ବେଫିକର ଲୁଟେରା ... ବେସାହାରା ବାସିନ୍ଦା ... ଖଣ୍ଡାଧରି ବୁଲୁଛନ୍ତି ... ରାତି ଅନ୍ଧାରେ ଲୁଟୁଛନ୍ତି । ରାଜଧାନୀରେ ଏବେ ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ଲୁଟି ଚାଲିଛନ୍ତି ଲୁଟେରା । ସିସିଟିଭି ଅଛି, ସିକ୍ୟୁରିଟି ବି ଜଗିଛି । କିନ୍ତୁ ଖଣ୍ଡା ଧରି ଆପାର୍ଟମେଣ୍ଟ ଭିତରେ ବୁଲୁଛନ୍ତି ଲୁଟେରା । ରେକି ପରେ ଲୁଟ ଉଦ୍ୟମ ମଧ୍ୟ କରୁଛନ୍ତି । ହେଲେ ପୋଲିସ ଚୋର ଧରିବା ଦୂର କଥା, ଏତଲା ମଧ୍ୟ ଗ୍ରହଣ କରୁନାହିଁ । ତେଣୁ ଘର ଛାଡିବା ପାଇଁ ମନସ୍ଥ କଲେଣି ଆପାର୍ଟମେଣ୍ଟବାସୀ ।
ରାତି ହେଲେ ଛାତି ଥରୁଛି । ଲୁଟେରାଙ୍କୁ ଦେଖି ଭୟ ଲାଗୁଛି । ହାତରେ ଖଣ୍ଡା କଟୁରୀ ଧରି ବୁଲୁଛନ୍ତି ଲୁଟେରା । ମହଲାରୁ ମହଲା ବୁଲୁଛନ୍ତି । ତାଲା ପଡିଥିବା ଘର ଖୋଜୁଛନ୍ତି । ଏପରିକି ଲୁଟ ସମୟରେ କିଏ ସାମ୍ନାକୁ ଆସିଲେ ଚୋଟ ଦେବା ପାଇଁ ମଧ୍ୟ ପଛାଉ ନାହାନ୍ତି । ପାହାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯାହାକୁ ନେଇ ଏବେ ଆପାର୍ଟମେଣ୍ଟରେ ଦେଖାଯାଇଛି କୋକୁଆ ଭୟ ।
Also Read
ଅଧିକ ପଢନ୍ତୁ:ACF ରେବତୀ ରମଣ ଯୋଶୀଙ୍କ ଘରେ ଘାଣ୍ଟୁଛି ଭିଜିଲାନ୍ସ; ୯ଟି ସ୍ଥାନରେ କରିଛି ରେଡ୍
ବିଗତ ୩ ଦିନ ଧରି ୩ ଟି ଫ୍ଲାଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ତାଲା କାଟି ସୁନା ଅଳଙ୍କାର ଲୁଟି ନେଇ ଯାଉଛନ୍ତି ଲୁଟେରା । ହେଲେ ପେଟ୍ରୋଲିଂ କରି ଚୋର ଧରିବା ବଦଳରେ ପୋଲିସ ହ୍ୱାଟ୍ସ୍ଆପ୍ରେ ଜାରି କରୁଛି ସୁରକ୍ଷା ବାର୍ତ୍ତା । ଆପାର୍ଟମେଣ୍ଟରେ ସିସିଟିଭି ଲଗାଇବା ସହ ରାତି ପ୍ରାୟ ୧ ରୁ ୩ ଟା ପର୍ଯ୍ୟନ୍ତ ଆଲର୍ଟ ରହିବାକୁ କହୁଛି ପୋଲିସ । ଯାହାକୁ ନେଇ ଥରହର ହେଲାଣି ରାଜଧାନୀବାସୀଙ୍କ ଛାତି ।
କିଛିଦିନ ତଳେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ଆପାର୍ଟମେଣ୍ଟ ମାନଙ୍କରେ IP କ୍ୟାମେରା ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାର ତଥ୍ୟ କମିଶନରେଟ ପୋଲିସ ନିକଟରେ ରଖିବା ସହ ସୁପର ଭିଜନ ପାଇଁ ଜଣେ ଏସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏ ସବୁ ସତ୍ତ୍ୱେ ମଧ୍ୟ ଲୁଟେରା ଖୁଲମଖୁଲା ଲୁଟିବା ଘଟଣା ପୋଲିସର ପାରିବାପଣିଆ ପ୍ରତି ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସେପଟେ ଆପାର୍ଟମେଣ୍ଟ ଲୁଟ ନେଇ ପୋଲିସ ସିରିୟସ ଥିବା କହିଛନ୍ତି ଡିସିପି ।