/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737019443.jpg)
Naba Das Murder Case
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦୁଇ ବର୍ଷ ପୂର୍ବରୁ ହେବାର ଥିଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହେଇଛି । ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ସେହି ସମୟରେ ଆମେ ବିଧାନସଭାରେ ସିବିଆଇ ତଦନ୍ତ ନଚେତ ନ୍ୟାୟିକ ତଦନ୍ତ ଦାବି କରିଥିଲୁ। ସେତେବେଳର ସରକାର ଏକମତ ହେଲେ ନାହିଁ ବୋଲି କହିଛନ୍ତି ସାଲୁଜା। ତାଙ୍କ ପରିବାର ବି ନିରବ ରହିଲେ । ଏବେ କିରିମିରା ବ୍ଲକ ଅଧ୍ୟାକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉଠିବା ପରେ ତାଙ୍କ ଜ୍ଞାନ ଉଦୟ ହୋଇଛି । ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିଯିବ ବୋଲି କହିଛନ୍ତି ସାଲୁଜା ।
ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କ ଝିଅ ଦୀପାଳିଙ୍କ ସିବିଆଇ ତଦନ୍ତ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହଛନ୍ତି ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି। ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି ତେବେ ଲିଖିତ ଭାବେ ଜଣାଇଲେ ସରକାର ଏନେଇ ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ଆମେ ମଧ୍ୟ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଶ୍ନ ଉଠାଇଥିଲୁ । ଯିଏ ଗୁଳି କଲା ଧରା ପଡିଲା, କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା।
ଅଧିକ ପଢ଼ନ୍ତୁ: ଚୋରି କଲେ ମା; ଜେଲରେ ବନ୍ଧା ପଡ଼ିଲା ଶୈଶବ
ସେ ଆହୁରି କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି। ତେଣୁ ସତ୍ୟ ବାହାରିବ ନାହିଁ। ସେହି କଥା ହିଁ ହେଲା। ତେବେ ମାମଲା ରି ଓପନ କରାଯିବ କି କଣ ହେବ ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ବିଳମ୍ବରେ ହେଲେ ବି ଅନ୍ତତଃ ଦୀପାଳିଙ୍କ ମନରେ ଆସିଲା ପୂର୍ବ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ।
କିଛି ଦିନ ତଳେ ଭାଇ ବିଶାଲ ଦାସଙ୍କୁ ଥାନାରେ ଅଟକକୁ ନେଇ ଦୀପାଳି ବିଜେଡି ପାର୍ଟି ଅଫିସ୍ରେ ପ୍ରେସମିଟ୍ କରିଥିଲେ । ଆଉ ସେହି ପ୍ରସମିଟ୍ରେ ଭାଇ କଥା ଉଠାଇବା ସହ ବାପାଙ୍କ ମୃତ୍ୟୁକୁ ମନେପକାଇ ନୂଆ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଆଉ ଦୀପାଳିଙ୍କ ଏହି ପ୍ରଶ୍ନରେ ସଙ୍ଗେ ସଙ୍ଗେ ଉତ୍ତର ରଖିଥିଲା ବିଜେପି । ବିଜେପି ମଧ୍ୟ ପ୍ରେସମିଟ୍ କରି ଦୀପାଳିଙ୍କୁ ପୁରୁଣା କଥା ଓ ପୁରୁଣା ସରକାର କଥା କହିଥିଲେ । ଏମିତିକି ବିଜେପି ବିଧାୟକ ବାବୁ ସିଂ ଦୃଢ଼ୋକ୍ତି ବାଢ଼ି କହିଥିଲେ ଯେ, ଦୀପାଳି ନବଙ୍କ ମୃତ୍ୟୁର CBI ତଦନ୍ତ ନେଇ ଲିଖିତ ଅଭିଯୋଗ କରନ୍ତୁ । ଅଭିଯୋଗ ଆଧାରେ ତଦନ୍ତ ହେବ । ଦୁଧ୍ କା ଦୁଧ୍ ପାନି କା ପାନି ହୋଇଯିବ ବୋଲି ବାବୁ ସିଂ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)