ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର । ସେହିପରି ଆବେଦନ ସମୟ ଆଉ ଦିନେ ବୃଦ୍ଧି ହୋଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ସୁଦ୍ଧା ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନ ପାଇଁ କୁହାଯାଇଥିଲା । ଏହାକୁ ଆଜି ଯାଏ ବୃଦ୍ଧି କରିଛନ୍ତି ସରକାର ।
ଅର୍ଥାତ ଆଜି ସଂଧ୍ୟା ପର୍ଯ୍ୟନ୍ତ ଚାଷୀ ନିଜ ନିଜର କ୍ଷୟକ୍ଷତି ବାବଦରେ ଅବଗତ କରାଇବେ । ସେହିପରି କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । କ୍ଷତି ଆକଳନ ଦିନ ବୃଦ୍ଧି ପାଇଁ ବି ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଗ୍ରାଉଣ୍ଡରେ ରିଅଲିଟି ଚେକ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ତାଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀମାନେ ବି ଗ୍ରାଉଣ୍ଡରେ ଫସଲହାନିର ସ୍ଥିତି ବୁଲି ଦେଖିଥିଲେ । ବୀମାଭୁକ୍ତ ନଥିଲେ କିପରି ଚାଷୀ ସାହାଯ୍ୟ ପାଇବେ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି । ସେପଟେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷକୁ ନେଇ ରାଜନୀତି ଜୋର ଧରିଛି ।
Also Read
ଅଧିକ ପଢ଼ନ୍ତୁ: Special Story: ଜିଲ୍ଲା ଗସ୍ତ କରିବେ ବିଜେଡି ମୁଖିଆ; ଦି ଫାଳ କର୍ମୀ, ଚିନ୍ତାରେ ନେତା...
ଆଜିଠାରୁ ଦୁଇଦିନିଆ ଗସ୍ତରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସେ ଗଞ୍ଜାମ ଚାଷୀଙ୍କୁ ଭେଟିବେ । ୩୧ ତାରିଖରେ ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ । ସେପଟେ କଂଗ୍ରେସ ଦୁଇ ଦଳର ନେତାଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକୁ କଡା ଭାଷାରେ ସମାଲୋଚନା କରିବା ସହ ରାଜନୀତି ନକରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ବୀମା ପଞ୍ଜୀକରଣ ଅବଧିକୁ ଆଉ ତିନି ଦିନ ବଢାଇବାକୁ ଦାବି କରିଛି ।
ହାତରେ ଉଜୁଡା ଫସଲ, ଆଖିରୁ ଝରୁଛି ଲୁହ । କାନ୍ଦି କାନ୍ଦି ସରକାରଙ୍କୁ ଗୁହାରି କରୁଛି ଚଷା ପୁଅ । ମତେ ରକ୍ଷା କର, ଋଣ ଛାଡ଼ କର । ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ । ଅଣ୍ଟା ସଳଖିବା ମୁସ୍କିଲ । ଆଉ ଏହି ଦୁଃଖକଷ୍ଟ ସମୟରେ ଚାଷୀଙ୍କ ପାଖେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି ।
ଖାଲି ସେତିକି ନୁହେଁ କ୍ଷତିପୂରଣ ପାଇଁ ଗ୍ୟାରେଣ୍ଟି ବି ଦେଇଛନ୍ତି । ଦୀର୍ଘ ବର୍ଷ ପରେ ରାଜ୍ୟର ମୁଖିଆଙ୍କୁ ଏତେ ପାଖରେ ପାଇ ଚାଷୀ ନିଜ ଦୁଃଖକୁ ବଖାଣିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ସବୁ ଅଭିଯୋଗ ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିବା ଚାଷୀ ହାତରୁ ଉଜୁଡା ଧାନକୁ ଆଣି ନିଜେ ଦେଖି ଆଶ୍ୱାସନା ଦେଇଛନ୍ତି । ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।