Cuttack Bali Yatra: ବାଲିଯାତ୍ରାରେ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀ ?

କଟକ ବାଲିଯାତ୍ରା ପଡ଼ିଆରେ ଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି ପ୍ରାୟ ୫୦ରୁ ଅଧିକ ଅଣଓଡ଼ିଆ ଭିକାରୀ । ଏଥର କିନ୍ତୁ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀଙ୍କୁ ନେଇ ଉଠିଛି ପ୍ରଶ୍ନ ।

ବାଲିଯାତ୍ରାରେ ଏତେ ଭିକାରୀ ?

କଟକ ବାଲିଯାତ୍ରାରେ ମାତ୍ରାଧିକ ଅଣଓଡ଼ିଆ ଭିକାରୀଙ୍କ ଉପସ୍ଥିତି ପଛରେ କାମ କରୁଛି କି ସଂଗଠିତ ରାକେଟ୍ ? ବାହାର ରାଜ୍ୟର ଭିନ୍ନକ୍ଷମ ଲୋକଙ୍କ ଅସହୟତାକୁ ଉପଯୋଗ କରି ମାମମାଲ ହେଉଛନ୍ତି କି କିଛି ଅସାଧୁ ବ୍ୟକ୍ତି ? କାରଣ ଏଥର ବାଲିଯାତ୍ରାରେ ପ୍ରାୟ ୫୦ରୁ ଅଧିକ ଅଣଓଡ଼ିଆ ଭିନ୍ନକ୍ଷମ ଭିକ୍ଷାବୃତ୍ତି କରିବାର ଦୃଶ୍ୟ ଅନେକଙ୍କୁ ଏଭଳି ସନ୍ଦେହରେ ପକାଇଥିବାରୁ ଏହା ଉପରେ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

କିଏ ଚାଲିବାକୁ ଅସମର୍ଥ, ଆଉ କାହା ପାଇଁ ଛିଡ଼ା ହେବା ବି ଅସମ୍ଭବ । କାହାର ହାତ, ଗୋଡ଼ ନାହିଁ ତ ଆଉ କିଏ ଭୟଙ୍କର ଶାରୀରିକ ବିଲକ୍ଷଣ ହେତୁ ଉଠିବାକୁ ଶକ୍ତି ନାହିଁ । ଏଭଳି ଅବସ୍ଥାରେ ଜଣେ କି ଦୁଇ ଜଣ ନୁହେଁ, କଟକ ବାଲିଯାତ୍ରା ପଡ଼ିଆରେ ଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି ପ୍ରାୟ ୫୦ରୁ ଅଧିକ ଭିନ୍ନକ୍ଷମ । ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଭିତରେ କିଏ ବାଲିରେ ଗଡ଼ି ଗଡ଼ି ଆଉ କିଏ ଟ୍ରାଇ ସାଇକେଲରେ ବୁଲି ବୁଲି ଆଦାୟ କରୁଛନ୍ତି ଟଙ୍କା । ତେବେ ପ୍ରତିବର୍ଷ ବାଲିଯାତ୍ରା ପାଇଁ ଏ ଦୃଶ୍ୟ ଆଦୌ ନୂଆ ନ ହେଲେ ବି ଏଥର କିନ୍ତୁ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀଙ୍କୁ ନେଇ ଉଠିଛି ପ୍ରଶ୍ନ ।

କୁହାଯାଉଛି ଏମାନଙ୍କୁ ବାଲିଯାତ୍ରାକୁ ଆଣି ଭିକ୍ଷାବୃତ୍ତିରେ ଲଗାଇବା ପଛରେ କାମ କରୁଛି ଏକ ସଂଗଠିତ ରାକେଟ୍ । ଯେଉଁମାନେ ଏପରି ଭିନ୍ନକ୍ଷମମାନଙ୍କୁ ବାଲିଯାତ୍ରା ପଡ଼ିଆକୁ ଅଟୋରେ ଆଣି ଛାଡ଼ିବା ପରେ ସେମାନଙ୍କୁ ପୁଣି ଏକାଠି କରି ଅଟୋରେ ନେଇ ଯାଉଛନ୍ତି । ଆଉ ସେମାନଙ୍କ ଜରିଆରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଅଧିକ ପଢ଼ନ୍ତୁ: କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା; ଅଙ୍ଗନବାଡି କର୍ମୀ ବି ପାଇବେ ସହାୟତା ...

ବାଲିଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଭିତରେ ଭିକ୍ଷାବୃତ୍ତି କରୁଥିବା ଏହି ଅଣଓଡ଼ିଆ ଭିନ୍ନକ୍ଷମଙ୍କ ସଂଖ୍ୟା ମାତ୍ରାଧିକ ଭଳି ଅନୁମାନ ହେଉଛି । ପୁରା ବାଲିଯାତ୍ରା ପଡ଼ିଆରେ ଏମାନେ ନିର୍ଦ୍ଦିଷ୍ଟ ବ୍ୟବଧାନ ରକ୍ଷା କରି ଭିକ୍ଷାବୃତ୍ତି କରୁଛନ୍ତି । ସେହିଭଳି ପେନ୍, ବେଲୁନ୍ ଓ ଅନ୍ୟ କିଛି ହାଲକା ଫୁଲକା ସାମଗ୍ରୀ ବିକ୍ରି ସହ ବିଭିନ୍ନ ବେଶଭୂଷାରେ ଶହ ଶହ ବଞ୍ଜାରା ବି ଭିକ୍ଷାବୃତ୍ତିରେ ଲିପ୍ତ ଥିବା ଦେଖିବାକୁ ମିଳୁଛି ।

ଏଠି ପ୍ରଶ୍ନ ଉଠୁଛି ସାଧାରଣ ଦିନମାନଙ୍କରେ କଟକରେ କେବେ ଦେଖାଯାଉନଥିବା ବାହାର ରାଜ୍ୟର ଏଇ ଭିକାରୀଙ୍କୁ ଏଠାକୁ ଆଣୁଛି କିଏ ? ଏମାନଙ୍କ ରୂପ-ଭେକ, ଅବସ୍ଥା ଓ ଅବସ୍ଥିତି ଦେଖି ଲୋକେ ସ୍ବତ୍ଃପ୍ରବୃତ୍ତ ଭାବେ ଭିକ୍ଷା ଦେଉଥିଲେ ବି ସେମାନେ ବାସ୍ତବରେ ପ୍ରତାରିତ ହେଉ ନାହାନ୍ତି ତ ? ଏମାନଙ୍କ ଅକ୍ଷମତାକୁ ଉପଯୋଗ କରି କେହି ଅସାଧୁ ବ୍ୟକ୍ତି କିମ୍ବା ରାକେଟ୍ ମାଲେମାଲ ହେଉ ନାହାନ୍ତି ତ ? ସଚେତନ ନାଗରିକଙ୍କ ମନରେ ଏମିତି ଏନେକ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହା ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ! ଜନତା ନିରାଶ, ଆଇନ ମନ୍ତ୍ରୀ କହିଲେ...