ନେତାଜୀଙ୍କ ୧୨୮ ତମ ଜୟନ୍ତୀକୁ ମହାସମାରୋହରେ ପାଳନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ନେତାଜୀ ଅମର ରହେ ନାରାରେ ପ୍ରକମ୍ପିତ ହେଲା କଟକ ସହର । ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାର ଜାନକୀନାଥ ଭବନରୁ ବାରବାଟୀ ଦୁର୍ଗ ପରିସର ସବୁଠି ଶୁଭିଲା ନେତାଜୀଙ୍କ ଜୟ ଜୟ କାର । ୧୨୮ତମ ଜୟନ୍ତୀକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ଆଜି ସକାଳୁ ନେତାଜୀ ମ୍ୟୁଜିୟମ୍ ଖୋଲାଯିବା ପରେ ପରିବେଶ ରାମଧୂନ୍ ପାଲଟିଥିଲା । ଛୋଟଛୋଟ ପିଲାମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବେଶରେ ସଜେଇ ହୋଇ ଜୟଜୟକାର କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ୧୦ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ନେତାଜୀ ଜନ୍ମ ହୋଇଥିବା ୯ ନମ୍ବର କୋଠରୀକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଥିରେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଅନ୍ୟ ବିଧାୟକ, ବିଧାୟିକାଙ୍କ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଅଧିକାରୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଉପସ୍ଥିତ ଥିଲେ ।
Also Read
ଅଧିକ ପଢ଼ନ୍ତୁ: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଶ୍ରୀମନ୍ଦିର ବାହାରେ ୱାଚ୍ ଟାୱାର୍ ଲଗାଇବାକୁ ଚାଲିଛି ଯୋଜନା
ଓଡ଼ିଆ ବଜାର ଜନ୍ମସ୍ଥାନରୁ ବାରବାଟୀ ଦୁର୍ଗ ସବୁଆଡେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ଓ ବୀରତ୍ବର ଗାଥା ଶୁଣିବାକୁ ମିଳିଥିଲା । ସମସ୍ତେ ତାଙ୍କ ବିରତ୍ୱ ଓ ପରାକ୍ରମକୁ ମନେ ପକାଇଥିଲେ । ଏହି କାର୍ଯ୍ୟକ୍ରମରେ INA ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଶତାଧିକ ଜନସାଧାରଣ ଯୋଗଦେଇଥିଲେ । ଅନ୍ୟପଟେ ବାରବାଟୀ ଦୁର୍ଗ ପରିସର ସତ୍ୟବ୍ରତ ଷ୍ଟାଡିୟମରେ ନେତାଜୀଙ୍କ ଜୟନ୍ତୀ ପାଇଁ କରାଯାଇଥିଲା ବଡ ଆୟୋଜନ । ଭାରତ ସରକାର ନେତାଜୀଙ୍କ ଜୟନ୍ତୀକୁ ୨୦୨୧ ମସିହାରୁ ପରାକ୍ରମ ଦିବସ ଭାବେ ପାଳନ କରୁଛନ୍ତି ।
ଏହି ଉପଲକ୍ଷେ ଆଜିଠୁ ୨୫ ତାରିଖ ଯାଏ ଚାଲିବାକୁ ଥିବା ପରାକ୍ରମ ଦିବସକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନେତାଜୀଙ୍କ ତ୍ୟାଗ, ସମର୍ପଣ ନିରନ୍ତର ପ୍ରେରଣା ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଆଜାଦ ହିନ୍ଦ ଫୌଜ ର ଏକମାତ୍ର ଜୀବିତ ସଦସ୍ୟ ଲେଫ୍ଟନାଣ୍ଟ ଆର ମାଧବନ ପିଲାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ନେତାଜୀଙ୍କ ଜନ୍ମସ୍ଥଳୀରେ ପରାକ୍ରମ ଦିବସ ପାଳନ ହେଉଥିବାବେଳେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।