Advertisment

Terrorist Attack in Pahalgam: କାହିଁକି ପହଲଗାମରେ ଆତଙ୍କୀ କଲେ ହମଲା; ସାମ୍ନାକୁ ଆସିଲା ଏହି ସମ୍ଭାବ୍ୟ କାରଣ

ଜମ୍ମୁ-କାଶ୍ମୀରର ପହଲଗାମରେ ଶୁଭୁଛି ଆର୍ତ୍ତ ଚିତ୍କାର। ଲୁହରେ ଭିଜୁଛି ପହଲଗାମ। ନିଜ ସିନ୍ଦୁରକୁ ହରାଇ ଛାତିଫଟାଇ କାନ୍ଦୁଛି ସ୍ତ୍ରୀ। ବାପାକୁ ହରାଇ ଅନାଥ ହୋଇଯାଇଛି ପୁଅ। ସେହିପରି ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛି ମା’। ଭାଇର ରାକ୍ଷୀକୁ ମନେ ପକାଇ କାନ୍ଦିକାନ୍ଦି ଲୋଟିଯାଉଛି ଭଉଣୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal  Attack

Naxal Attack

ଜମ୍ମୁ-କାଶ୍ମୀରର ପହଲଗାମରେ ଶୁଭୁଛି ଆର୍ତ୍ତ ଚିତ୍କାର। ଲୁହରେ ଭିଜୁଛି ପହଲଗାମ। ନିଜ ସିନ୍ଦୁରକୁ ହରାଇ ଛାତିଫଟାଇ କାନ୍ଦୁଛି ସ୍ତ୍ରୀ। ବାପାକୁ ହରାଇ ଅନାଥ ହୋଇଯାଇଛି ପୁଅ। ସେହିପରି ପୁଅକୁ ହରାଇ ବୁକୁ ଫଟାଇ କାନ୍ଦୁଛି ମା’। ଭାଇର ରାକ୍ଷୀକୁ ମନେ ପକାଇ କାନ୍ଦି କାନ୍ଦି ଲୋଟିଯାଉଛି ଭଉଣୀ।

Advertisment

ତେବେ ଏହି ସବୁ ଭିତରେ କାହିଁକି ଖେଳିଲେ ଆତଙ୍କୀ ରକ୍ତର ହୋଲି ? କାହିଁକି କଲେ ଶାନ୍ତ ଉପତ୍ୟକାରେ ଏକ ବଡ଼ ହମଲା? ହମଲା ପଛରେ କ’ଣ ରହିଛି କାରଣ। କାହିଁକି ଆତଙ୍କୀ ଘଟାଇଲେ ଏପରି ଲଙ୍କା କାଣ୍ଡ। ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନାହିଁ। କିନ୍ତୁ ଅନେକ ନିନ୍ଦା, ପ୍ରତିବାଦ, ଆରୋପ ପ୍ରତ୍ୟାରୋପ ଭିତରେ ଆସୁଛି ଅନେକ କାରଣ । ହୁଏତ ଏହି ସମ୍ଭାବ୍ୟ ୫ କାରଣ ପାଇଁ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ଆସନ୍ତୁ ଜାଣିବା ସେହି ୫ କାରଣ ବିଷୟରେ।

ସମ୍ଭାବ୍ୟ କାରଣ ୧-

ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି ବିଶ୍ୱର ଏକ ନମ୍ବର ଓ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜେଡି ଭାନ୍ସ ଓ ତାଙ୍କ ପରିବାର। ତେଣୁ ଏମିତି ରକ୍ତର ହୋଲି ଖେଳି ନିଜର ଆଧିପତ୍ୟ ଓ ଉପସ୍ଥିତି ଥିବା ଜାହିର କରିବାକୁ ଚାହୁଁ ଥାଇପାରନ୍ତି ଆତଙ୍କବାଦୀ ଗୋଷ୍ଠୀ ।

Advertisment

ଅନ୍ୟପକ୍ଷରେ ଆତଙ୍କୀ ସଂଗଠନ ଟିଆରଏଫର ଏଭଳି କାଣ୍ଡକୁ ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଜେଡି ଭାନ୍ସ। ଏହା ପୂର୍ବରୁ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା। ସମାନ ଧରଣର ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୨୦୦୦ ମସିହା 20 ମାର୍ଚ୍ଚରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଭାରତ ଗସ୍ତରେ ଥିବା ବେଳେ ଅନନ୍ତନାଗ ଜିଲ୍ଲା ଛିତିସିଂହପୁରା ଗାଁରେ ୩୫ ଜଣ ଶିଖ୍ ନାଗରିକଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଯେହେତୁ 26/11 ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହୱୁର ରାଣାକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ଆମେରିକା, ତେଣୁ ଆମେରିକା ଭାଇସ ପ୍ରେସିଡେଣ୍ଟଙ୍କ ଭାରତ ଗସ୍ତ ବେଳେ ଆକ୍ରମଣ କରି ଏମିତି ଏକ ସନ୍ଦେଶ ଦେବାକୁ ଚାହିଁ ଥାଇପାରେ ଆତଙ୍କୀ ସଂଗଠନ ।...

