Astrospeak
  • Live TV
  • Read In English

Innovative Farming:ସେଓ ଚାଷ କରି ଚର୍ଚ୍ଚାରେ ଇଞ୍ଜିନିଅର, ଉଚ୍ଚ ତାପମାତ୍ରାରେ ବି ଫଳାଇଦେଲେ ଫଳ

ରାଜ୍ୟ ସରକାରଙ୍କ ଅଧିନରେ ଜଣେ ଇଞ୍ଜିନିଅର୍ ଭାବେ କାମ କରୁଥିଲେ । କିନ୍ତୁ ମନେ ମନେ ନିଷ୍ପତ୍ତି ନେଇ ସାରିଥିଲେ, ଅବସର ପରେ ଜଣେ ଭଲ ଚାଷୀ ହେବେ । ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଛି। ଗାଁରେ ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସେଓ। ତାହା ପୁଣି ୪୦ ଡିଗ୍ରୀ ଉପର ତାପମାତ୍ରାରେ ।

Apple Farming
ସେଓ ଚାଷ

ଇଚ୍ଛା ରଖିଥିଲେ କିଛି ନୂଆ ଚାଷ କରିଵା ପାଇଁ, ତାହା ଆଜି ସମ୍ଭବ ହୋଇଛି । ରାଜଗାଙ୍ଗପୁର ବୁଚୁକୁପଡ଼ାରେ ରହୁଥିବା ଅବସରପ୍ରାପ୍ତ ଇଞ୍ଜିନିଅର ବିରଞ୍ଚି ଲାକ୍ରା ନିଜ ଗାଁରେ ସେଓ ଚାଷ କରି ଅଞ୍ଚଳରେ ଚର୍ଚ୍ଚାରେ ଅଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଚୁକପଡ଼ା ପଂଚାୟତର ବୁଚୁକୁପଡ଼ା ଗ୍ରାମରେ ରହନ୍ତି ବିରଞ୍ଚି ଲାକ୍ରା । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଭାବେ ଅବସର ନେଇଛନ୍ତି | ଚାକିରି ସମୟରୁ ଭାବିଥିଲେ ଜଣେ ସଫଳ ଚାଷୀ ହେବା ପାଇଁ କିନ୍ତୁ ସମୟ ଅଭାବ ସହିତ ବ୍ୟସ୍ତବହୁଳ ଜୀବନ ଭିତରେ ଚାଷ କରି ପାରୁନଥିଲେ । ଅବସର ପରେ ତାଙ୍କ ଝିଅ ସେଓ ଚାଷ ପାଇଁ ପ୍ରେରଣା ଦେଇଥିଲେ | ସେଓ ଚାଷ କିଭଳି କରିବେ ଚିନ୍ତା କରୁଥିବା ବେଳେ ସମ୍ବଲପୁର କୁଚିଣ୍ଡାରେ ଜଣେ ବ୍ୟକ୍ତି ସେଓ ଚାଷ କରୁଛନ୍ତି ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ |ଏବଂ ୟୁଟ୍ୟୁବରୁ ସେଓ ଚାଷ କିପରି ହୁଏ, ପ୍ରଣାଳୀ ଶିଖିଥିଲେ ।

