/odishatv-khabar/media/post_attachments/uploadimage/library/16_9/16_9_0/maoist_1748528884.jpg)
maoist
ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ହିଁ ଲୁଟିଛନ୍ତି 4 ଟନର ବିସ୍ଫୋରକ। ଖବର ସ୍ପଷ୍ଟ ହେବା ପରେ ମାଓବାଦୀଙ୍କ ବ୍ୟବହାରରେ ଲାଗିବା ପୂର୍ବରୁ ଲୁଟ୍ ବିପୁଳ ବିସ୍ଫୋରକ ଜବତ୍ ପାଇଁ ବଡ଼ ଧରଣର କମ୍ବିଂ ଅପରେସନ୍ ଚାଲିଛି। ଏନ୍ଆଇଏ ଟିମ୍ ମଧ୍ୟ ପହଞ୍ଚି ତନାଘନା ଆରମ୍ଭ କରିଛି। ହେଲେ ଲୁଟର ତିନିଦିନ ପରେ ବି ସଫଳତା ହାତରେ ଲାଗି ନଥିବାରୁ ଚିନ୍ତା ବଢ଼ିଛି। ଏପଟେ କେଉଁ ପରିସ୍ଥିତିରେ ମାଓବାଦୀ ଏତେ ସହଜରେ ଏତେବଡ଼ କାଣ୍ଡ ଘଟାଇଲେ, ଏସ୍ଓପି ପାଳନକୁ ନେଇ ବି ଉଠିଛି ବଡ଼ ପ୍ରଶ୍ନ।
ଅଧିକ ପଢ଼ନ୍ତୁ: ଭାରତର ଗୁପ୍ତ ତଥ୍ୟ ଚୋରି କରୁଛି ଚୀନ CCTV ! ମୁକାବିଲା ପାଇଁ ଭାରତ ନେଲା କଠୋର ପଦକ୍ଷେପ
ସୁରକ୍ଷା କର୍ମୀଙ୍କ ବିରୋଧରେ ବ୍ୟବହାର କିମ୍ବା ସଂଗଠନ ଭିତରେ ବିତରଣ ପୂର୍ବରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ପାଇଁ ଜଙ୍ଗଲ ଜଙ୍ଗଲ ଖେଦୁଛନ୍ତି ତିନି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ପୋଲିସ୍ ଟିମ୍। ସିଆରପିଏଫ୍ ବି ଦେଉଛି ସହାୟତା। ଇଏ ସେଇ ଚିତ୍ର। ଅପରେସନରେ ଖୋଦ୍ ସିଆରପିଏଫ୍ କମାଣ୍ଡର ଅସିତ୍ କୁମାରଙ୍କ ସହ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା। ଟିମ୍ ସହ ବାଇକ ପଛରେ ବସି ଚାଲିଛି ତୁହାକୁ ତୁହା ଯାଞ୍ଚ୍। ଘଟଣାର ଗୁରୁତ୍ବକୁ ଦେଖି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି। ତଦନ୍ତର ମୂଳରେ ବିସ୍ଫୋରକ ଲୁଟ୍ ସ୍ଥଳ ବାଙ୍କୋ ଖଣି। ଲୁଟରେ କେତେଜଣ ମାଓବାଦୀ ସାମିଲ ଥିଲେ? ବିସ୍ଫୋରକ ସାମଗ୍ରୀ ଲୁଟି ପରେ ସେମାନେ କେଉଁ ଦିଗକୁ ଗଲେ ? କୁହାଯାଉଛି ପ୍ରାଥମିକ ଭାବେ ୟା ଉପରେ ଏବେ ବେଶି ଫୋକସ୍। କାରଣ ମାଓବାଦୀ କିଛି ବଡ଼ ଅଘଟଣ ଘଟାଇବା ପୂର୍ବରୁ ପ୍ରଥମେ ସୁରକ୍ଷିତ ଭାବେ ଉଦ୍ଧାର ଜରୁରୀ। ଓଟିଭିକୁ ମିଳିଥିବା ସୂଚନା ଅନୁଯାୟୀ ବିସ୍ଫୋରକ ସାମଗ୍ରୀ ଲୁଟ୍ ପଛରେ ଝାଡ଼ଖଣ୍ଡ ମାଓବାଦୀଙ୍କ ହାତ ରହିଛି।...ଖୋଦ୍ ପୋଲିସ୍ ଡିଜିପି ୱାଇବି ଖୁରାନିଆଙ୍କ ଖୋଳତାଡ଼ ପରେ ଆଜି ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ଡ୍ରାଇଭରର ସୂଚନା ଆଧାରରେ ମାଓବାଦୀଙ୍କ କାଣ୍ଡ ସ୍ପଷ୍ଟ ହେବା ପରେ ଅପରେସନକୁ ଜୋରଦାର କରାଯାଇଛି।
