ବିଧାନସଭାରେ ପ୍ରଶ୍ନ ପଚାରି ଫଶିଗଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ରାଜ୍ୟରେ ଆରଆଇ ଏବଂ ଅମିନ ପଦବୀ ଖାଲି ପଡିବା ଓ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ ସାହୁ । ତେବେ ଏହି ପ୍ରଶ୍ନର ଉତ୍ତର ବେଳେ ପୂର୍ବ ବିଜେଡି ସରକାରଙ୍କୁ କଟାକ୍ଷ କରି ଦୋଷ ଲଦିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ । ପଦବୀ ପୂରଣ ପାଇଁ OSSSCକୁ ବିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି।
Also Read
ଅଧିକ ପଢ଼ନ୍ତୁ: ବିଧାନସଭାରେ ଭାଇକୁ ଭାଇର ପ୍ରଶ୍ନ, କନକବର୍ଦ୍ଧନ ସିଂହଦେଓଙ୍କୁ ପ୍ରଶ୍ନ କଲେ କଳିକେଶ ସିଂହଦେଓ
ସେହିପରି ଭୂମିହୀନଙ୍କୁ ପଟ୍ଟା ପ୍ରସଙ୍ଗରେ ଗୃହରେ ରୋଚକ ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି ଭୂମିହୀନଙ୍କୁ ପଟ୍ଟା ମିଳିଛି ହେଲେ ଜମି ଦେଇ ନାହାନ୍ତି ପୂର୍ବ ସରକାର । ଗତ ସରକାର ଲିଫଲେଟ୍ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟିଦେଇଛନ୍ତି, କିନ୍ତୁ ଯେଉଁ ପ୍ରକ୍ରିୟା ହେବା କଥା ହୋଇନାହିଁ । ଫାଇଲ ଖୋଲା ହୋଇନି କି ବ୍ୟକ୍ତି ଅନୁସନ୍ଧାନ ନାହିଁ କି କିଛି ପ୍ରକ୍ରିୟା ହୋଇନି । ଏମିତି କି ବାପା ପଟ୍ଟା ପାଇଥିଲେ, ହେଲେ ପୁଅ ସେ ପଟ୍ଟାକୁ ଧରି ବୁଲୁଛି ହେଲେ ଏଯାଏଁ ଜମି ପାଉନି । ଆମ ସରକାର ସେମାନଙ୍କୁ ଠାବ କରିବା ପାଇଁ ସର୍ଭେ ଆରମ୍ଭ କରିଛନ୍ତି । ଯେତେ ଲୋକଙ୍କୁ ପଟ୍ଟା ମିଳିଛି ତାଙ୍କୁ ଜମି ଦଖଲ ଦିଆଯିବ । ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।