ଏଥର ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କରାଯିବ ଚାଷୀ ସମାବେଶ । ଡିସେମ୍ବର ୮ ତାରିଖରେ ବରଗଡ଼ ସୋହେଲାରେ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮ଶହ ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଧାନକିଣା ଆରମ୍ଭ ହେବ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଆସନ୍ତା ୨୦ ତାରିଖରୁ ନଭେମ୍ବର ୮ ତାରିଖ ମଧ୍ୟରେ ଧାନ ବିକିଥିବା ଚାଷୀଙ୍କୁ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବିସିଡି ପ୍ରଦାନ କରାଯିବ ।
ଅଧିକ ପଢନ୍ତୁ: ଧାନ ସଂଗ୍ରହକୁ ନେଇ କଥା କଟାକଟି, କେନ୍ଦ୍ର ଅନୁମତିରେ ମିଳୁନି ବୋନସ୍ !
Also Read
କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକନ ଅବଧି ଗୋଟେ ମାସ ରହିବ । ଏହାକୁ ଆଉ ୭ ଦିନ ବଢାଇବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚେକିଂ କଡ଼ାକଡ଼ି କରାଯିବ । ସିସିଟିଭି ଲଗାଯିବା ସହ ପାଟ୍ରୋଲିଂ କରାଯିବ । ବାହାର ଗାଡ଼ି ଯେମିତି ପ୍ରବେଶ କରିବ ନାହିଁ ଚେକିଂ ହେବ । ଅନ୍ୟପଟେ ପୂର୍ବ ବିଜେଡି ସରକାର ୧୦୦ ଟଙ୍କା ବୋନସ୍ ଦେବାକୁ କରିଥିବା ଘୋଷଣାକୁ ସମାଲୋଚନା କରିଛନ୍ତି ମନ୍ତ୍ରୀ । ଅନ୍ୟପଟେ ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ । ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ।
୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର ୨୦ରୁ ଡିସେମ୍ବର ୭ ଯାଏଁ ଧାନ ସଂଗ୍ରହ ଚାଲିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP କୁଇଣ୍ଟାଲ ପିଛା ୨୩ଶହ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ୮ ଠାରୁ ୨୩ଶହ ଟଙ୍କା ସହିତ ଅତିରିକ୍ତ ୮ଶହ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସେପଟେ ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ଧାନକୁ ନେଇ ବର୍ଷିଛନ୍ତି । ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖିନଥିଲେ । ସୋହେଲାରେ କହିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ ଦେବେ, କିନ୍ତୁ ଦେଲେନି । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଚାଷୀ ପ୍ରସଙ୍ଗ ଉଠାଇ ପୂର୍ବ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଗତ ସରକାର ସୋହେଲାରେ କହିଥିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ ଦେବେ, କିନ୍ତୁ ଟଙ୍କାଟିଏ ଦେଇନଥିଲେ ।
ମାତ୍ର ଆମ ସରକାର ପ୍ରତିଶ୍ରୁତି ଦେଇ, ପ୍ରତିଶ୍ରୁତି ରଖିଛି । ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ । କ୍ୱିଣ୍ଟାଲ ପିଛା ବୋନସ୍ ୮୦୦ ଟଙ୍କା ଦେବାକୁ ବ୍ୟବସ୍ଥା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମବାୟ ସମାଜକୁ କ୍ଷତି ପହଞ୍ଚାଉ ଥିବା ବ୍ୟକ୍ତିଙ୍କ ପାଇଁ ଝାରପଡ଼ା ଜେଲ୍ ଅଛି । 'ହଇରାଣ କରୁଥିବା ତତ୍ତ୍ୱଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ଏଥର ଆଉ ମଣ୍ଡିରେ କଟନି-ଛଟନି ଚାଲିବନି ।