ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳ ନୃତ୍ୟ । ଏ ନେଇ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା । ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତର ସହ ବିଚାର କରୁଛନ୍ତି । ଏଥି ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଗତ କିଛି ବର୍ଷ ହେବ ଯାତ୍ରାରେ ମେଲୋଡି ନାଁରେ ଅଶ୍ଲୀଳ ନୃତ୍ୟ ପରିବେଷଣର ଟ୍ରେଣ୍ଡ ବଢିଚାଲିଛି ।
ଯାତ୍ରାରେ କଳା ପରିବେଷଣ ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନର ଏକାଧିକ ଘଟଣା ନିକଟ ଅତୀତରେ ସାମ୍ନାକୁ ଆସିଛି । ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ମଧ୍ୟ କରାଯାଇ ଆସୁଛି । ଏଥିପାଇଁ କଡ଼ା ଆଇନ୍ ସପକ୍ଷରେ ଲଢେଇ କରି ଆସୁଛନ୍ତି କିଛି ସ୍ୱାଧିନଚେତା କଳାକାର ଓ ସଂସ୍କୃତି ପ୍ରେମୀ ।
Also Read
ଅଧିକ ପଢନ୍ତୁ:ଆପାର୍ଟମେଣ୍ଟରେ କୋକୁଆଭୟ; ଚିନ୍ତାରେ ପୋଲିସ, ଆତଙ୍କିତ ସହରବାସୀ
ଯାତ୍ରା ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ କରାଯାଉଛି ! ଏଠି ପ୍ରଶ୍ନ ଉଠୁଛି, ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛି କିଏ ? ଯାତ୍ରା ମାଲିକ ନା ଯାତ୍ରା କମିଟି? ଯାତ୍ରା ମାଲିକ ହୁଅନ୍ତୁ କି ଯାତ୍ରା କମିଟି, ବ୍ୟାବସାୟିକ ଲାଭ ପାଇଁ ମଂଚରେ ସୀମା ଟପିଲାଣି ଅଶ୍ଳୀଳତା । ଭଲ କାହାଣୀ ପଛ, ଏବେ ମେଲୋଡି ଓ ରେକର୍ଡ ଡାନ୍ସ ଯାତ୍ରାର ସବୁକିଛି । ରେକର୍ଡ ଡାନ୍ସ ତ ନୁହେଁ, ନେକେଡ୍ ଡାନ୍ସ ।
ଅଙ୍ଗ ପ୍ରଦର୍ଶନ ସାଜିଛି ଯାତ୍ରାର ସବୁଠୁ ବଡ଼ ୟୁଏସପି । ତେଣୁ ଏଥିରେ ରୋକ୍ ଲଗାଇ ଓଡ଼ିଆ ସଂସ୍କୃତି ବଂଚାଇବାକୁ ଗତ କିଛିଦିନ ତଳେ ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲା ଯାତ୍ରା କମିଟି ମହାସଂଘ । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରାଯାଉଥିବା ଅଭିଯୋଗ ଆଣି ଯାତ୍ରା ପରିବେଷଣ ପାଇଁ ସ୍ୱତନ୍ତ୍ର ନିୟମ ଆଣିବାକୁ ସଂଘ ଦାବି କରିଥିଲା ।
ଏଥିସହ ଯାତ୍ରାରେ ଅଶ୍ଳୀଳତା, ଦ୍ୱିଅର୍ଥବୋଧକ ଡାଏଲଗ୍ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବାଦ୍ ଦେବା ନେଇ ୭ ଦଫା ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲା । କଳାକାରଙ୍କ ଅହେତୁକ ପାଉଣା ଦାବି ଓ ଯାତ୍ରା ପରିବେଷଣ ସାମଗ୍ରୀର ଦରବୃଦ୍ଧି, ପରୋକ୍ଷରେ ଯାତ୍ରାରେ ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳତା ଦେଖାଇବାକୁ ଏକପ୍ରକାର ବାଧ୍ୟ କରୁଥିବା ସେତେବେଳେ କହିଥିଲେ ମାଲିକ ।
ଅନ୍ୟପଟେ ଯାତ୍ରା କଳାକାରଙ୍କ କହିବା ହେଉଛି, ଟାଲେଣ୍ଟ ନଥାଇ ରାତାରାତି ନାଁ କମାଇବାକୁ ଚାହୁଁଛନ୍ତି କିଛି କଳାକାର । ସେମାନେ ହିଁ ଯାତ୍ରା ମଂଚକୁ ବଦନାମ କରୁଛନ୍ତି । ଏପଟେ ଯାତ୍ରାରେ ଅଶ୍ଲୀଳତା ପ୍ରଦର୍ଶନ କରି ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବାକୁ ପ୍ରଶ୍ରୟ ଦିଆଯିବନି ବୋଲି ଗତ କିଛିଦିନ ତଳେ ସ୍ପଷ୍ଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସଂସ୍କୃତି ମନ୍ତ୍ରୀ ବି କହିସାରିଛନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ଖୁବଶୀଘ୍ର ଆସିବ ନିର୍ଦ୍ଦେଶାବଳୀ । ଯାତ୍ରାରେ ବଢିଚାଲିଥିବା ଅଙ୍ଗ ପ୍ରଦର୍ଶନ ଟ୍ରେଣ୍ଡ ପାଲଟିଗଲାଣି । ଯାହା ଓଡିଆ କଳା ସଂସ୍କୃତି ଓ କଳା ପ୍ରତି ରୁଚି ରଖୁଥିବା ଦର୍ଶକଙ୍କ ଭାବନାକୁ କୁଠାରଘାତ କରୁଛି । ଏଥିରେ ତୁରନ୍ତ ଲଗାମ ଲଗାଇବା ଜରୁରି ।