ORERA
ରେରା ଆଇନ ଆସିବା ପୂର୍ବରୁ ଅର୍ଥାତ୍ ୨୦୧୭ ଫେବ୍ରୁଆରୀ ୧୯ ପୂର୍ବରୁ ତିଆରି ଆପାର୍ଟମେଣ୍ଟଗୁଡ଼ିକୁ ବିନା ପ୍ରତିବନ୍ଧକରେ ପଞ୍ଜୀକରଣ କରିବା ଲାଗି ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶନାମା ଉପରେ ହାଇକୋର୍ଟଙ୍କସ୍ଥଗିତାଦେଶ ପରେ ଏବେ ଆପାର୍ଟମେଣ୍ଟ ପଞ୍ଜୀକରଣ ଏକ ପ୍ରକାର ଠପ୍ ହୋଇଯାଇଛି ।
ଅକ୍ୟୁପାନ୍ସି ସାର୍ଟିଫିକେଟ୍ ବା ଓସି ନ ଥିବା କାରଣରୁ ରାଜ୍ୟର ପ୍ରାୟ ୯୫ ଭାଗ ପୁରୁଣା କ୍ରେତା ସେମାନଙ୍କ ଆପାର୍ଟମେଣ୍ଟ କିଣାବିକା କରିପାରୁନାହାନ୍ତି। ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଲୋକେ କିଭଳି ସୁବିଧାରେ ଆପାର୍ଟମେଣ୍ଟ ପଞ୍ଜୀକରଣ କରିପାରିବେ ସେ ଦିଗରେ ସରକାର ବିଚାର କରୁଛନ୍ତି । ଆପାର୍ଟମେଣ୍ଟ ପଞ୍ଜୀକରଣ ନେଇ ଥିବା ଦ୍ବନ୍ଦ୍ବ ଦୂର ସହ ଉପଯୁକ୍ତ ରାସ୍ତା ବାହାର କରିବାକୁ ରାଜସ୍ବ ବିଭାଗ ସହ ବାରମ୍ବାର ବୈଠକ କରାଯାଉଛି । ଏହାପରେ ହାଇକୋର୍ଟଙ୍କ ନିକଟରେ ପକ୍ଷ ଉପସ୍ଥାପନ କରାଯିବ ।
ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ଆପାର୍ଟମେଣ୍ଟ ମାଲିକାସ୍ବତ୍ବ ଆଇନ କିମ୍ବା ଆଇନ ଦ୍ବାରା ଅଣାଯାଇଥିବା ନିୟମର ଭୁଲ ବ୍ୟାଖ୍ୟାନ କାରଣରୁ ଅନେକ ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ,ତା' ଉପରେ ତର୍ଜମା କରାଯାଉଛି । ଯଦି ସ୍ପଷ୍ଟୀକରଣ ଦ୍ବାରା ସମାଧାନ ହୋଇପାରିବ, ତାହାହେଲେ ସ୍ପଷ୍ଟୀକରଣ ଦିଆଯିବ, ନଚେତ ସରକାର ଆଇନରେ ସଂଶୋଧନ କରିବେ । ଆସନ୍ତା ମାସ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ରାଜସ୍ବ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଲହୁ, ଲୁହ ଓ ଲୁଣ୍ଠନର ପୃଷ୍ଠଭୂମିରେ ଫିକା ପଡ଼ିଗଲା କି ଲଣ୍ଠନ ଆଲୁଅ ?
ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନର ଆଳ ଦେଖାଇ ରେରା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟର ପଞ୍ଜୀକରଣ ନ ରୋକିବାକୁ ଗତ ଫେବ୍ରୁଆରୀ ପହିଲାରେ ବିଜ୍ଞପ୍ତି ଜାରି କରିଥିଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏଥିପାଇଁ ସବୁ ରେଜିଷ୍ଟ୍ରେସନ ଅଫିସରଙ୍କୁ ନିର୍ଦ୍ଦେଶ ଜାରି ପାଇଁ ରାଜସ୍ବ ବିଭାଗକୁ ବିଜ୍ଞପ୍ତିରେ ଅନୁରୋଧ କରାଯାଇଥିଲା । ଏମିତିକି ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟର ପଞ୍ଜୀକରଣ ପାଇଁ ମନା ନ କରିବାକୁ ରାଜ୍ୟର ସମସ୍ତ ରେଜିଷ୍ଟରିଂ ଅଫିସରଙ୍କୁ ଚିଠି ଲେଖି ଜଣାଇଥିଲା ରାଜସ୍ବ ବିଭାଗର ବୋର୍ଡ ଅଫ୍ ରେଭିନ୍ୟୁ ।
ନଗର ଉନ୍ନୟନ ବିଭାଗର ଏଭଳି ନିଷ୍ପତ୍ତି ଖୋଦ୍ ସରକାରଙ୍କ ଆଇନର ବିରୁଦ୍ଧାଚରଣ କରୁଥିବାରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ ରିଅଲ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ । ଯାହାର ବିଚାର କରି ହାଇକୋର୍ଟ, ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ରହିତାଦେଶ ଲଗାଇବା ସହ ଏନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେପଟେ ବିମଳେନ୍ଦୁ କହିଛନ୍ତି, ବିନା ଓସିରେ ପଞ୍ଜୀକରଣ ହେଉଥିବା ଆପାର୍ଟମେଣ୍ଟକୁ ଏକ ବୈଧ ଆପାର୍ଟମେଣ୍ଟ କୁହାଯାଇପାରିବ ନାହିଁ । ସେହିପରି ପୁରୁଣା ବାସଗୃହ ପ୍ରକଳ୍ପରେ ବିଲ୍ଡରମାନେ କମନ୍ ଏରିଆକୁ ବାସଗୃହ କ୍ରେତାଙ୍କ ନାମରେ ପଞ୍ଜୀକରଣ ନ କରି ନିଜ ନାମରେ ରଖିଛନ୍ତି । ମାତ୍ର ୨୦-୩୦ ପ୍ରତିଶତ ଜମି ବାସଗୃହ କ୍ରେତାଙ୍କ ନାମରେ ରହିଛି । ଏସବୁ ସମସ୍ୟାର ସମାଧାନ ପାଇଁ ସେ ପିଆଇଏଲ୍ ଫାଇଲ କରିଥିଲେ ।
ଏବେ ଦେଖିବାକୁ ବାକି ରହିଲା, ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟଗୁଡ଼ିକର ବିକ୍ରି ଲାଗି ଆଗକୁ କେଉଁ ବାଟ ବାହାରୁଛି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ORERA_1742047984.jpg)