Astrospeak
  • Live TV
  • Read In English

Naba Das Murder Mystery: କ’ଣ ହେବ ନବ ହତ୍ୟା ମାମଲାର ପରବର୍ତ୍ତୀ କ୍ରାଇମବ୍ରାଞ୍ଚ ତଦନ୍ତ ?

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଯେତିକି ଖୋଳତାଡ଼ ହେଉଛି । ସେତିକି ରହସ୍ୟ ବଢୁଛି । ନୂଆ ନୂଆ ଦିଗ ବି ସାମ୍ନାକୁ ଆସୁଛି । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗ୍ରାଉଣ୍ଡ ଜିରୋରେ ସରିଛି ଗୋଟିଏ ପର୍ଯ୍ୟାୟ ତଦନ୍ତ ।

Naba Das Murder Case
ନବ ଦାସ ହତ୍ୟା ମାମଲା, ଆଗକୁ ଗୋପାଳ ପାଳି !

ସରିଲା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ସାନି ତଦନ୍ତର ପ୍ରଥମ ପର୍ଯ୍ୟାୟ । ୫ ଦିନର ଖୋଳତାଡ଼ ଭିତରେ ପ୍ରାୟ ୧୫ ଜଣଙ୍କୁ ପଚରାଉଚରା କରାଯାଇଛି । ଦୀର୍ଘଦିନର ବ୍ୟବଧାନ ପରେ ଗ୍ରାଉଣ୍ଡ ଜିରୋରେ ଘଣ୍ଟାଚକଟା କରିଥିବା କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ଗତିବିଧି ଭିତରେ ଆଗକୁ କାହାର ପଡ଼ିବ ପାଳି ? ଚୌଦ୍ବାର ଜେଲରେ ଥିବା ଅଭିଯୁକ୍ତ ଗୋପାଳ ଦାସ ନା ଆଉ କିଏ ?

ନବଙ୍କୁ ମୃତ ଘୋଷଣା କରିଥିବା ଘରୋଇ ହସ୍ପିଟାଲକୁ ଯିବ କି କ୍ରାଇମବ୍ରାଞ୍ଚ ଟିମ୍ ? ପ୍ରକୃତରେ କେଉଁଠି ହୋଇଥିଲା ନବ ଦାସଙ୍କ ମୃତ୍ୟୁ ? ଝାରସୁଗୁଡ଼ା ନା ଭୁବନେଶ୍ବରରେ ? ନବଙ୍କ ଛାତିକୁ ଭେଦ କରିଥିବା ଗୁଳି ସଂପର୍କରେ ହେବ କି ଖୋଳତାଡ଼ ? କାରଣ ଝାରସୁଗୁଡ଼ା ଏବଂ ବ୍ରଜରାଜନଗରରେ ୫ ଦିନର ତଦନ୍ତ ସାରି ଫେରିଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ମାର୍ଚ୍ଚ ୧୮ ଓ ୧୯ରେ ସରବାହାଲସ୍ଥିତ ଘରକୁ ଯାଇ ନବ ଦାସଙ୍କ ପତ୍ନୀ ମୀନତି, ଝିଅ ଦିପାଳୀ ଓ ପୁଅ ବିଶାଳଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାର୍ଚ୍ଚ ୧୯ରୁ ୨୧ ତାରିଖ ଯାଏଁ ଝାରସୁଗୁଡ଼ା ସଦର ମହକୁମା ଡାକ୍ତରଖାନାରେ ଚଳାଇଥିଲା ଖୋଳତାଡ଼ ।

