Khalistani Terrorists Target BBSR: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ତେବେ ୟା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି ।

Khalistani Terrorists

ଖଲିସ୍ତାନ ଆତଙ୍କୀ ଟାର୍ଗେଟରେ ଅଛି କି ଓଡ଼ିଶାର ଡିଜିପି- ଆଇଜି ସମ୍ମିଳନୀ ? ଆସନ୍ତାକାଲିଠୁ ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଦେଖାଦେଇଛି ହଇଚଇ । ଶିଖ୍ ଫର୍ ଜଷ୍ଟିସ ସଂଗଠନର ବିଚ୍ଛିନ୍ନତାବାଦୀ ନେତା ପନ୍ନୁ ଏନେଇ ଭିଡିଓ ବାର୍ତ୍ତା ଜାରି କରିଥିବା କୁହାଯାଉଛି ।

ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ତେବେ ୟା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି । ସେପଟେ ପୋଲିସ ଡିଜି-ଆଇଜି ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ସିଟି । ସରି ସରି ଆସୁଛି କାଉଣ୍ଟଡାଉନ୍, ଚୂଡ଼ାନ୍ତ ପର୍ଯ୍ୟାୟରେ ତମାମ୍ ପ୍ରସ୍ତୁତି । ଭୁବନେଶ୍ୱରରେ ୩ଟି ରାଜ୍ୟର ପ୍ରତିନିଧି ସମେତ ପ୍ରାୟ ୩୦ରୁ ଅଧିକ ଅଧିକାରୀ ପହଞ୍ଚି ସାରିଲେଣି ।

IB ନିର୍ଦ୍ଦେଶକ ତପନ ଡେକା ମଧ୍ୟ ପହଞ୍ଚିସାରିଛନ୍ତି । ଆଜି ଭିତରେ ସବୁ ରାଜ୍ୟର ପ୍ରତିନିଧି ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ଅତିଥିଙ୍କୁ ସ୍ୱାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଡିଜିପି କନଫରେନ୍ସରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢ଼ନ୍ତୁ: ପୁଣି ମମତାଙ୍କ 'ଆଳୁ' ଖେଳ ! ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍

ଅପରାହ୍ନ ୪ଟା ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ତା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ କରି କଡ଼ା ଯାଂଚ କରୁଛନ୍ତି ପୋଲିସ ଓ ବିଏସଏଫ । ପିଏମଙ୍କ ଗସ୍ତ ପାଇଁ ରାତିସାରା ଭୁବନେଶ୍ୱରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ କଡ଼ା ଚେକିଂ କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ ।

ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି ସମ୍ମିଳନୀ ଚାଲିବ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଜେଇ ହେଲାଣି ବିଜେପି ରାଜ୍ୟ କାର୍ଯ୍ୟାଳୟ । ଚୂଡ଼ାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ବିଜେପି ପାର୍ଟି ଅଫିସରେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନିଜେ ଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ୨ ଘଣ୍ଟା ରହିବେ ।

ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର ସମୀକ୍ଷା କରିବେ ମୋଦି । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ମୋଦି । ସାଂସଦ ଓ ବିଧାୟକମାନେ ଦେବେ ୬ ମାସର ସରକାରଙ୍କ ରିପୋର୍ଟ । ଏହାସହ ପାର୍ଟି ଅଫିସରେ କରିବେ ରାତ୍ରି ଭୋଜନ । କାଲି ଅପରାହ୍ଣ ୪ଟା ୧୫ରେ ମୋଦି ପହଞ୍ଚିବା ପରେ, ବିମାନ ବନ୍ଦରରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ।

ଏୟାରପୋର୍ଟରୁ ବାହାରି ସାଧାରଣ ସଭା ଓ ରୋଡ୍ ସୋ କରିବେ ପିଏମ୍ ମୋଦି । ଦୁଇ ଘଣ୍ଟାରୁ ଅଧିକ ସମୟ ରାଜ୍ୟ କାର୍ଯ୍ୟାଳୟରେ ରହିବେ ମୋଦି । ୨୯ରେ ଦଳୀୟ କାର୍ଯ୍ୟକ୍ରମ ସାରି ୩୦ ତାରିଖରେ ଡିଜି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା’କୁ ନେଇ ଆସିଲା ବଡ଼ ସୂଚନା; ‘୧୫ ଦିନ ଭିତରେ ସରିବ ରିଜେକ୍ସନ ଯାଞ୍ଚ’