/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752650696.jpg)
FM Student Self-Immolation Case
ବାଲେଶ୍ବର ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ । ସେ କହିଛନ୍ତି, ବିରୋଧୀ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାରେ ପ୍ରିନ୍ସିପାଲ୍ ଓ ଏଚଓଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିରୋଧୀ ଦଳର କର୍ମୀ ହିଁ ପୀଡିତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ପୂର୍ବ ସରକାର ଘଟଣାପ୍ରତି ସମ୍ବେଦନଶୀଳ ହେଉନଥିଲେ, ଅଭିଯୁକ୍ତ ବନ୍ଧା ହେଉନଥିଲା । ଏବେ ନୂଆ ସରକାରରେ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ହେଉଛି । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଭେଟି ସମବେଦନା ଜଣାଇଛନ୍ତି । ସରକାର ତ୍ବରିତ ନ୍ୟାୟ ପାଇଁ ବ୍ୟବସ୍ଥା କରିଛନ୍ତି।
ତେବେ ଆଜି ୮ ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି ।
ଏପଟେ ବାଲେଶ୍ୱରରେ ବନ୍ଦ ପାଳନ ବେଳେ ଷ୍ଟେସନ୍ ଛକ ନିକଟରେ ଉପଜିଲ୍ଲାପାଳଙ୍କ ଗାଡି ଅଟକାଇଲେ ବିଜେଡି କର୍ମୀ । ଉପଜିଲ୍ଲାପାଳ ବାଲେଶ୍ବର ସର୍କିଟ ହାଉସ ଅଭିମୁଖେ ଯାଉଥିବା ବେଳେ ଷ୍ଟେସନ ଛକରେ ଗାଡିକୁ ଅଟକାଇ ଥିଲେ । ଶେଷରେ ଉପଜିଲ୍ଲାପାଳ ନିଜେ ଗାଡିରୁ ଓହ୍ଲାଇ ଚାଲି ଚାଲି ସର୍କିଟ ହାଉସ୍ ଅଭିମୁଖେ ଯାଇଥିଲେ ।
ଅନ୍ୟପକ୍ଷେ ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ବିଜେଡି କର୍ମୀ-ପୋଲିସ୍ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ୍ । ପାଣି ମାଡ଼ ପରେ ଛତ୍ରଭଙ୍ଗ ଦେଲେ ବିଜେଡି ନେତା ଓ କର୍ମୀ । ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ । ଆନ୍ଦୋଳନ ବେଳେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିଥିଲେ ବିଜେଡି କର୍ମୀ । ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ ହେବାପରେ ପ୍ରଥମେ ପାଣିମାଡ଼ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି କମିଶନରେଟ୍ ପୋଲିସ । ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ । ଆନ୍ଦୋଳନ ସମୟରେ ପୋଲିସ ସହ ଧସ୍ତାଧସ୍ତି ସମୟରେ କିଛି ବିଜେଡି ନେତା ଓ କର୍ମୀ ଆହତ ହୋଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଥିବା ସୂଚନା ମିଳିଛି । ଏବେ ବି ବିଧାନସଭା ଚତୁଃପାର୍ଶ୍ବରେ କମିଶନରେଟ୍ ପୋଲିସର ଛାଉଣି । ଡ୍ରୋନ୍ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)