କ୍ରାଇମବ୍ରାଞ୍ଚ ଟିମ୍ ତତ୍କାଳୀନ ସିଡିଏମଓ ଡୋଳାମଣି ପଟେଲ, ଡାକ୍ତର ଜିତନ ପଟେଲ, ରଞ୍ଜନ ପଟେଲ୍ ଓ ନର୍ସ ସଞ୍ଜୁରାଣୀ ଦେହୁରୀଙ୍କ ସହ ରେଡିଓଗ୍ରାଫର ସସ୍ମିତା ବାଗଙ୍କୁ ନବଙ୍କ ECGଠୁଁ ଚିକିତ୍ସା ବ୍ୟବସ୍ଥା ଯାଏଁ ତଥ୍ୟ ଆଦାୟ କରିଥିଲା । ୨୧ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରକୁ ଯାଇ ନବଙ୍କୁ ଏୟାରଲିଫ୍ଟ ସଂପର୍କରେ ଖୋଳତାଡ଼ କରିଥିଲା । ୨୨ତାରିଖରେ ଯୁବ ବିଜେଡି ନେତା ସରୋଜ ସା’ଙ୍କୁ କରିଥିଲା ପଚରାଉଚରା। ସେହିପରି ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତିଯାଇଥିବା ଜୀବନ ନାୟକଙ୍କ ସହ ପ୍ରାୟ ୧୫ ଜଣଙ୍କ ୧୬୧ ବୟାନ ରେକର୍ଡ କରି ଫେରିଛି କ୍ରାଇମବ୍ରାଞ୍ଚ।

ଅଧିକ ପଢ଼ନ୍ତୁ: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ

ସରୋଜ ସା ଗୁଳିକାଣ୍ଡସ୍ଥଳରୁ କିଛି ଦୂରରେ ତତ୍କାଳୀନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ହୋଲ୍ଡଷ୍ଟରରୁ ସର୍ଭିସ ରିଭଲଭର ଛଡ଼ାଇ ନେଇଥିଲେ । ସେ ସେତେବେଳେ ବ୍ରଜରାଜନଗରର ବିଜୁ ଛାତ୍ର ଜନତା ଦଳର ଟାଉନ ସଭାପତି ଥିଲେ । ଯାହାଙ୍କୁ ଗତକାଲି ପ୍ରାୟ ୩ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଟିମ୍ ଘଣ୍ଟାଚକଟା କରିଛି ।

କାହିଁକି ଓ କେଉଁ ପରିସ୍ଥିତିରେ ଆଇଆଇସିଙ୍କ ପାଖରୁ ସର୍ଭିସ ରିଭଲଭର୍ ଛଡ଼ାଇ ନେଇଥିଲେ ସରୋଜ ? ସରୋଜଙ୍କୁ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିନଥିଲା କି ? ଯଦି ତଦନ୍ତ ପରିସରଭୁକ୍ତ କରିନଥିଲା ତେବେ କାହିଁକି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ସରୋଜ କହିଛନ୍ତି, ନବ ଦାସଙ୍କୁ ଗୋପାଳ ଗୁଳି କରିବାପରେ ଉପରକୁ ବ୍ଲାଙ୍କ ଫାଏରିଂ କରିଥିଲା । ତେଣୁ ଭୟଭୀତ ହୋଇ କାଳେ ପୋଲିସ ଅଧିକାରୀ ଫାଇରିଂ କରିଦେବେ ଭାବି ଥାନା ଅଧିକାରୀଙ୍କ ଖୋଲାଥିବା ହୋଲ୍ଡଷ୍ଟରରୁ ରିଭଲଭର୍ ଛଡ଼ାଇ ନେଇଥିଲେ। କିନ୍ତୁ,କାହାକୁ ଗୁଳି କରିବା ଉଦ୍ଦେଶ୍ୟ ନ ଥିଲା ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ବିତିଲାଣି । ଏହି ମାମଲାରେ କେବଳ ଗୋପାଳ ଦାସ ହିଁ ଜଣେ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ । କିନ୍ତୁ କାହିଁକି ହତ୍ୟା କଲା ଗୋପାଳ ଦାସ? ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ଗୋପାଳ ଚଳାଇଥିଲା ନା ଆଉ କିଏ ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ, ରାଜନୈତିକ ନା ଅନ୍ୟ କଣ ଷଡ଼ଯନ୍ତ୍ର ଥିଲା? ତଦନ୍ତ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଆଗକୁ ଏହାର ଖୁଲାସା କରିବ କି ?

ଅଧିକ ପଢ଼ନ୍ତୁ: ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା