Advertisment

ISKCON Rath Yatra: ଅଦିନରେ ଗଡ଼ିଲା ମହାପ୍ରଭୁଙ୍କ ରଥ, ଜଗନ୍ନାଥ ସଂସ୍କୃତିକୁ ଇସ୍କନର କାଇଁ ଏତେ ହେୟଜ୍ଞାନ ?

ଜଗନ୍ନାଥ ସଂସ୍କୃତିକୁ ପୁଣି ଇସ୍କନର ଘୋର ଅବମାନନା । ଦକ୍ଷିଣ ଆଫ୍ରିକାର ସାଣ୍ଡଟନର ପାଳିଛି ଅଦିନିଆ ରଥଯାତ୍ରା । ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ ବି କରଛି । ଯାହାକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କଠୁ ପୂର୍ବତନ ପରିଚାଳନା କମିଟି ସଦସ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ କଡ଼ା ଆପତ୍ତି ଉଠାଇଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
ISKCON Rath Yatra

ISKCON Rath Yatra

କିଛି ମାନୁନି ଇସ୍କନ । ଜଗନ୍ନାଥ ସଂସ୍କୃତିକୁ ପୁଣି ଅପମାନ । ଗଜପତି ମହାରାଜାଙ୍କୁ ବି ହେୟଜ୍ଞାନ । ଦକ୍ଷିଣ ଆଫ୍ରିକାର ସାଣ୍ଡଟନରେ ୩ ଦିନ ତଳେ ଇସ୍କନ ପାଳିଛି ଅଦିନିଆ ରଥଯାତ୍ରା । ସଂସ୍ଥା ପକ୍ଷରୁ ଜାରି ହୋଇଛି ଫଟୋ ସାଙ୍ଗକୁ ଭିଡିଓ । ତିନି ଠାକୁରଙ୍କୁ ଗୋଟିଏ ରଥରେ ବସାଇ ଚତୁର୍ଥ ବାର୍ଷିକ ରଥଯାତ୍ରା ଫେଷ୍ଟିଭାଲ ପାଳନ କରିଥିବା ନେଇ ସୋସିଆଲ ମିଡିଆ ଏକ୍ସରେ ବାହାଦୂରୀ ମାରିଛି । ଯାହାକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । 

Advertisment

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି, ଜଗନ୍ନାଥଙ୍କ ସଂସ୍କୃତି ଓ ଧାର୍ମିକ ପବିତ୍ରତାକୁ ନଷ୍ଟ କରାଯାଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଭକ୍ତଙ୍କ ଅନୁରୋଧ ସତ୍ତ୍ବେ ଇସ୍କନ ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗକୁ ମଧ୍ୟ ବିଶ୍ବର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିବାକୁ ତାରିଖ ସ୍ଥିର କରିଛି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି

ଜଗନ୍ନାଥ ସଂସ୍କୃତିକୁ ଅବମାନନା କରି କେମିତି ଏ ବର୍ଷ ତିଥି ବାଦ୍ ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ଦିନ ଧାର୍ଯ୍ୟ କରିଛି ଅମାନିଆ ଇସ୍କନ, ତାର ବିବରଣୀ ସାମ୍ନାକୁ ଆସିଛି । ୟୁନାଇଟେଡ୍ ଇସ୍କନ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ- ଜୁନରୁ ସେପ୍ଟେମ୍ବର ମଧ୍ୟରେ ସଂସ୍ଥା, ବ୍ରିଟେନ ଓ ଆୟର୍ଲାଣ୍ଡର ୨୨ଟି ସ୍ଥାନରେ ରଥଯାତ୍ରା ତାରିଖ ସ୍ଥିର କରିସାରିଛି । ଯଦିଓ ଏବର୍ଷ ତିଥି ଅନୁସାରେ ଜୁନ୍ ୨୭ରେ ମହାପ୍ରଭୁଙ୍କ ରଥଯାତ୍ରା ପଡୁଛି, କିନ୍ତୁ ଜୁଲାଇରେ ଲଣ୍ଡନ ସହ ୯ଟି ସ୍ଥାନରେ, ଅଗଷ୍ଟରେ ୫ଟି ଓ ସେପଟେମ୍ବରରେ ୩ଟି ସ୍ଥାନରେ ରଥ ଗଡ଼ାଇବାକୁ ଦିନ ଧାର୍ଯ୍ୟ କରିଛି । ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ବୋଲି ଦର୍ଶାଇଛନ୍ତି ଶ୍ରୀମନ୍ଦିର ସେବାୟତ। ଏହା ବିରୋଧରେ ସଂସଦରେ ସ୍ବର ଉତ୍ତୋଳନ କରିବାକୁ ସେମାନେ ଦାବି ଉଠାଇଛନ୍ତି । ପୁରୀ ଜିଲ୍ଲାପାଳ କହିଛନ୍ତି ଇସ୍କନ କିପରି ଏଥିରୁ ବିରତ ହେବ ସେ ଦିଗରେ ଆଲୋଚନା ଚାଲିଛି ।

Advertisment

ଗତବର୍ଷ ନଭେମ୍ବରରେ ଆମେରିକାର ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ତୁମ୍ବିତୋଫାନ୍ ହୋଇଥିଲା । ଏମିତିକି ସ୍କନ୍ଦ ପୁରାଣ ଅନୁସାରେ କେବଳ ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ହିଁ ରଥଯାତ୍ରା ପାଳିବାକୁ ଇସ୍କନକୁ ଚିଠି ଲେଖି ଅପିଲ୍ କରିଥିଲେ ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯାହାପରେ ଇସ୍କନ ନଇଁବା ସହ ସେଠି ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିଥିଲା । ତାସହ ଗତ ମାର୍ଚ୍ଚ ୨୫ରେ ଭୁବନେଶ୍ବରରେ ଇସ୍କନ ସ୍କଲାର୍ସମାନଙ୍କ ସହ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗଜପତି ମହାରାଜାଙ୍କ ସହ ଆଲୋଚନାବେଳେ ସକରାତ୍ମକ ମନୋଭାବ ମଧ୍ୟ ପ୍ରଦର୍ଶନ କରିଥିଲା । ହେଲେ ତା ପରେ ବି ମନମାନି ଚଳାଇଛି । 

ଯଦିଓ ସାଣ୍ଡଟନ୍ ରଥଯାତ୍ରା ପାଳନ ନେଇ ସଂସ୍ଥା ପକ୍ଷରୁ ଏଯାବତ୍ କୌଣସି ପ୍ରତିକ୍ରିୟା ଆସିନି, ତେବେ ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଥିବାରୁ ଏ ଦିଗରେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଗୁରୁ ଶଙ୍କରାଚାର୍ଯ୍ୟ କୌଣସି ପଦକ୍ଷେପ ନେବାକୁ ହେଲାଣି ନିବେଦନ ।

ISKCON ISKCON Rath Yatra
Advertisment
Advertisment