/odishatv-khabar/media/post_attachments/uploadimage/library/16_9/16_9_0/Rath_1751039200.jpg)
Rath
ରତ୍ନବେଦିରୁ ଜନ୍ମବେଦି। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ ଜଗନ୍ନାଥ। ଜନସମୁଦ୍ର ବଡ଼ଦାଣ୍ଡ।
ସାଆଁନ୍ତେଙ୍କ ଦିବ୍ୟଲୀଳା, ପୁଣି ଜନସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ କାଳିଆ ଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିରେ ଉଛୁଳୁଥିଲା ଭକ୍ତର ମନ। ଆଉ ଭକ୍ତସାଗରରେ ମିଶିବାକୁ ଜଗା ବି ଥିଲା ଭାରି ଉଚ୍ଛନ୍ନ। ସକାଳ ଧୂପରେ ଖେଚୁଡ଼ି ଖାଇ ବଡ଼ଦାଣ୍ଡକୁ ଆସିବାକୁ ପ୍ରସ୍ତୁତି ଭିତରେ ଏପଟେ ରଥ ପ୍ରତିଷ୍ଠା ସରିଲା। ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା ସୁଭଦ୍ରା, ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ପହଣ୍ଡି ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ। ଜଗା ପହଣ୍ଡି ବେଳର କି ଅପୂର୍ବ ସେ ଦୃଶ୍ୟ, କି କଳା ଘୁମର, କେଡ଼େ ସୁନ୍ଦର ସେ ଚକାଆଖି। କାଳିଆ ଆଖିରେ ଲକ୍ଷ ଲକ୍ଷ ଆଖି ମିଶୁ ମିଶୁ ଯେମିତି ବଡ଼ଦାଣ୍ଡରେ ଖେଳିଯାଇଥିଲା ଭାବର ଜୁଆର, ଭକ୍ତିର ଜୁଆର, ଉଚ୍ଛ୍ବାସର ଜୁଆର।
ଅଧିକ ପଢନ୍ତୁ: ରଥଯାତ୍ରାରେ ଦଳାଚକଟା, ଚାପି ହୋଇ ଚେତା ହରାଇଲେ ଶ୍ରଦ୍ଧାଳୁ
ସକାଳୁ ମଙ୍ଗଳଆଳତୀ ଠାରୁ ନୀତି ବିଳମ୍ବ ହୋଇ ପ୍ରାୟ 50 ମିନିଟ ବିଳମ୍ବରେ ପହଣ୍ଡି ଆରମ୍ଭ ହୋଇଥିଲେ ବି ନିର୍ଦ୍ଧାରିତ ସମୟ ଭିତରେ କିନ୍ତୁ ସରିଯାଇଥିଲା। ଆଉ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।
ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ନିର୍ଦ୍ଧାରିତ ସମୟ ଅପରାହ୍ନ ପ୍ରାୟ 4ଟାରେ ଆରମ୍ଭ ହୋଇଥିଲା ରଥ ଟଣା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଦରିଆରେ ପୋତ ଭଳି ଭକ୍ତିର ବଡ଼ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଘର୍ଘର ନାଦରେ ଗଡ଼ିଥିଲା ରଥ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)