• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Akshaya Kumar Sahoo

ଲଣ୍ଠନ ! ହଁ ଆଜ୍ଞା ! ଟିଣ ଆଉ ଦସ୍ତା ଧାତୁରେ ତିଆରି ତଥା କିରୋସିନ୍ ଇନ୍ଧନରେ ଜଳୁଥିବା ଏହି ଛୋଟ ଆଲୋକ ଯନ୍ତ୍ରଟି ଗତ ଶତାବ୍ଦୀରେ ଜନ୍ମ ହୋଇଥିବା ଆମ ସମସ୍ତଙ୍କର ଏକ ବେଶ୍ ପରିଚିତ ଜିନିଷଟିଏ । ଲଣ୍ଠନ ସହିତ ଆଉ ଗୋଟିଏ ଆଲୋକ ଯନ୍ତ୍ର ଆମେ ସମସ୍ତେ ବ୍ୟବହାର କରିଥାଉ । ତାହା ହେଲା ‘ଡିବିରି’ । କେହି କେହି ତାକୁ ‘ଡିବି’ ବୋଲି କହିଥାନ୍ତି ।

ଲଣ୍ଠନ ଆଉ ଡିବି ଭିତରେ ଫରକ କ’ଣ? ଡିବିରି ଘର ଭିତରେ ପବନର ଆଢୁଆଳେ ବା ଘରର ଚାରିକାନ୍ଥ ମଧ୍ୟରେ ଜଳିବ ଏବଂ ଆଉ ଲଣ୍ଠନ ଘର ବାହାରେ ଅନେକ ମାତ୍ରାରେ ପବନର ବେଗକୁ ସହି ଜଳିପାରିବ । ଡିବିରୁ ବାହାରୁଥିବା ପୋଡା କିରୋସିନର ତୀବ୍ର ଗନ୍ଧ ଆମକୁ ଟିକିଏ ଅସ୍ତବ୍ୟସ୍ତ କରିପକାଏ । ହେଲେ ଲଣ୍ଠନରେ ଏଭଳି ତୀବ୍ର ଗନ୍ଧ ନଥାଏ । ଏହା ଡିବିରି ତୁଳନାରେ ଅନେକ ପରିମାଣରେ ପରିବେଶ ଅନୂକୂଳ । ଘର ଅଗଣା ବା ବାଡି ପଟରେ କିଛି ଜିନିଷ ହଜିଗଲେ ଲଣ୍ଠନ ଖୋଜାପଡେ । ବାଆ ବତାସରେ ଝଡୁଥିବା ଆମ୍ବ ଗୋଟାଇବା ପାଇଁ ମଧ୍ୟ ଖୋଜାପଡେ ଏହି ଛୋଟ ତଥା ଅତ୍ୟନ୍ତ ଦରକାରୀ ଯନ୍ତ୍ରଟି ।

ହେଲେ ଦିନରାତି ସୁଦୃଶ୍ୟ ଆଲୋକରେ ଝଲସୁଥିବା ଓଡ଼ିଶା ବିଧାନସଭାରେ ଚଳିତ ୨୦୨୫ ବଜେଟ୍ ଅଧିବେଶନରେ ଲଣ୍ଠନ ଦେଖିବାକୁ ମିଳିଥିଲା । ବିଜେଡିର ବିଧାୟକ ଡକ୍ଟର ଅରୁଣ ସାହୁଙ୍କ ନେତୃତ୍ୱରେ କିଛି ବିଧାୟକ ଦିନ ଦିପ୍ରହରରେ ହାତରେ ଲଣ୍ଠନ ଧରି ବୁଲୁଥିବାର ଦେଖାଗଲା । ସମସ୍ତେ ଆଶ୍ଚର୍ଯ୍ୟ ହେଲେ, – ବିଦ୍ୟୁତ୍ ବିଭ୍ରାଟ ହୋଇନି କି ରାତ୍ରିକାଳ ବି ନୁହେଁ । ଆମ୍ବ ଗଛରେ ଆମ୍ବ ଏବେ ଏବେ କଷି ଧରୁଛି । ହେଲେ ଦିନରେ ଅରୁଣ ଓ ତାଙ୍କ ସାଥୀମାନେ ଲଣ୍ଠନ କାହିଁକି ଧରି ବୁଲୁଛନ୍ତି ? କାହାକୁ ଖୋଜୁଛନ୍ତି ଏହି ମାନ୍ୟବରମାନେ?

କିଛି ସମୟ ପରେ ଜଣାଗଲା ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବିଜେଡି ବିଧାୟକମାନେ ଖୋଜୁଛନ୍ତି । ବୁଝୁବୁଝୁ ଜଣାପଡିଲା ଯେ ଗୃହରେ ସେଦିନ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନଥିବାରୁ, ବିଜେଡି ବିଧାୟକମାନଙ୍କର ଏହା ଥିଲା ଏକ ଅଭିନବ ରାଜନୈତିକ ପ୍ରତିବାଦ । ମୁଖ୍ୟମନ୍ତ୍ରୀ ବିଧାସଭାରେ ରହିବା ଲାଗି ବିମୁଖ ବୋଲି ସେମାନେ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଲା ଯେ ମୁଖ୍ୟମନ୍ତ୍ରୀ ସେଦିନ କିଛ ବିଧାନସଭା ବାହାର ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସିପାରିନଥିଲେ । ଗୋଟିଏ ଦିନର କାର୍ଯ୍ୟବ୍ୟସ୍ତତା ଯୋଗୁ ମୁଖ୍ୟମନ୍ତ୍ରୀ ଆସିପାରିନଥିବାରୁ ବିଜେଡିକୁ ଲଣ୍ଠନ ଧରିବାକୁ ପଡିଲା । ହେଲେ ସେମାନଙ୍କର ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିନଦିନ ଧରି ବିଧାନସଭା ନଆସି ନବୀନ ନିବାସରେ ଆରାମ କରିବାର ନଜିର ରହିଛି । ଏହାଛଡା ଅନେକ ସମୟରେ ଭର୍ଚ୍ୟୁଆଲ୍ ବା ଟିଭିପରଦାରେ ସେ ନିଜର ସରକାରୀ କାର୍ଯ୍ୟ ସମ୍ପାଦିତ କରୁଥିଲେ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ତାଙ୍କର ଦଳର ନେତା, କର୍ମୀ ଓ ମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଥିଲେ ସେ ଅପହଂଚ । ବିଭିନ୍ନ ସମୟରେ ନବୀନଙ୍କୁ ଘେରି ରହିଥିଲେ ଭିନ୍ନଭିନ୍ନ କୋଟେରୀ । ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସମୟରେ ପର୍ଯ୍ୟାୟ କ୍ରମେ ରାମଦୋଳୀରେ ତଳୁଉପର ହେଲାଭଳି ଦୁଇତିନୋଟି କୋଟେରୀ କାମ କରିଥିବା ବେଳେ ଭୈରଭ କାର୍ତିକେୟନ ପାଣ୍ଡିଆନ୍‌ଙ୍କ ସମୟରେ ମଧ୍ୟ କିଛି କୋଟେରୀ କାମ କଲେ ।

ନବୀନଙ୍କ ପ୍ରତ୍ୟେକ କୋଟେରୀଗୁଡିକର ସଦସ୍ୟାମାନଙ୍କର ଓଡ଼ିଶାର ମାଟି, ଗୋଡି, ପାଣି ଓ ଖଣି ପ୍ରତି ଥିଲା ଅହେତୁକ ତଥା ଅତ୍ୟନ୍ତ ଆସକ୍ତି । ଲାଗି ପଡିଲେ ଏହି ସମ୍ପଦଗୁଡିକୁ ଗିଳି ଉଦରସ୍ତ କରିବା ପାଇଁ । କିଛି ବିଧାୟକ ଓ ମନ୍ତ୍ରୀ ଖଣିଜ ଦ୍ରବ୍ୟ ପରିବହନରେ ମାତିଲେ । କିଛି ଠିକାଦାରୀରେ ଲାଗିଲେ । ଆଉ କିଛି ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟା ଦ୍ୱାରା ଜମି ଓ ଘର ମାଡିବସିଲେ । ଲୁଣ୍ଠନର ମାତ୍ରା ଏମିତି ବଢିଗଲା ଯେ ଏସବୁ ଖବର ଜାତୀୟସ୍ତରରେ ନିୟମିତ ପ୍ରକାଶ ପାଇଲା । ଏଠାକୁ ଖଣି ଦୁର୍ନୀତି ତଦନ୍ତ ପାଇଁ ଜଷ୍ଟିସ୍ ଶାହା କମିଶନ ଆସିଲେ । ଚିଟ୍‌ଫଣ୍ଡ ତଦନ୍ତ ପାଇଁ ସିବିଆଇ ଆସିଲା । ଜମି ଦୁର୍ନୀତି ପାଇଁ ପାଇଁ ତଦନ୍ତ ହେଲା ଏବଂ ତତ୍କାଳୀନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭଳି ଇଚ୍ଛାଧୀନ କୋଟାରେ ଏକାଧିକ ହାତେଇଥିବା ନେତାଙ୍କୁ ଘର ଫେରାଇବା ପାଇଁ ପଡିଲା । କଳ୍ପତରୁ ଦାସଙ୍କ ଘଙ୍ଗାପାଟଣା ଜମି ଦୁର୍ନୀତି ରାଜ୍ୟ ରାଜନୀତିକୁ ଉଠାଇଲା ପକାଇଲା ।
ନାରୀ ନିର୍ଯ୍ୟାତନାର କାହାଣୀ ସବୁଠାରୁ ବଳି ପଡିଲା । ବେବିନା, ମାଧବୀଲତା, ଇତିଶ୍ରୀ, ମମିତା ମେହର, ପରୀ ହତ୍ୟା ଓ ପିହୁ ନିଖୋଜ ଘଟଣା ଆଜି ବି ପୂର୍ବବତ୍ ରାଜ୍ୟବାସୀଙ୍କ ମନରେ ସତେଜ ହୋଇ ରହିଛି ଏବଂ ପ୍ରତି ସଚେତନ ମନ ଓ ଆତ୍ମାକୁ ଆନ୍ଦୋଳିତ କରୁଛି ।
ଯେତେବେଳେ ରାଜ୍ୟବାସୀଙ୍କ ଉପରେ ଦୁର୍ନୀତିର ପାହାଡ ଧସି ସେମାନଙ୍କୁ ଅଣନିଶ୍ୱାସୀ ତଥା ଆକ୍ତାମାକ୍ତା କରିଦେଉଥିଲା ବା ଯେତେବେଳେ ନିର୍ଯ୍ୟାତିତ ନାରୀମାନଙ୍କର ଯନ୍ତ୍ରଣାଶିକ୍ତ ସ୍ୱର ଟିକିଏ ରାହା ଖୋଜୁଥିଲା, ସେତେବେଳେ କୋଟେରୀରେ କାର୍ଯ୍ୟରତ କୌଣସି ଜଣେ ବ୍ୟକ୍ତି ନବୀନଙ୍କୁ ନବୀନ ନିବାସରୁ ବାହାରି ବାହାର ଦୁନିଆଁକୁ ଦେଖିବା ପାଇଁ କହିଥିଲେ ବୋଧହୁଏ ବହୁତ କିଛି ସମସ୍ୟାର ସମାଧାନ ହୋଇପାରିଥାନ୍ତା । ନବୀନ ଜାଣିକରି ନିଜର ସ୍ୱର୍ଗର ପାରିଜାତସମ ସୁସଜ୍ଜିତ ନବୀନ ନିବାସରେ ରହି ଦକ୍ଷିଣା ପବନରେ ରହିବାକୁ ଭଲ ପାଉଥିଲେ ନା ତାଙ୍କୁ ସେଠାରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା, ତାହା କେବେଳ ତାଙ୍କୁ ହିଁ ଜଣା ।

ନବୀନଙ୍କର ଆନମନା ନେଇ କିଛି ଖଣି, ଜମି ଓ ଶିକ୍ଷା ବେପାରୀ ରାଜନୀତିକୁ ଆସି ସମ୍ପତ୍ତି କମାଇବାରେ ଲାଗିଲେ । ସେମାନଙ୍କର ଆଧିପତ୍ୟ ଏମିତି ବଢିଗଲା ଯେ ସେମାନେ ଧରାକୁ ସରା ମଣିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ମସଗୁଲ୍ ହୋଇପଡିଲେ । ଏମାନଙ୍କ ଭିତରେ ରହିଥିଲେ ଝାରସୁଗୁଡା, କେନ୍ଦୁଝର ଓ ଜଗତସିଂହପୁରର କିଛି ତଥା କଥିତ ବେପାରୀର ନେତା ବନିଥିବା ବ୍ୟକ୍ତିତ୍ୱ । ଯେତେବେଳେ ରାଜ୍ୟରେ ଅରାଜକତା ଶିଖର ଛୁଉଁଥିଲା ଓ ବ୍ୟକ୍ତି ସ୍ୱାଧୀନତା ତଥା ବାକସ୍ୱାଧୀନତାକୁ ଏକ ପ୍ରକାର ପଙ୍ଗୁ କରିଦିଆଯାଉଥିଲା, ସେତେବେଳେ ଲଣ୍ଡନ ଧରାଳୀଙ୍କର ଘୋର ଅଭାବ ଅନୂଭୂତ ହେଉଥିଲା ।

ଏବେ ଲଣ୍ଠନ ଧରି ବୁଲୁଥିବା ନେତାମାନଙ୍କର କିଛି ସାଥୀ ସେତେବେଳେ ଭୁଲିଯାଇଥିଲେ ସେମାନେ ‘ମାନ୍ୟବର’ ବୋଲି । ମାନବମାନଙ୍କ ଦ୍ୱାରା ନିର୍ବାଚିତ ମଉଡମଣି ମାନ୍ୟବର ହୋଇଥିଲେ ମଧ୍ୟ ନିଜର ପଦମର୍ଯ୍ୟାଦା ଭୁଲି ସେମାନେ ପାଣ୍ଡିଆନଙ୍କ ପାଇଁ ଟ୍ରାଫିକ୍ ଡିୟୁଟି ଓ ଜଗୁଆଳୀ କାର୍ଯ୍ୟ କରିବାର ଚିତ୍ର ଏ ଓଡ଼ିଆ ଜାତିକୁ ବେଶ୍ ବାଧିଥିଲା । ସେ ଚିତ୍ରଗୁଡିକ ଯେତେବେଳେ ଏବେ ବି ସୋସିଆଲ୍ ମିଡିଆରେ ଆସୁଛି, ଏବେ ବି ଓଡ଼ିଆ ପ୍ରାଣ ଓ ମନରେ କ୍ଷୋଭ ଓ କ୍ରୋଧ ଜାତ ହେଉଛି । ଏତେ ସମ୍ପନ୍ନ ପିତାମାତାଙ୍କ ସନ୍ତାନ ହୋଇ ଏହି ନେତାମାନେ ପଦପଦବୀରେ ରହି ଏମିତି ଯେ ପଦଲେହନ କରିପାରନ୍ତି, ତାହା ସାଧାରଣ ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଧିରେଧିରେ ସେମାନଙ୍କ ମନରେ ନବୀନଙ୍କ ଦ୍ୱାରା ପ୍ରାଧିକୃତ ପାଣ୍ଡିଆନ୍‌ରାଜ ବିରୋଧରେ ଅସନ୍ତୋଷ ଦାନା ବାନ୍ଧିଥିଲା ।

