Forest Fires
ଖରା ଆସିଲେ ଜଙ୍ଗଲ ନିଆଁ ଭୟ ଘାରିବା ସହ ବଢିଥାଏ ବନ ବିଭାଗର ଚିନ୍ତା । କିଏ ପୋଡ଼ୁ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଏ ତ ଆଉ କିଏ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଏ । ପ୍ରାୟ ପ୍ରତିବର୍ଷ ଗ୍ରୀଷ୍ଣଦିନେ ଜଙ୍ଗଲ ଜଳୁଥିବା ବେଳେ ଏଥର ଏଥିରେ ରୋକ୍ ଲଗାଇବାକୁ ନୂଆ କୌଶଳ ଆପଣାଇଛି କୋରାପୁଟ ବନ ବିଭାଗ । ଜଙ୍ଗଲ ନିଆଁ ରୋକିବାକୁ ଆପଣାଯାଇଛି ମଞ୍ଚା ଫଣ୍ଡା ।
ଆସନ୍ତୁ ଜାଣିବା କ'ଣ ଏଇ ମଞ୍ଚା କୌଶଳ...
ଜଙ୍ଗଲ ନିଆଁ ରୋକିବାକୁ କୋରାପୁଟ ବନଖଣ୍ଡର ଭିନ୍ନ କୌଶଳ । ଘଞ୍ଚ ଜଙ୍ଗଲ ଭିତରେ ଉଚ୍ଚା ସ୍ଥାନରେ ଠିଆ ହୋଇଛି ବାଉଁଶରେ ନିର୍ମିତ ସ୍ବତନ୍ତ୍ର ଅଗ୍ନି ନିରୋଧକ ମଞ୍ଚା । ମାଟିରୁ ମଞ୍ଚାକୁ ଯୋଡ଼ିଛି ବାଉଁଶ ସିଡ଼ି । ଉପରେ ପଡ଼ିଛି ନଡ଼ା ଛପର। ଏଥିରେ ରହିଛି ଅଗ୍ନିନିର୍ବାପକ ଯନ୍ତ୍ର ଏବଂ ୱାକିଟକି । ଖାଲି ଏତିକି ନୁହେଁ ଏହାସହ ରହିଛି ପାନୀୟ ଜଳ ଏବଂ ଓଆରଏସ୍ । ଏହି ମଞ୍ଚାରେ ସବୁକିଛି ସାଇତା ହୋଇ ରହିଛି ।
ବଡ଼କଥା ହେଲା, ଜଙ୍ଗଲର କୌଣସି ସ୍ଥାନରେ ନିଆଁ ଲାଗିଲେ ଏପରିକି ଧୂଆଁ ଟିକେ ବାହାରିଲେ ଏଇଠୁ ଆରମ୍ଭ ହୋଇଯିବ ନିଆଁ ନିୟନ୍ତ୍ରଣ ଅଭିଯାନ । କାରଣ ମଞ୍ଚା ଉପରେ ଅହରହ ପଇଁତରା ମାରୁଛନ୍ତି ବନ ବିଭାଗର ସ୍ୱତନ୍ତ୍ର କର୍ମଚାରୀ । ଦୂରରୁ ନିଆଁ କିମ୍ବା ଧୂଆଁ ଦେଖିଲେ ତତକ୍ଷଣାତ ସେହି ଜାଗାରେ ସାଜସରଞ୍ଜାମ ଧରି ପହଞ୍ଚିଯିବ ଟିମ୍ ।
କୋରାପୁଟର ୬ଟି ରେଞ୍ଜରେ ଏମିତି ୬୦ଟି ମଞ୍ଚା ବନ୍ଧାଯାଇଛି । କୋରାପୁଟ,ନାରାୟଣପାଟଣା,ବନ୍ଧୁଗାଁ,ଲମତାପୁଟ,ଲକ୍ଷ୍ମୀପୁର,ସେମିଳିଗୁଡା,ପଟ୍ଟାଙ୍ଗୀ ଅଞ୍ଚଳରେ ମଞ୍ଚା ଉପରେ ଜଙ୍ଗଲ ନିଆଁ ଉପରେ ନଜର ରଖାଯାଇଛି । ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ ।
ଜଙ୍ଗଲ ନିଆଁ ରୋକିବାକୁ ଜନସଚେତନତା ଉପରେ ବି ଗୁରୁତ୍ବ ଦେଉଛି ବନ ବିଭାଗ । ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ଗାଁ ଗାଁରେ ଲୋକଙ୍କୁ ବୁଝାଯାଉଛି । ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧି ଓ ବିଭାଗୀୟ କର୍ମଚାରୀଙ୍କୁ ନେଇ ବାରମ୍ବାର ପ୍ରସ୍ତୁତି ବୈଠକ କରାଯାଇଛି । ଅପରପକ୍ଷେ ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେବା ସହ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଛି ବନ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740330607.jpg)