ଯୁଦ୍ଧ ଘନଘଟାରେ ଫସିଥିବା ଇସ୍ରାଏଲରୁ ଫେରିଛନ୍ତି ୧୩ ଓଡ଼ିଆ ଛାତ୍ରଛାତ୍ରୀ । ଆଜି ପ୍ରଥମ ଦଫାରେ ୧୩ ଜଣ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବଖାଣିଛନ୍ତି ଛାତିଥରା ଅନୁଭୂତି । ଯୁଦ୍ଧତ୍ରସ୍ତ ଇସ୍ରାଏଲର ପ୍ରତି ମିନିଟରେ କଣ ହେଉଥିଲା, ସେମାନେ କିଭଳି ନିଜକୁ ସୁରକ୍ଷିତ ରଖୁଥିଲେ, ଇରାନ୍ ଆକ୍ରମଣରୁ ବର୍ତ୍ତିବାକୁ କି ଉପାୟ ଆପଣାଉଥିଲେ, ସେ ସବୁ କଥା ନିଜ ମୁହଁରେ ଗୋଟି ଗୋଟି ବଖାଣିଛନ୍ତି ।
ହାଇପରସୋନିକ୍ ମିଜାଇଲର ଆକ୍ରମଣ, ଇସ୍ରାଏଲର ହାଇଟେକ୍ ଇଣ୍ଟରସେପସନ୍ ସିଷ୍ଟମ୍, ଆଉ ତାରି ଭିତରେ ଜୀବନ ବଞ୍ଚାଇ ନିଜ ଜନ୍ମମାଟିକୁ ଫେରି ଆସିବାର ହାଇ ଟାଇମ୍ । ଯୁଦ୍ଧତ୍ରସ୍ତ ଇସ୍ରାଏଲରୁ ଜୀବନ ବଞ୍ଚାଇ ଭାରତ ମାଟିରେ ପାଦ ଦେବା ପରେ କିଛି ଏମିତି ଥିଲା ଇସ୍ରାଏଲ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଅନୁଭୂତି ।
Also Read
ଅଧିକ ପଢ଼ନ୍ତୁ : ବଦଳିଲା ଆମେରିକାର ଭିସା ନିୟମ, ଏଣିକି ନୋ ପ୍ରାଇଭେସୀ
ଇସ୍ରାଏଲରୁ ଫେରିଥିବା ଓଡ଼ିଆଙ୍କ ମଧ୍ୟରୁ ଜଣେ ଛାତ୍ରୀ ଥିଲେ ବେଙ୍ଗୁରିଆନ ବିଶ୍ବବିଦ୍ୟାଳୟର ରିସର୍ଚ୍ଚ ଆନାଲିଷ୍ଟ । ଦୁଇ ଦିନ ତଳେ ବିଶ୍ବବିଦ୍ୟାଳୟ ଆଗରେ ପଡ଼ିଥିବା ମିଜାଇଲକୁ ନିଜ ଆଖିରେ ଦେଖିଛନ୍ତି ସେ । ଘଟଣାର ଭୟାବହତାକୁ ଅନୁଭବ କରିବା ପରେ ବିଶ୍ବବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ତାଙ୍କ ଭଳି ଅନେକ ଛାତ୍ରଛାତ୍ରୀ ।
ସେହିଭଳି ଜେରୁଜେଲମ, ତେଲ ଆଭିଭ୍, ବୀର୍ ସେବା ଓ ହାଇଫା ଭଳି ସହରରେ ରହୁଥିବା ଆଉ କିଛି ଛାତ୍ରଛାତ୍ରୀ ମଧ୍ୟ ବଖାଣିଛନ୍ତି ଯୁଦ୍ଧର କରାଳ ରୂପ । ଆକ୍ରମଣ ପୂର୍ବରୁ କେମିତି ବାଜି ଉଠୁଥିଲା ସାଇରନ୍ ଆଉ କେମିତି ବଙ୍କର୍ ଭିତରେ ଆଶ୍ରୟ ନେବାକୁ ପଡୁଥିଲା, ସେମାନେ କେମିତି ଭୟଭୀତ ଅବସ୍ଥାରେ ରହୁଥିଲେ ସେ କାହାଣୀ ବି ବଖାଣିଛନ୍ତି ।
କେନ୍ଦ୍ର ସରକାରଙ୍କ ଅପରେସନ୍ ସିନ୍ଧୁ ଜରିଆରେ ବାୟୁସେନାର ଗ୍ଲୋବ୍ ମାଷ୍ଟର ବିମାନରେ ମୋଟ ୧୬୫ ଭାରତୀୟ ଇସ୍ରାଏଲରୁ ସ୍ବଦେଶ ଫେରିଛନ୍ତି । ସେ ଭିତରେ ପ୍ରଥମ ପର୍ଯ୍ୟାୟରେ ଫେରିଛନ୍ତି ୧୩ ଓଡ଼ିଆ । ଆଉ ୧୨ ଜଣଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଆଣୁଛନ୍ତି ସରକାର। ଏ କଠିନ ସମୟରେ ସେମାନଙ୍କୁ ନିଜ ଜନ୍ମମାଟିକୁ ଫେରାଇ ଅଣାଯାଇଥିବାରୁ ବେଶ୍ ଆଶ୍ବସ୍ତ ହୋଇଛନ୍ତି ସେମାନେ ।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ କଡ଼ା ତାଗିଦ୍, ଇରାନ-ଇସ୍ରାଏଲ ଯୁଦ୍ଧରେ ଲାଗିଲା ସ୍ଲୋ-ବ୍ରେକ୍