ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତ ଅବସରରେ ଭୁବନେଶ୍ବରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କିଭଳି ରହିଛି ବ୍ୟବସ୍ଥା, ତଦାରଖ ପାଇଁ ଗୁରୁବାର ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତ ଅବସରରେ ଭୁବନେଶ୍ବରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୩ ଟା ୪୦ରେ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯିବ।
ପରେ ୩ଟା ୪୫ରୁ ୪ଟା ୧୫ ଯାଏ ରୋଡ୍ ଶୋ' କରିବେ ମୋଦି । ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳୀ ଯାଏ ହେବ ରୋଡ ଶୋ' । ପରେ ଅପରାହ୍ନ ସାଢେ ପାଞ୍ଚଟା ଯାଏ ଜନତା ମଇଦାନରେ ହେବାକୁ ଥିବା ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ସେ ଉପସ୍ଥିତ ରହିବେ । ପରେ ୫ଟା ୫୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ପ୍ରଧାନମନ୍ତ୍ରୀ ମୋଦି ।
Also Read
ଅଧିକ ପଢନ୍ତୁ: ମଝି ଆକାଶରେ ଇଣ୍ଡିଗୋ ବିମାନକୁ ବୋମା ଧମକ, ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ
ଆସନ୍ତାକାଲି 19 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । 105ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୋଦି । 60 ପ୍ରକଳ୍ପର ଶିଳାନ୍ୟାସ ଏବଂ 45 ପ୍ରକଳ୍ପର ଲୋକାର୍ପଣ କରିବେ । ଏ ନେଇ ଆଜି ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଆଇନମନ୍ତ୍ରୀ, ବରିଷ୍ଠ ଅଧିକାରୀଙ୍କ ସହ ଜନତା ମଇଦାନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉଷେଣ୍ଡି ଏବଂ ତମାମ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବେଳେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ ଠାରୁ ବିଶାଳ ରୋଡ଼ ସୋ ରେ ଆସିବେ ପ୍ରଧାନମନ୍ତ୍ରୀ । ପାଖାପାଖି 2 ଲକ୍ଷ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବେ । ଏୟାର ପୋର୍ଟରୁ ଜନତା ମଇଦାନ ଭିତରେ 28ଟି ଜାଗାରେ ସ୍ବାଗତ ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନତା ମଇଦାନରେ ପହଞ୍ଚିବା ପରେ 19 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ କାର୍ଡ ବାଣ୍ଟିବେ, ଲକ୍ଷପତି ଦିଦିଙ୍କୁ ଭେଟିବେ, ମୁଖ୍ୟମନ୍ତ୍ରୀ ଅନ୍ତଦ୍ୟୋୟ ଯୋଜନାରେ ଘର ବାଣ୍ଟିବେ । ସେହିପରି ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କ’ଣ ରହିବ କାର୍ଯ୍ୟକ୍ରମ-
ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ' ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି। ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି ହୋଇଛି । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ଲୋକଙ୍କ ପାଇଁ ୧୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି କାର୍ଯ୍ୟକ୍ରମକୁ ଆସୁଥିବା ବସ୍ ଗୁଡିକ ପାଇଁ ସ୍ବତନ୍ତ୍ର ରୁଟ ଲାଇନର ବ୍ୟବସ୍ଥା ହୋଇଛି । କଟକ ପଟୁ ଆସୁଥିବା ବସ ଗୁଡିକ ପାଇଁ ସୈନିକ ସ୍କୁଲ ନିକଟରେ ପାର୍କିଙ୍ଗ ବ୍ୟବସ୍ଥା ହୋଇଛି । ଖୋର୍ଦ୍ଧା ଓ ନନ୍ଦନକାନନ ପଟୁ ଆସୁଥିବା ବସଗୁଡିକ ଉତ୍କଳ ହସପିଟାଲ ଓ ହାତୀଆଶୁଣି ଛକରେ ପାର୍କିଂ ବ୍ୟବସ୍ଥା ହୋଇଛି । ପୁରୀ ପଟୁ ଆସୁଥିବା ବସଗୁଡିକ ଶିଶୁଭବନ ଛକ ଠାରୁ କ୍ୟାପିଟାଲ ହସପିଟାଲ ଛକ ଯାଏ ପାର୍କିଂ କରିପାରିବେ ।
କଂଗ୍ରେସର ଅନଶନ-
ପ୍ରଧାନମନ୍ତ୍ରୀଙ୍କ ଗସ୍ତଙ୍କୁ କଂଗ୍ରେସ ବିରୋଧ କରିବା ସହ ଦିନିକିଆ ଅନଶନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସକାଳ 9 ଟାରୁ ସଂଧ୍ୟା ପର୍ଯନ୍ତ ଚାଲିବ ଏହି ଅନଶନ। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ 133 ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବଡ ବଡ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଉଛି। ରଥଯାତ୍ରା ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମାଳ ମାଳ ପୋଲିସ ନିୟୋଜିତ କରାଯିବାକୁ ସେ ନିନ୍ଦା କରିଥିଲେ। ରାଜ୍ୟରେ ନାରୀ ଦୁଷ୍କର୍ମ ଏବଂ ନିର୍ଯାତନା ବଢିଚାଲିଛି, ଏଭଳି କ୍ଷତ୍ରରେ ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତ କଣ ବାର୍ତ୍ତା ବହନ କରୁଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଭକ୍ତ। ଯଦି ରାଜ୍ୟର ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵର ସହ ନେଉଛନ୍ତି ତେବେ ନାରୀ ନିର୍ଯାତନା ଏବଂ ହଇଜା ଉପରେ ଭାଷଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ଭକ୍ତ।