ଦୁଇ ଆତ୍ମା ଏକ୍ ହୋଇ ସାତ ଜନ୍ମର ସାଥୀ ହେବାର ବନ୍ଧନକୁ ବିବାହ କୁହାଯାଏ । ଏହାକୁ ଦୁଇଟି ଆତ୍ମାର ପବିତ୍ର ମିଳନ ମଧ୍ୟ କୁହାଯାଏ । ଏଥିରେ ବ୍ୟତିକ୍ରମ ଘଟିଲେ ଦାଂପତ୍ୟ ଜୀବନ ବିଶୃଙ୍ଖଳିତ ହୋଇଯାଏ । ଏହି ସମ୍ବେଦନଶୀଳ ଦିଗ ପ୍ରତି ଆଖି ବୁଜି ଦେଉଥିବା ବାପା, ମା’ ବି ବେଳେ ବେଳେ ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦିଅନ୍ତି । ତାଳଚେର ଅଂଚଳରେ ଠିକ୍ ଏହିଭଳି ଏକ ଘଟଣା ଘଟିଛି । ଏଠି କିନ୍ତୁ ଚତୁର୍ଥୀ ଦିନ ସାହସ ଦେଖାଇ ନବବଧୂ ଫେରିଯାଇଛି ପ୍ରେମିକ ପାଖକୁ ।
ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ନୂଆବୋହୂ ବେଶରେ ସଜେଇ ହୋଇଥିବା ଯୁବତୀଙ୍କ ମନରେ ଟିକେ ବି ସରାଗ ନଥିଲା । କାରଣ ତାଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଇଥିଲା । କିନ୍ତୁ ସେ ଅନ୍ୟ ଜଣଙ୍କୁ ନିଜର ମନ ବିକିସାରିଥିଲେ । ତାଙ୍କ ସହ ଜୀବନ ଜୀଇଁବାକୁ ସ୍ଥିର କରିଥିଲେ । ପ୍ରେମିକ ସହ ବିବାହ ପାଇଁ ଜିଦରେ ଅଟଳ ଥିବା ଏହି ନବବଧୂ ହେଉଛନ୍ତି ବଅଁରପାଳ ଅଞ୍ଚଳର ୨୦ ବର୍ଷିୟା ଯୁବତୀ । କିନ୍ତୁ ଏଥିରେ ବାପା, ମା’ ଏବଂ ପରିବାର ଲୋକେ ରାଜିନଥିଲେ ।
Also Read
ଅଧିକ ପଢ଼ନ୍ତୁ : ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ; ଚଳୁ କରିଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା !
ଶେଷରେ ତାଙ୍କୁ ଜୋର ଜବରଦସ୍ତ ଗତ ୧୮ ତାରିଖରେ ତାଳଚେର ଟାଉନ୍ ବଡ଼ଦାଣ୍ଡ ସାହିର ଟିକନ ବେହେରାଙ୍କୁ ବିବାହ କରାଇ ଦେଇଥିଲେ । ଆଉ କନ୍ୟା ବିଦା କରି ଶାଶୂ ଘରକୁ ପଠାଇ ଦେଇଥିଲେ । କିନ୍ତୁ ଶାଶୁଘରେ ଜୀବନ କାଟିବା ଆଗରୁ ଚତୁର୍ଥୀରେ ନବ ଦମ୍ପତିଙ୍କ ସହ ଉଭୟ ପରିବାର ଥାନାରେ ପହଞ୍ଚିଥିଲେ । କାରଣ ନବବଧୂ ପ୍ରେମିକ ଶିବୁ ଦେହୁରୀଙ୍କୁ ହିଁ ବିବାହ କରିବା ପାଇଁ ଜିଦ୍ କରିଥିଲେ । ତେଣୁ ସ୍ବାମୀ ଟିକନଙ୍କ ଅଭିଯୋଗ ପରେ ନବବଧୂଙ୍କ ସହ ଉଭୟ ପରିବାର ଥାନାରେ ହାଜର ହୋଇଥିଲେ ।
ସୂଚନା ଅନୁଯାୟୀ ପ୍ରଥମେ ସଂପୃକ୍ତ ଯୁବତୀଙ୍କ ବଡ଼ ଭଉଣୀଙ୍କର ଟିକନ ବେହେରାଙ୍କ ସହ ନିର୍ବନ୍ଧ ହୋଇଥିଲା । କିନ୍ତୁ ସେ ଘରଛାଡ଼ି ଅନ୍ୟ ଯୁବକଙ୍କ ସହ ଚାଲି ଯାଇଥିଲେ । ଏହାପରେ ସାନଭଉଣୀଙ୍କୁ ଟିକନଙ୍କ ସହ ବିବାହ କରାଇଥିଲେ ପରିବାର ଲୋକେ । ବିବାହ ପରେ ସଂପୃକ୍ତ ଯୁବତୀ ଶାଶୁଘରକୁ ମଧ୍ୟ ଆସିଥିଲେ । କିନ୍ତୁ ପ୍ରେମିକକୁ ଭୁଲି ପାରୁନଥିବା ଏହି ନବବଧୂ ଚତୁର୍ଥୀରେ ଜିଦ୍ କଲେ ଟିକନ ନୁହଁ ବରଂ ପ୍ରେମିକ ଶିବୁ ଦେହୁରୀଙ୍କ ପାଖକୁ ଫେରିଯିବେ । ସ୍ଥିତି ଏମିତି ହେଲା ଯେ, ନା ପୋଲିସର ବୁଝାସୁଝା କାମ ଦେଲା, ନା ପରିବାର ଲୋକଙ୍କ ତାଗିଦ୍ ।
ଶେଷରେ ଦୁଇ ପରିବାର, ମୂରବୀ, ସାହି ପଡ଼ିିଶା ଏବଂ ତାଳଚେର ପୋଲିସର ଉପସ୍ଥିତିରେ ସଂପୃକ୍ତ ଯୁବତୀ ଏକ ଚୁକ୍ତିନାମା ଲେଖି ପ୍ରେମିକ ଶିବୁ ଦେହୁରୀଙ୍କ ପାଖକୁ ଫେରିଗଲେ । ପ୍ରଶ୍ନ ଉଠୁଛି, ଏଠି ଭୁଲ୍ କାହାର ? ପୁଅ-ଝିଅଙ୍କ ଉପରେ ନିଜ ଇଚ୍ଛାକୁ ବାପା, ମା’ ଲଦି ଦେବା କ’ଣ ଠିକ୍ ? ଯଦି ଯୁବତୀ ଜଣକ ଅନ୍ୟକୁ ଭଲ ପାଉଥିଲେ, ଏକଥାକୁ କାହିଁକି ତାଙ୍କ ବାପା, ମା’ ଗୁରୁତ୍ବ ଦେଲେନି ? ତେବେ ଏନେଇ ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।