟନି । ଦଲାଲଙ୍କୁ ସାବାଡ୍ କରିବାକୁ ମଣ୍ଡି ଜଗିବେ ମନ୍ତ୍ରୀ । ଚାଷୀଙ୍କ ସ୍ୱାର୍ଥ ଓ ଧାନ କିଣାରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇ ଏକ ବଡ ଅଭିଯାନ କ୍ରମେ ଆସନ୍ତାକାଲିଠୁ ଖରିଫ୍ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ମୋହନ ସରକାର ।

ରାଜ୍ୟର ପ୍ରମୁଖ ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାରେ କାଲିଠୁ ବର୍ଷକର ପରିଶ୍ରମକୁ ସାଙ୍ଗରେ ଧରି ପହଞ୍ଚିଯିବେ ଚାଷୀ । କେମିତି ଧାନ ରଖିବାକୁ ହୋଇଛି ସୁବିଧା ? ଟୋକନ୍ କେଉଁଠି ଦେବେ ? କେତେ ଦିନ ଭିତରେ ଧାନ ଉଠିବ ? ୪୮ ଘଣ୍ଟା ଭିତରେ ଟଙ୍କା କେମିତି ଚାଷୀଙ୍କ ଖାତାକୁ ଯିବ, ସେ ସବୁର ଟିକିନିଖ୍ ତଦାରଖ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ ।

ଅଧିକ ପଢ଼ନ୍ତୁ: ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ପୀଠରେ ତାଲା, ଓଡ଼ିଆ ଅସ୍ମିତାକୁ ନେଇ ଉଠିଲା ପ୍ରଶ୍ନ!

ସେପଟେ କିଛି ଚାଷୀଙ୍କର ଇତିମଧ୍ୟରେ ଧାନ ଅମଳ ହେବାକୁ ବସିଥିବା ବେଳେ ସେମାନଙ୍କୁ ଜାନୁଆରୀରେ ଧାନ ବିକ୍ରି ପାଇଁ ମେସେଜ୍ ଆସିଥିବାରୁ ଚିନ୍ତିତ ହୋଇ ପଡିଛନ୍ତି । ସେମିତି ଜଣେ ଚାଷୀ ହେଲେ ବରଗଡ଼ର ବି ପାପାରାଓ ଚୌଧୁରୀ । ତାଙ୍କୁ ଜାନୁଆରୀ ନୁହେଁ ଡିସେମ୍ବରରେ ଟୋକନ ଦେବାକୁ ସେ ଅନୁରୋଧ କରିଛନ୍ତି ।

ସେପଟେ କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଥିବାବେଳେ ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ ଓ ୮୦୦ ଟଙ୍କା ସବ୍ ସିଡି ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।

ସେପଟେ ନୂଆପଡ଼ା ଜିଲ୍ଲାରେ ଆଜି ନିଜେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଶାସନିକ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଧାନ କିଣାକୁ ସ୍ୱଚ୍ଛ କରିବା ପାଇଁ ଦେଇଛନ୍ତି ପରାମର୍ଶ  ତାସହ ଦଲାଲଙ୍କୁ ଦେଇଛନ୍ତି ଚେତାବନୀ । ଅନ୍ୟପଟେ ଆଗରୁ ମଣ୍ଡିରେ ଚାଷୀ ଯନ୍ତ୍ରଣା କହିଲେ, କେଉଁଠି ଏଫଏକ୍ୟୁ ମାନ ଆଳରେ କଟନୀ ଛଟନୀକୁ ନେଇ ଚାଷୀ ତାତିଛନ୍ତି ତ କେଉଁଠି ଶୀତ କାକରରେ ମାସ ମାସ କାଳ ଧାନ ଜଗି ରହି ଶେଷରେ ଧାନ ଉଠିପାରିନି ।

ପୁଣି କେଉଁଠି ଟୋକନ୍ ଲାପସ୍ ହେବାକୁ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ଶିକାର ହୋଇଛି । ଆଉ କେଉଁଠି ଆଖି ଆଗରେ ବର୍ଷାରେ ଭିଜି ଗଜା ହୋଇଯାଇଛି ଧାନ । ତେବେ ଏଥର ଏସବୁ ଯନ୍ତ୍ରଣାରୁ ଚାଷୀଙ୍କୁ ମୁକ୍ତି ଦେବାକୁ ବି ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ଏଥର ଧାନର ମାନ ପରୀକ୍ଷା କ୍ୱାଲିଟି ଆନାଲାଇଜର ମେସିନ୍‌ରେ କରିବାକୁ ନିଷ୍ପତ୍ତି ହୋଇଛି । ତାସହ ମଣ୍ଡିରେ ଦଲାଲ ରାଜ ରୋକିବାକୁ ସିସିଟିଭି ବ୍ୟବସ୍ଥା ବି ହୋଇଛି ।

ଧାନ କୁଇଣ୍ଟାଲ ପିଛା ଏଥର ୩୧ ଶହ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଏହାକୁ ନେଇ ସବୁଠି ଉତ୍କଣ୍ଠାରେ ଚାଷୀ । ତେବେ ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର ।

ଅଧିକ ପଢ଼ନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି