କେତେବେଳେ ମଣ୍ଡି ସମସ୍ୟା ତ ପୁଣି କେତେବେଳେ କଟନୀ ଛଟନୀ । ନୂଆ ସରକାର ସମୟରେ ମଧ୍ୟ ସମାନ ଅଭିଯୋଗ । ସରକାରୀ ଦରରେ ଚାଷୀଙ୍କ ଧାନ କିଣିବାକୁ ଗାଁ ଗାଁରେ ଖୋଲିଛି ମଣ୍ଡି । ହେଲେ ସରକାରୀ ନିୟମକୁ ପୁରା ବେଖାତିର କରି ମଣ୍ଡିରେ ଚାଲିଛି ମିଲର ମାନଙ୍କର ମନମାନି । ଏଭଳି ଅବ୍ୟବସ୍ଥା ସୁବର୍ଣ୍ଣପୁରର ବାଘମାରୀ ଗାଁ ଏବଂ ମାଲକାନଗିରି ଜିଲ୍ଲାର ଶିଖପାଲୀ ମଣ୍ଡିରେ ଦେଖିବାକୁ ମିଳିଛି ।
ଉତ୍କଟ ହେଉଛି ମଣ୍ଡି ସମସ୍ୟା । କେଉଁଠି ଧାନ ପଡିରହିଥିଲେ ମଧ୍ୟ ମିଲର ଆସୁନାହାନ୍ତି ତ କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଥିବା ହିଲୁଙ୍ଗ ମଣ୍ଡିର କଥା । ଏଠି ଚାଷୀଙ୍କୁ ଅତିଷ୍ଠ କଲାଣି ମିଲରଙ୍କ ମନମାନି । ବାଘମାରୀ ଗାଁର ଚାଷୀ ବୃନ୍ଦାବନ ୧୫ ଦିନ ହେଲା ସେ ହିଲୁଙ୍ଗ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଛନ୍ତି । କିନ୍ତୁ ତାଙ୍କ ଧାନ ଉଠିପାରୁନାହିଁ ।
Also Read
କେବଳ ବୃନ୍ଦାବନ ନୁହଁନ୍ତି, ଏଠିକୁ ଆସୁଥିବା ଅଧିକାଂଶ ଚାଷୀଙ୍କର ଅବସ୍ଥା ସମାନ । ଏଠାରେ କୁଇଣ୍ଟାଲ ପିଛା ୫ କେଜି କଟନୀ ନଦେଲେ ଧାନ ଉଠାଉ ନାହିଁ ମିଲର । ଏନେଇ ସେବା ସମବାୟ ସମିତିର ସଭାପତି ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିନା କଟନୀ ଛଟନୀରେ ଧାନ ଉଠାଯାଉଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
ମାଲକାନଗିରିରେ ବି ଚାଷୀ ମଣ୍ଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଟୋକନ୍ ମିଳିସାରିବା ପରେ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ତାହା ମଣ୍ଡିରୁ ଉଠିପାରୁନାହିଁ । ୧୫ ଦିନ ହେବ ମଣ୍ଡିରେ ଧାନ ପକାଇ ଜଗି ବସିଛି ଚାଷୀ । ଚାଷୀ ଶିଖପାଲୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଜିଲ୍ଲାରେ ତମାମ ୬୭ଟି ମଣ୍ଡିରେ ସେହି ଏକା ସମସ୍ୟା ।
ଚଳିତ ବର୍ଷ ଜିଲ୍ଲାରେ ଧାନ କିଣା ପାଇଁ ଯୋଗାଣ ବିଭାଗକୁ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ଆସିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ଆସିଥିଲା । ୨୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଡେଡଲାଇନ୍ ଶେଷ ହୋଇଯାଇଥିବାରୁ ଏପରି ଧାନ ପଡି ରହିଛି । ପୁଣି ତୃତୀୟ ପର୍ଯ୍ୟାୟରେ ଅଢେଇ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ଆସିଛି । ଅପରପକ୍ଷେ ଧାନ ମଣ୍ଡିରେ ବିଲ୍କୁଲ ଧାନ ବିକ୍ରୟ କରିନଥିବା ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ତହସିଲ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି । ଏଭଳି ଚାଷୀଙ୍କ ଠାରୁ ଖୁବଶୀଘ୍ର ଧାନ କିଣାଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଚାଷୀଙ୍କ ନୂଆ କୌଶଳ...ଗୋଟିଏ ଗଛରେ ଫଳୁଛି ଟମାଟୋ ଓ ଆଳୁ !
- Reported by:
- JITENDRA BEURA , Rabindra Hota