ସମ୍ଭାବ୍ୟ କାରଣ ୨-

ଯେହେତୁ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ଗସ୍ତ କରିଥିଲେ, ତାଙ୍କ ଅନୁପସ୍ଥିତିରେ ଦେଶରେ ଏତେବଡ଼ ନାରକୀୟ କାଣ୍ଡ କରି ଭାରତ ସରକାରକୁ ଚ୍ୟାଲେଞ୍ଜ କରିବାକୁ ଚାହିଁଥାଇପାରନ୍ତି ଆତଙ୍କୀ ସଂଗଠନ । ସାଉଦି ସହ ଭାରତର ସମ୍ପର୍କ ସୁଦୃଢ଼ ହେଉଥିବା ବେଳେ ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଜେଦାହ ଗସ୍ତ କରିଥିଲେ । ତେଣୁ ଏହି ସୁଯୋଗରେ ମୋଦିଙ୍କ ଆତଙ୍କୀ ନିପାତ ଅଭିଯାନକୁ କାଉଣ୍ଟର କରିବା ଲାଗି ଏମିତି ଏକ ଷଡ଼ଯନ୍ତ୍ରକୁ ରୂପ ଦିଆଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅବଶ୍ୟ ଅଘଟଣ ପରେ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତୁରନ୍ତ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେବା ସହ ପରବର୍ତ୍ତୀ ରଣନୀତି କ’ଣ ହେବ ସେ ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।

ସମ୍ଭାବ୍ୟ କାରଣ ୩-

୨୦୧୯ ଅଗଷ୍ଟ ପରେ ଜାମ୍ମୁ ଓ କାଶ୍ମୀରରେ ଏହା ହେଉଛି ସବୁଠାରୁ ବଡ଼ ଆତଙ୍କୀ ହମଲା । ଏହି ଦିନ ମୋଦି ସରକାର ଜାମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଆର୍ଟିକିଲ୍ ୩୭୦କୁ ଉଚ୍ଛେଦ କରିଥିଲେ। ଏହା ପରେ ଭ୍ୟାଲିରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଲାଗି ରହିଥିଲା । ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଦୁଇଟି ଭିନ୍ନ ଭିନ୍ନ ଭୁଖଣ୍ଡରେ ପରିବର୍ତ୍ତନ କରିବା ସହ କେନ୍ଦ୍ର ଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଥିଲେ ମୋଦି ସରକାର । ଯାହାକୁ ନେଇ ଆଜି ମଧ୍ୟ ଭ୍ୟାଲିରେ ଆର୍ଟିକିଲ୍ ୩୭୦କୁ ବିରୋଧ କରାଯାଉଛି । ହୁଏତ ଏହାରି ଆଳରେ ପାକିସ୍ତାନ ପ୍ରାୟୋଜିତ TRF ଆତଙ୍କବାଦୀମାନେ ସ୍ଥାନୀୟ ଲୋକଙ୍କୁ ଉସୁକାଇ ଏହି ନାରକୀୟ କାଣ୍ଡକୁ ରୂପ ଦେଇଥାଇପାରନ୍ତି ।