ଗୋଟିଏ କି ଦୁଇ ଟନ୍ ନୁହେଁ, ପଥର ଖଣିରେ ବ୍ୟବହାର ହେବାକୁ ଯାଉଥିବା 4 ଟନ ବିସ୍ଫୋରକ ମାଓବାଦୀଙ୍କ ହାତରେ ଲାଗିବାକୁ ନେଇ ସାରା ରାଜ୍ୟରେ ଚହଳ। ଇଏ ହେଉଛି ସୁନ୍ଦରଗଡ଼ କେ.ବଳାଙ୍ଗ ଥାନା ଅନ୍ତର୍ଗତ ଜଙ୍ଗଲ ଭିତରେ ଥିବା ସେଇ ବାଙ୍କୋ ଅଞ୍ଚଳ ଯେଉଁଠୁ ମଙ୍ଗଳବାର ପ୍ରାୟ ସାଢ଼େ 8ଟା ବେଳେ ବିସ୍ଫୋରକ ସାମଗ୍ରୀକୁ ଲୁଟି ନେଇଥିଲେ 30ରୁ ଊର୍ଦ୍ଧ୍ବ ମାଓବାଦୀ। ସ୍ଥାନୀୟ ଲୋକଙ୍କ କହିବା କଥା ବନ୍ଧୁକଧାରୀ ମାଓବାଦୀମାନେ ବିସ୍ଫୋରକ ଲୁଟିବା ପୂର୍ବରୁ ସେମାନଙ୍କୁ ଧମକ ଦେଇ ଘରେ ପଶିଯିବାକୁ କହିଥିଲେ। ସମସ୍ତେ ହିନ୍ଦିରେ କଥା ହେଉଥିଲେ। ଯେହେତୁ ଟ୍ରକରୁ ବିସ୍ଫୋରକ ଖଲାସୀ ସରିଥିଲା, ପାଖାପାଖି ଅଧଘଣ୍ଟାରୁ ଅଧିକ ସମୟ ନେଇ ସାମଗ୍ରୀକୁ ସେଇ ଟ୍ରକରେ ଲୋଡ କଲେ। ଡ୍ରାଇଭରକୁ ସାଥିରେ ନେଇ ଖଣିର କିଛି ଦୂରରେ ଥିବା ସରଣ୍ଡା ଜଙ୍ଗଲରେ ଡ୍ରାଇଭର ଖାଲି ଗାଡ଼ିକୁ ଛାଡ଼ି ଚମ୍ପଟ ମାରିଥିଲେ।
ଏଠି ପ୍ରଶ୍ନ ଏତେବଡ଼ ତ୍ରୁଟି ହେଲା କାହିଁକି। ଖଣି କଂପାନି ବିସ୍ଫୋରକ ରଖିବା ଓ ପଠାଇବା ପୂର୍ବରୁ SOP ପାଳନ କରିଥିଲା କି ? ବିସ୍ଫୋରକ ପଠାଇବା ପୂର୍ବରୁ ଜିଲ୍ଲା ପୋଲିସକୁ ସୂଚନା ଦିଆଯାଇଥିଲା ତ? ଯଦି ଦିଆଯାଇଥିଲା କ'ଣ ପାଇଁ ବିସ୍ଫୋରକ ଗାଡ଼ିରେ ସୁରକ୍ଷା କର୍ମୀ ନଥିଲେ ? କେବଳ ଡ୍ରାଇଭର ସହ ୪ ଟନ ବିସ୍ଫୋରକ ପଠାଇବା ପଛର କାରଣ କ'ଣ ? ବିସ୍ଫୋରକ ଲୁଟ ପଛରେ ଅଛି କି ବଡ଼ ଷଡ଼ଷନ୍ତ୍ର ? ଟ୍ରକରେ ବିସ୍ଫୋରକ ସାମଗ୍ରୀ ଯାଉଥିବା ଖବର କାହା ପାଖରେ ଥିଲା ? ବିସ୍ଫୋରକ ପଠାଯିବା ନେଇ ଆଉ କିଏ କିଏ ଜାଣିଥିଲେ ? କାହିଁକିନା ପୂରା ଘଟଣାକୁ ଦେଖିଲେ ପ୍ରଥମତଃ ମାନବ ସମ୍ବଳ ସଂକଟ ଏବଂ ଅସ୍ତ୍ର ସଂକଟରେ ଯୁଝି ହେଉଥିବା ମାଓବାଦୀଙ୍କ ଇଏ ଏକ ଯୋଜନାବଦ୍ଧ ଅପରେସନ୍ ଥିବା ସ୍ପଷ୍ଟ ଜଣାପଡୁଛି। କେମିତି ଘଟିଲା ଏବଂ କେଉଁ ସ୍ଥରରେ ତ୍ରୁଟି ଘଟିଲା ତାର ତଦନ୍ତ ସାଙ୍କକୁ କେତେ ଶୀଘ୍ର ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହେବ ତାହା ପୋଲିସ ପ୍ରଶାସନ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)