/odishatv-khabar/media/post_attachments/uploadimage/library/16_9/16_9_0/Tantrik_1721303736.jpg)
Tantrik
ଯୁଗ ଆସି ଏକବିଂଶ ଶତାବ୍ଦୀ ହେଲାଣି । ମଣିଷ ଯାଇ ଚନ୍ଦ୍ରରେ ପାଦ ଦେଲାଣି । ତଥାପି କୁସଂସ୍କାର ଓ ଅନ୍ଧ ବିଶ୍ୱାସ କବଳରୁ ବାହାରି ପାରୁନି ମଣିଷ । ଅନେକ ଘଟଣା ଘଟିବା ସତ୍ତ୍ୱେ ଚେତୁନି । ଫଳରେ ଅନେକ ଜୀବନ ଯାଉଛି । କେଉଁଠି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମାଆ ପୁଅର ଜୀବନ ନେଉଛି ତ କେଉଁଠି ଡାକ୍ତରଖାନା ବଦଳରେ ତାନ୍ତ୍ରିକ ପାଖରେ କରାଯାଉଛି ଝଡାଫୁଙ୍କା ।
ଫଳରେ ରୋଗ ତ ଭଲ ହେଉନି କିନ୍ତୁ ଅଚିରେ ଝଡ଼ି ପଡ଼ୁଛି ଜୀବନ । ରୋଗ ଦାଉ ସାଧିବା ବେଳେ ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ତାନ୍ତ୍ରିକ ପାଖରେ ଚିକିତ୍ସା କରୁଛନ୍ତି । ଆଉ ଜୀବନକୁ ବିପଦରେ ପକାଉଛନ୍ତି । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନାରେ । ଅନ୍ଧ ବିଶ୍ୱାସର କରୁଣ ପରିଣତିରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବତୀ ଜଣକ ।
ଅଧିକ ପଢ଼ନ୍ତୁ: ଝିଅରୁ ପୁଅ କରିଦେବ କହିଲା ତାନ୍ତ୍ରିକ; ପାଣିରେ ବୁଡ଼ାଇ ତଣ୍ଟି କାଟିଦେଲା
ଯୁବତୀଙ୍କୁ ଅଜବ ତନ୍ତ୍ର ଚିକିତ୍ସା କରି ଗିରଫ ହୋଇଛନ୍ତି ତାନ୍ତ୍ରିକ । ୪ ବର୍ଷ ତଳେ ଜଣେ ଯୁବତୀଙ୍କ ମୁଣ୍ଡରେ ୧୦ରୁ ଅଧିକ ଲୁହାକଣ୍ଟା ପିଟିଥିବା ଅଭିଯୋଗରେ ଗିରଫ କଲା ପୋଲିସ । ସେପଟେ ଗୁରୁତର ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଇଂଚ ଗାଁର ବିଷ୍ଣୁ ବେହେରାଙ୍କ ୧୯ ବର୍ଷୀୟ ଝିଅ ରେଶମା ବେହେରା ୪ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥ ଅନୁଭବ କରିଥିଲେ ।
ଡାକ୍ତରୀ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ନହେବାରୁ ତାଙ୍କ ବାପା କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ତାନ୍ତ୍ରିକ ତେଜରାଜ ରଣାଙ୍କ ନିକଟକୁ ନେଇଥିଲେ । ସେଠାରେ ସନ୍ତୋଷ ରେଶମାଙ୍କ ମୁଣ୍ଡରେ ଏକାଧିକ ଲୁହା କଣ୍ଟା ପିଟିଥିବା କୁହାଯାଉଛି । ପରେ ରେଶମା ମୁର୍ଚ୍ଛିତ ହୋଇଯିବାରୁ କିଛି ଜାଣିପାରିନଥିଲେ ।
ଚାରି ବର୍ଷ ପରେ ଗତ କିଛି ଦିନ ତଳେ ତାଙ୍କୁ ମୁଣ୍ଡରୁ ଲୁହାକଣ୍ଟା ବାହାରକୁ ବାହାରିଥିଲା । ପରିବାର ଲୋକେ ଆଠଟି ଲୁହାକଣ୍ଟା ବାହାର କରିଥିଲେ । ପରେ ଯୁବତୀ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରଯାଇଛି । ସିଟି ସ୍କାନ ପରେ ମୁଣ୍ଡରେ ଆହୁରି ଦଶରୁ ଅଧିକ କଣ୍ଟା ଥିବା ଜଣାପଡିଛି ।
ଏନେଇ କଣ୍ଟାବାଞ୍ଜି ଥାନାରେ ଯୁବତୀଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ତାନ୍ତ୍ରିକକୁ ଗିରଫ କରିଛି । ତେବେ ଏ ନେଇ ପୋଲିସ କିମ୍ବା ସଂପୃକ୍ତ ତାନ୍ତ୍ରିକଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)