ୟୁଟ୍ୟୁବରୁ ଦେଖି HRMM 99 ଆନ୍ନା ଭେରାଇଟିର ଗଛ ହିମାଚଳ ପ୍ରଦେଶରୁ ୧00ଟି ଚାରା ମଗାଇଥିଲେ । ତାହା ସଫଳ ହେବା ପରେ ନିଜର ୨ ଏକର ଜମିରେ ୫00 ଟି ଚାରା ମଗାଇ ଚାଷ ଆରମ୍ଭ କରିଥିଲେ | ଏବେ ଟାଙ୍ଗରା ଭୂଇଁରେ ପେନ୍ଥାପେନ୍ଥା ହୋଇ ଫଳିଛି ସେଓ । ନୂଆ ଗଛରେ ଫୁଲ ଫୁଟିଛି | ବିନା ସରକାରୀ ସାହାଯ୍ୟରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସେଓ ଚାଷ କରିବା ସହିତ ୪ ଟି ପରିବାରକୁ ରୋଜଗାର ଦେଇଛନ୍ତି | ପ୍ରଥମେ ସେ ପନିପରିବା ଚାଷ କରୁଥିଲେ । ଏବେ ସେଓ ଚାଷ ସହିତ ଆମ୍ବ ପିଜୁଳି ଗଛ ମଧ୍ୟ ଲଗାଇଛନ୍ତି |

ଅଧିକ ପଢ଼ନ୍ତୁ: ସରକାର ଦେଉଛନ୍ତି ପ୍ରୋତ୍ସାହନ, ହଳଦିଆ ତରଭୁଜ ଚାଷକରି ଲକ୍ଷପତି ଚାଷୀ

ବିରଞ୍ଚି ଓ ତାଙ୍କ ପତ୍ନୀ ଶ୍ରମିକଙ୍କ ସହିତ ମିଶି କାମ ବି କରୁଛନ୍ତି। ଶ୍ରମିକମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି । ମାସିକ ଦରମା ସହିତ ଅଭାବ ଅସୁବିଧାରେ ମାଲିକ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ଜଣେ ଶ୍ରମିକ । ବିରଞ୍ଚିଙ୍କ ଇଞ୍ଜିନିଅରିଂ ପଢ଼ୁଆ ପୁଅ ଚାକିରି ପଛରେ ନଯାଇ କିଭଳି ଆଧୁନିକ ପ୍ରଣାଳୀରେ ନୂଆ ନୂଆ ଚାଷ କରିହେବ ତାହା ୟୁ ଟ୍ୟୁବରୁ ଶିଖୁଛନ୍ତି । ଚାରା କିଣି ନିଜ ଜମିରେ ଲଗାଉଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ଜମିରେ ସେଓ ସହିତ ବିଭିନ୍ନ ପ୍ରକାରର ଫଳ ଚାଷ କରିବା ପାଇଁ ଆଶା ମଧ୍ୟ ରଖିଛନ୍ତି ।

ଜୈବିକ ସାର ପ୍ରୟୋଗ କରିବା ସହିତ ତାପମାତ୍ରା କିଭଳି ନିୟନ୍ତ୍ରଣ କରିହେବ, ୟୁଟ୍ୟୁବରୁ ଶିଖି ଚାଷ କାମରେ ବାପାଙ୍କୁ ସାହାଯ୍ୟ କରୁଛନ୍ତି | ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ଚାକରି ପଛରେ ନଗୋଡ଼ାଇ ଏହି ଭଳି ନୂଆ ପ୍ରକାରର ଚାଷ କରି ଭଲ ରୋଜଗାର କରିପାରିବେ ବୋଲି ସେ କହିଛନ୍ତି ।

ଏହି ସଫଳତା ପଛରେ ବିରଞ୍ଚିଙ୍କ ପୂରା ପରିବାରର ଯୋଗଦାନ ରହିଛି | ବିରଞ୍ଚିଙ୍କ ପତ୍ନୀ ସତ୍ୟଭାମା ଲାକ୍ରା କହିଛନ୍ତି, ଆମେ ଅକ୍ଲାନ୍ତ ପରିଶ୍ରମ କରିଥିଲୁ ଆଜି ଗଛରେ ସେଓ ଫଳିବା ଦେଖି ଖୁସି ଲାଗୁଛି ।

ଅଧିକ ପଢ଼ନ୍ତୁ: ଫୁଲ ଚାଷ କରିଛି ଲକ୍ଷ ପତି, କମାଉଛନ୍ତି ୪ ଲକ୍ଷ ଟଙ୍କା