ସମ୍ଭାବ୍ୟ କାରଣ ୪-

ବଡ଼ କଥା ହେଉଛି ଗତ ମାର୍ଚ୍ଚ ମାସରେ ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିଜ ବିବୃତ୍ତିରେ କହିଥିଲେ ଯେ, ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତୀୟ ଯୁବକମାନେ ଆତଙ୍କୀ ସଂଗଠନରେ ସାମିଲ ହେବା ସଂଖ୍ୟା ଦୃତ ବେଗରେ ହ୍ରାସ ପାଇଛି । କୌଣସି ଆତଙ୍କୀ କାର୍ଯ୍ୟକଳାପରେ ଭାରତୀୟ ଯୁବକଙ୍କ ସଂପୃକ୍ତି ଶୂନ ବୋଲି କହିଥିଲେ ଅମିତ ଶାହ । ହୁଏତ ଅମିତ ଶାହଙ୍କ ଏଭଳି ବୟାନ ପରେ ଭ୍ୟାଲିରେ ନିଜ ଉପସ୍ଥିତି ଓ ଆଧିପତ୍ୟ ଜାହିର କରିବାକୁ ଆତଙ୍କୀ ସଂଗଠନ ଏମିତି ଦୁଃସାହସ କରିଥାଇ ପାରନ୍ତି । କାହିଁକିନା ଗୃହକୁ ତଥ୍ୟ ଦେଇ ଅମିତ ଶାହ କହିଥିଲେ, ୨୦୦୪ରୁ ୨୦୧୪ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ୭ ହଜାର ୨୧୭ ଆତଙ୍କୀ ଆକ୍ରମଣ ହୋଇଥିଲା । ୨୦୧୪ରୁ ୨୦୨୪ ମଧ୍ୟରେ ଏହି ସଂଖ୍ୟାରେ ବଡ଼ ହ୍ରାସ ଘଟି ୨ ହଜାର ୨୪୨କୁ ଖସି ଥିଲା । କେବଳ ସେତିକି ନୁହେଁ ମୋଦି ସରକାର ଅମଳରେ ଆତଙ୍କୀ ହମଲାରେ ଭ୍ୟାଲିରେ ୭୦ ପ୍ରତିଶତ ସାଧାରଣ ନାଗରିକଙ୍କ ମୃତ୍ୟୁ ହାର ହ୍ରାସ ପାଇଛି । ଏହାକୁ ଚ୍ୟାଲେଞ୍ଜ କରିବାକୁ ଯାଇ ପହଲଗାମ୍ ଆତଙ୍କବାଦୀ ହମଲା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ସମ୍ଭାବ୍ୟ କାରଣ ୫-

ଅନ୍ୟତମ କାରଣ ଭାବରେ ଯଦି ନଜର ପକାଇବା ତେବେ ଅମରନାଥ ଯାତ୍ରାକୁ ଆଖି ଆଗରେ ରଖି ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଥାଇ ପାରନ୍ତି ଆତଙ୍କବାଦୀ । ଆସନ୍ତା ଜୁନ୍ ୨୯ରୁ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି ଯାହା ଅଗଷ୍ଟ ୧୯ରେ ସରିବ। ଏହା ପୂର୍ବରୁ ପର୍ଯ୍ୟଟକ, ପ୍ରଶାସନ ଓ ଭାରତ ସରକାରଙ୍କୁ ଚେତାବନୀ ଦେବାକୁ ଯାଇ ଆତଙ୍କବାଦୀ ଗତିବିଧିକୁ ବଢାଇବା ପାଇଁ ଏଭଳି ସଂକେତ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ପହଲଗାମରେ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ହେଉଥିବାରୁ ଏହାକୁ ଟାର୍ଗେଟର ପ୍ରକୃଷ୍ଟ ସ୍ଥାନ ଭାବି ଆଟାକ କରିଥାଇ ପାରନ୍ତି ଆତଙ୍କୀ । ଅମରନାଥ ଗୁମ୍ଫାକୁ ଯାତ୍ରା ପାଇଁ ସୋନମାର୍ଗ ଏବଂ ପହଲଗାମରୁ ଯାତ୍ରୀଙ୍କୁ ଯାତ୍ରା କରିବାକୁ ପଡ଼ିଥାଏ, ତେଣୁ ଏହା ସେମାନଙ୍କ ବଡ଼ ହମଲା ପୂର୍ବରୁ ଏକ ଛୋଟିଆ ଧମାକା ବୋଲି ଧରିନେବାକୁ ସେମାନେ ଚେଷ୍ଟା କରି ଥାଇ ପାରନ୍ତି ବୋଲି ଆକଳନ କରାଯାଉଛି । ହୁଏତ ଏହି ଆକ୍ରମଣ ଜରିଆରେ ଅମରନାଥ ଯାତ୍ରା ପାଇଁ ଇଚ୍ଛୁକ ଯାତ୍ରୀମାନେ ଏଥିରୁ ବିରତ ରହିବେ, ତେଣୁ ସେମାନଙ୍କୁ ଭୟଭୀତ କରିବା ପାଇଁ ଏହି ଆକ୍ରମଣର ଯୋଜନା ବୋଲି ଆଶଙ୍କା କରାଯାଉଛି । ଉଲ୍ଲେଖଯୋଗ୍ୟ, ୨୦୧୭ ମସିହା ଜୁଲାଇ ୧୦ ତାରିଖରେ ଗୁଜରାଟର ୭ ଜଣ ଅମରନାଥ ଯାତ୍ରୀଙ୍କୁ ଅଧାବାଟରେ ହତ୍ୟା କରିଥିଲେ ଆତଙ୍କବାଦୀ ।....

Pahalgam Attack Pahalgam Terrorist Attack Terrorist Attack
Advertisment
Advertisment