ଓଡ଼ିଶାର ସାମଗ୍ରିକ ବିବେକକୁ ବନ୍ଧକ ରଖି ଯେତେବେଳେ ଭୈରବ କାର୍ତିିକେୟନ ପାଣ୍ଡିଆନ୍ ୫-ଟି ନାମକ ଏକ ଅବୈଧ ବ୍ୟବସ୍ଥା ତିଆରି କରି ଏ ଓଡ଼ିଆ ଜାତିକୁ ଅବଦମିତ କରି ରଖି ଶାସନଭାରକୁ ନିଜ କବ୍‌ଜାକୁ ନେବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଯଦି ଲଣ୍ଠନ ଧରି ଦଳର ନେତାମାନେ ନବୀନଙ୍କୁ ଖୋଜି ନବୀନ ନିବାସରୁ ବାହାରକୁ ଆଣି ବାହାର ଦୁନିଆଁରେ କ’ଣ ଘଟୁଛି, ତାହା ଦେଖାଇପାରିଥାନ୍ତେ, ତେବେ ଆଜି ସ୍ଥିତି କିଛି ଅଲଗା ହୋଇଥାନ୍ତା । ଓଡ଼ିଅ।ମାନଙ୍କୁ ଦାସତ୍ୱର ଶୃଙ୍ଖଳରେ ବାନ୍ଧିବା ପାଇଁ ଯେଉଁ ବିଶାଳ ଷଡଯନ୍ତ୍ର କରାଯାଇଥିଲା, ତାହା ରୂପ ନେବା ଆଗରୁ ଷଡଯନ୍ତ୍ରକାରୀଙ୍କୁ ଠିକଣା ରାସ୍ତା ଦେଖାଯାଇପାରିଥାନ୍ତା ।

ବିଜୁ ଜନତା ଦଳର ସୃଷ୍ଟି ହୋଇଥିଲା ତତ୍‌କାଳୀନ କଂଗ୍ରେସ ସରକାର ସମୟରେ ଦେଖାଦେଇଥିବା ଅରାଜକତାରୁ । ନାରୀ ନିର୍ଯ୍ୟାତନା, ଦୁର୍ନୀତି ଓ ପୁଲିସ୍ ଅତ୍ୟାଚାର ବିରୋଧରେ ଜନତାଙ୍କ ଆକ୍ରୋଶରୁ ବିଜେଡିକୁ ସମର୍ଥନ ଅଜାଡି ଦେଇଥିଲେ ରାଜ୍ୟବାସୀ । କିନ୍ତୁ ଯେଉଁମାନେ ଦଳ ତିଆରି କରିଥିଲେ, ସେମାନଙ୍କୁ ଧିରେଧିରେ ପଙ୍ଗୁକରି ନବୀନ ଯେଉଁ ନୂଆ ପିଢିର ନେତା ସୃଷ୍ଟି କଲେ, ସେମାନେ ଭୂଲିଗଲେ ଏ ଜାତିର ଇତିହାସ । ଭୁଲିଗଲେ ଖାରବେଳ, ସୁଭାଷ ବୋଷ, ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିଜୁ ପଟ୍ଟନାୟକଙ୍କ କଥା । ଲଣ୍ଠନ ଉଜାଗର ଓ ସତ୍ୟ ସନ୍ଧାନର ପବିତ୍ର ପ୍ରତୀକ । ଲଣ୍ଠନ ଧରି ସତ୍ୟର ସନ୍ଧାନ କରାଯାଉ, - ଅସତ୍ୟର ଆଲୋକକୁ ସୁରକ୍ଷା ପାଇଁ ନୁହେଁ ।

OTV is now on Whatsapp

Join and get latest news update delivered to you via whatsapp

Join Now